ରହସ୍ୟଜନକ ମୃତ୍ୟୁକୁ ନେଇ ଚର୍ଚ୍ଚାରେ ହରିଦାସପୁର : ରେଳଧାରଣାରୁ ମିଳିଲା ଆଉ ଏକ ଶବ

ଧର୍ମଶାଳା : ଯାଜପୁରର ଧର୍ମଶାଳା ଯେତିକି ଚର୍ଚ୍ଚାରେ, ତା’ଠାରୁ ଅଧିକ ଚର୍ଚ୍ଚାରେ ହରିଦାସପୁର ରେଳଲାଇନ୍‌!! ଆଜି ହରିଦାସପୁର ରେଳଧାରଣା ନିକଟରୁ ଆଉ ଜଣେ ଯୁବକଙ୍କ କ୍ଷତାକ୍ତ ଶବ ମିଳିଛି। ଏହି ଯୁବକଙ୍କୁ ନୃଶଂସ ଭାବେ ହତ୍ୟା କରି ହରିଦାସପୁରର ବାଟଜଙ୍ଗା ଗାଁ ନିକଟ ରେଳଧାରଣା ନିକଟରେ ପିଙ୍ଗିଦେଇଛନ୍ତି ଦୁର୍ବୃତ୍ତ । କିଛିଦିନ ବ୍ୟବଧାନରେ ଧର୍ମଶାଳାରେ ଗୋଟିଏ ପରେ ଗୋଟିଏ ହତ୍ୟାକାଣ୍ଡ ସାଧାରଣରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ଏଥିସହିତ, ଯାଜପୁର ଜିଲ୍ଲାର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ବି ଆଉଥରେ ପଦାରେ ପକାଇଛି।

