ସିମୁଳିଆ/ଖଇରା: ଅଖା ଭିତରୁ ଯୁବକଙ୍କ ମୃତଦେହ ମିଳିବା ଘଟଣାର ପର୍ଦାଫାସ୍‌ ହୋଇଛି। ଗଳାକାଟି ସ୍ବାମୀର ଜୀବନ ନେବା ପରେ ଦିଅର ସହାୟତାରେ ଶବକୁ ଫିଙ୍ଗିଦେଇଥିବା ଅଭିଯୁକ୍ତ ମହିଳା ସ୍ବୀକାର କରିଛି।
ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ୍‌ ରପେୟା ପଞ୍ଚାୟତ ବଳରାମପୁର କେନାଲ୍‌ ବନ୍ଧ ନିକଟରେ ୧୨ ତାରିଖ ଦିନ ଏକ ଅଖା ପଡ଼ିଥିବା ଦେଖି ସନ୍ଦେହରେ ସ୍ଥାନୀୟ ଲୋକ ସିମୁଳିଆ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଅଖା ଖୋଲିବା ପରେ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ମିଳିଥିଲା।

Advertisment

ମୃତ ଯୁବକ ଜଣକ ଖଇରା ବ୍ଲକ୍‌ ବରଦା ପଞ୍ଚାୟତ ନିରଞ୍ଜନବିନ୍ଧା ଗ୍ରାମର ରମେଶ ଦାସ ବୋଲି ଜଣାପଡ଼ିଥିଲ‌ା। ତାଙ୍କ ଘର ବ୍ରହ୍ମପୁର ଅଞ୍ଚଳରେ ହୋଇଥିବା ବେଳେ ସେ ପରିବାର ସହ ଶ୍ବଶୁର ଘର ନିରଞ୍ଜନବିନ୍ଧା ଗାଁ’ରେ ରହୁଥିଲେ। ତେବେ ସଂଦେହ ହେବାରୁ ପୁଲିସ ରମେଶଙ୍କ ପତ୍ନୀ ସୁଲୋଚନାକୁ ଅଟକ ରଖି ପଚରାଉଚରା ଚଳାଇଥିଲା। ଏପରି ସମୟରେ ଘଟଣା ଉପରୁ ପରଦା ହଟିଥିଲା। ପଚରାଉଚରା ବେଳେ ଘରୋଇ ଝଗଡ଼ା କାରଣରୁ ୧୧ ତାରିଖ ଦିନ ରାତିରେ ରମେଶ ଶୋଇଥିବା ବେଳେ ପତ୍ନୀ ସୁଲୋଚନା ରାଗରେ ତାଙ୍କ ବେକକୁ ଏକ ଧାରୁଆ ଛୁରିରେ କାଟି ହତ୍ୟା କରିଥିବା ସ୍ବୀକାର କରିଛି। ସେ ନିଜ ଦିଅର ଜିତେଶର ସହାୟତାରେ ସେହିଦିନ ରାତିରେ ରମେଶଙ୍କୁ ଏକ ଅଖାରେ ଭର୍ତ୍ତି କରିଥିବା ଏବଂ ସ୍କୁଟିରେ ନେଇ କେନାଲ୍‌ ବନ୍ଧ ପାଖରେ ଫିଙ୍ଗିଦେଇଥିବା କହିଛି। ‌ଅଭିଯୁକ୍ତ ସୁଲୋଚନା ସ୍ବାମୀଙ୍କୁ ହତ୍ୟା କରିଥିବା ମାନିବା ପରେ ପୁଲିସ ୧୭୬/୨୩ ଏକ ହତ୍ୟା ମାମଲା ରୁଜୁ କରି ତାକୁ ଏବଂ ତା’ର ଦିଅର ଜିତେଶକୁ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।