ବ୍ରହ୍ମପୁର: ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟର ଛାତ୍ରାବାସରେ ଜଣେ +୩ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେ ହେଲେ ଉକ୍ତ ଉଚ୍ଚ ଶିକ୍ଷାନୁଷ୍ଠାନର ଅର୍ଥନୀତି ସ୍ନାତକ ବିଭାଗର ଶେଷବର୍ଷ ଛାତ୍ର କୁନାଲ ମଲ୍ଲିକ(୨୦), ଘର ଗଜପତି ଜିଲ୍ଲା ମୋହନା ବାଡ଼ିପଙ୍କା ଗ୍ରାମରେ। ସେ ଜଣେ ମେଧାବୀ ଛାତ୍ର ହୋଇଥିବା ବେଳେ ଆର୍‌କେ ହଷ୍ଟେଲରେ ରହି ପାଠ ପଢୁଥିଲେ। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ପରିବାରବର୍ଗ ହତ୍ୟା ସନ୍ଦେହ କରି ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି। ଅନ୍ୟପକ୍ଷେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଏହାର ତଦନ୍ତ ଜାରି ରଖିଥିବା ବେଳେ ସନ୍ଧ୍ୟାରେ ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି।

Advertisment

ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ କହିବା ମୁତାବକ, +୩ ଛାତ୍ରଛାତ୍ରୀଙ୍କ ୫ମ ସେମି‌ଷ୍ଟର୍ ପରୀକ୍ଷା ଚାଲିଥିବାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନ୍ତେବାସୀମାନେ ଅନିଦ୍ରା ରହି ପଢ଼ାପଢ଼ି କରୁଛନ୍ତି। ଗତକାଲି କୁନାଲ୍‌ ଗୋଟିଏ ପେପର୍ ପରୀକ୍ଷା ଦେଇ ହଷ୍ଟେଲ୍‌କୁ ଫେରିଥିଲେ। ତାଙ୍କ ସହ ଗୋଟିଏ ରୁମ୍‌ରେ ଆଉଜଣେ ଅନ୍ତେବାସୀ ରହନ୍ତି। ତେବେ କୁନାଲ୍ ରାତ୍ରୀଭୋଜନ ପରେ ଗତକାଲି ବିଳମ୍ବିତ ରାତିରେ ଶୋଇଥିଲେ। କିନ୍ତୁ ଆଜି ସକାଳୁ ସେ ଉଠିନଥିଲେ। ଏପରିକି ଦିନ ୧୧ଟା ପର୍ଯ୍ୟନ୍ତ ସେ ନଉଠିବାରୁ ଅନ୍ୟ ଅନ୍ତେବାସୀମାନେ ସନ୍ଦେହ କରି ୱା‌ର୍ଡ଼େନ୍‌ଙ୍କୁ ଜଣାଇଥିଲେ। ଏହାପରେ ୱାର୍ଡ଼େନ୍‌ଙ୍କ ସମେତ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ସେଠାରେ ପହଁଚିଥିଲେ। ତୁରନ୍ତ ଚିକିତ୍ସା ପାଇଁ ଏମ୍‌କେସିଜି ବଡ଼ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଟାଉନ ଥାନା ପୁଲିସ ପହଞ୍ଚି ଶବ ଜବତ କରିଥିଲା। ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

କୁନାଲଙ୍କ ପରିବାରବର୍ଗ ପହଞ୍ଚିବା ପରେ ଶବକୁ ଦେଖି ତାଙ୍କୁ କେହି ହତ୍ୟା କରିଥିବା ନେଇ ସନ୍ଦେହ କରି ଥାନାରେ ଅଭିଯୋଗ କରିଛନ୍ତି। ସନ୍ଧ୍ୟାରେ ଶବ ବ୍ୟବଚ୍ଛେଦ କରାଯାଇ ଭିସେରା ସଂଗ୍ରହ କରାଯାଇଥିବା ବେଳେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛି। ପୁଲିସ କୁନାଲ ରହୁଥିବା ‌ହଷ୍ଟେଲ୍‌ ରୁମ୍‌କୁ ସିଲ୍‌ କରିଥିବା ବେଳେ ତାର ମୋବାଇଲ୍‌ ଜବତ କରିଛି। ଆସନ୍ତାକାଲି ସାଇଣ୍ଟିଫିକ୍‌ ଟିମ୍ ସେଠାରେ ପହଞ୍ଚି ତଦନ୍ତ କରିବ ବୋଲି ସୂଚନା ମିଳିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।