ମୃତ ଯୁବକ ହେଉଛନ୍ତି ଜାରକା ପଞ୍ଚାୟତ ଜାଲସୁଖା(ଟିକରସାହି) ଗ୍ରାମର ଗୁନା ବେହେରାଙ୍କ ଏକମାତ୍ର ପୁଅ ବିଶ୍ବଭୂଷଣ ଓରଫ ଚନ୍ଦନ(୨୨)। ଗତକାଲି ପ୍ରଥମାଷ୍ଟମୀରେ ଚନ୍ଦନ ପଡ଼ୋଶୀ ମାନସ ଦେହୁରୀଙ୍କ ସହ ଦର୍ପଣ ଅଞ୍ଚଳର ଏକ ବନ୍ଧୁଘରକୁ ଯାଇଥିଲେ। ଚନ୍ଦନ ଓ ମାନସ ଉଭୟ ସନ୍ଧ୍ୟାରେ ଲୁନାରେ ଘରକୁ ଫେରୁଥିଲେ। ବାଟରେ ଆରୁହା ହାଟରେ ଏକ ଅଣ୍ଡା ଦୋକାନରୁ ଉଭୟ ସିଝା ଅଣ୍ଡା ଖାଇଥିଲେ। ଦୋକାନୀ ଅଣ୍ଡା ଦର ଅଧିକ କହିବାରୁ ଚନ୍ଦନ ଓ ଦୋକାନୀ ମଧ୍ୟରେ ବଚସା ପରେ ମାରପିଟ ହୋଇଥିଲା। ଏଥିରେ ଅନ୍ୟ ଦୋକାନୀ ଓ ସ୍ଥାନୀୟ ଲୋକ ମିଶି ଚନ୍ଦନ ଓ ମାନସଙ୍କୁ ଆକ୍ରମଣ କରିଥିଲେ। ପରେ ଚନ୍ଦନକୁ ଏକ ଘର ଭିତରକୁ ଭିଡ଼ିନେଇ ସେଠାରେ ନିର୍ଧୁମ ପିଟିଥିଲେ। ଏତିକିରେ ଆକ୍ରମଣକାରୀଙ୍କ କ୍ରୋଧ ଶାନ୍ତ ପଡ଼ିନଥିଲା। ନିକଟସ୍ଥ ପୋଖରୀକୁ ଟେକି ନେଇ ଚନ୍ଦନକୁ ପାଣିରେ ବାରମ୍ବାର ବୁଡ଼ାଇ ଅଣନିଃଶ୍ବାସୀ କରାଇ ଦେଇଥିଲେ। ପରେ ସମ୍ପୃକ୍ତ ଆକ୍ରମଣକାରୀମାନେ ଘଟଣାସ୍ଥଳରୁ ଖସି ଯାଇଥିବା ବେଳେ ଚନ୍ଦନଙ୍କର କୌଣସି ସନ୍ଧାନ ମିଳିନଥିଲା। ଚନ୍ଦନଙ୍କ ସାଥୀ ମାନସ ବହୁ ଖୋଜାଖୋଜି ପରେ ଚନ୍ଦନଙ୍କୁ ନପାଇବାରୁ ଘରକୁ ଫେରି ସବୁକଥା କହିଥିଲେ। ଆଜି ସକାଳେ ଚନ୍ଦନଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ହରିଦାସପୁର ପଞ୍ଚାୟତ ବାଟିଜଙ୍ଗା ଗାଁ ନିକଟରେ ‌ରେଳଲାଇନ୍ ପାର୍ଶ୍ବରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଖବରପାଇ ପରିବାର ଲୋକେ ଚନ୍ଦନଙ୍କୁ ଧର୍ମଶାଳା ଡାକ୍ତରଖାନାକୁ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଚନ୍ଦନଙ୍କ ଶରୀରର ବିଭିନ୍ନ ସ୍ଥାନ ସମେତ ବାମ ପାର୍ଶ୍ବ ଆଖି ଉପରେ ଗଭୀର କ୍ଷତଚିହ୍ନ ଥିବା ଦେଖିବାକୁ ମିଳିଥିଲା। ଅଭିଯୁକ୍ତମାନେ ଆରୁହା ପୋଖରୀ ନିକଟରେ ହେଉ କିମ୍ବା ବାଟିଜଙ୍ଗା ରେଳ ଲାଇନ୍ ନିକଟରେ କୌଣସି ଧାରୁଆ ଅସ୍ତ୍ରରେ ଚନ୍ଦନଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୁଲିସ ମୃତଦେହ ଜବତ କରିବା ସହ ପ୍ରତ୍ୟକ୍ଷଦର୍ଶୀ ମାନସକୁ ନେଇ ଘଟଣାସ୍ଥଳରେ ତଦନ୍ତ କରି ଫେରିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବଡ଼‌ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇ ପୁଲିସ ଥାନା କେସ୍‌ ନମ୍ବର ୫୪୨/୧୯ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ଅନ୍ୟପକ୍ଷରେ, ହରିଦାସପୁର ପଞ୍ଚାୟତରେ ଲଗାତର ହତ୍ୟାକାଣ୍ଡ ଓ ରେଳଲାଇନ୍ ନିକଟରୁ ବାରମ୍ବାର ଶବ ମିଳିବା ଘଟଣାକୁ‌ ନେଇ ଜନସାଧାରଣରେ ଦିନକୁ ଦିନ ସନ୍ଦେହ ଘନେଇବାରେ ଲାଗିଛି। ଗତ ରବିବାର ଦିନ ରାମ୍‌କୋ ସିମେଣ୍ଟ କାରଖାନାର କର୍ମଚାରୀଙ୍କର ଶବ ମଧ୍ୟ ରେଳଲାଇନରୁ ମିଳିଥିଲା। ଏହାପୂର୍ବରୁ ଦେବାଶିଷ ସାମଲ(ବବୁଲ)ଙ୍କର ରହସ୍ୟଜନକ ମୃତ୍ୟୁ ସାଙ୍ଗକୁ ଠିକାସଂସ୍ଥାର ଇଂଜିନିୟରଙ୍କର ରହସ୍ୟଜନକ ଭାବେ ମୃତ୍ୟୁ ଘଟିଥିଲା। ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣା ସବୁକୁ ବଳିଯାଇଛି। ଏହି ମୃତ୍ୟୁ ଉପରୁ ଏଯାବତ୍‌ ରହସ୍ୟ ହଟିନଥିବ‌ାବେଳେ ହରିଦାସପୁର ସମାନ ଢଙ୍ଗରେ ଆଉ ଜଣେ ଯୁବକଙ୍କ ମୃତ୍ୟୁ ଘଟଣା ପୁଣିଥରେ ହରିଦାସପୁରକୁ ସନ୍ଦେହ ‌ଘେରକୁ ଟାଣିଆଣିଛି। ଅପରାଧ ଘଟାଇବା ପରେ କିଭଳି ଓ କାହିଁକି ରେଳଧାରଣା ପାଖରେ ଶବ ପକାଇ ଦୁର୍ଘଟଣାର ରୂପ ଦେବାକୁ ଉଦ୍ୟମ କରାଯାଉଛି, ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ‌ହୋଇଛି।

ସମ୍ବନ୍ଧିତ ଖବର