ବନ୍ତଳା: ଲକ୍ଷେ ଟଙ୍କା ପାଇଁ କଟକର ଏକ ଘରୋଇ ହସ୍ପିଟାଲରେ ଅନୁଗୁଳର ଜଣେ ଯୁବକଙ୍କର ଶବ ବନ୍ଧା ପଡ଼ିଥିଲା। ଏନେଇ ସମ୍ବାଦରେ ଖବର ପ୍ରକାଶିତ ପରେ କଟକର ସବୁ ସଂଗଠନର ମିଳିତ ଉଦ୍ୟମରେ ନର୍ସିଂହୋମ ଶବ ହସ୍ତାନ୍ତର କରିଛି।
ସାମାଜିକ ସଂଗଠନର ସଦସ୍ୟମାନେ ଆଜି ସେଠାରେ ପହଞ୍ଚି ଘଟଣା ସମ୍ପର୍କରେ ମୃତ୍ୟୁ ଯୁବକଙ୍କର ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ। ତେବେ ୨୪ ଘଣ୍ଟା ପରେ ଆଜି ଦିନ ପ୍ରାୟ ସାଢ଼େ ୧୧ଟା ବେଳକୁ ମେଡିକାଲରୁ ଶବ ଉଦ୍ଧାର କରାଯାଇଛି।
ସୂଚନାଯୋଗ୍ୟ, ଅନୁଗୁଳ ବ୍ଲକ ବଡ଼କନ୍ଥକୁଳ ପଞ୍ଚାୟତର ଦୁର୍ଗମ ଗ୍ରାମ କରାବିରାଖୋଲର ଜଣେ ଯୁବକଙ୍କ ଶବ କଟକ ଜିଲ୍ଲାର ଏକ ଘରୋଇ ହସ୍ପିଟାଲରେ ବନ୍ଧା ପଡ଼ିଥିଲା। ଚିକିତ୍ସା ବେଳେ ଯୁବକଙ୍କର ମୃତ୍ୟୁ ହୋଇଥିଲା ବେଳେ ଚିକିତ୍ସା ଖର୍ଚ୍ଚ ବାବଦରେ ଲକ୍ଷେ ଟଙ୍କା ଦେବାକୁ ଡାକ୍ତରଖାନା ପକ୍ଷରୁ ବାଧ୍ୟ କରାଯାଇଥିଲା। କିନ୍ତୁ ଉକ୍ତ ଘରୋଇ ହସ୍ପିଟାଲକୁ ମୃତ୍ୟୁ ଯୁବକଙ୍କର ପରିବାର ଏତେ ଟଙ୍କା ଦେଇନପାରିବାରୁ ପରିବାରକୁ ଶବ ହସ୍ତାନ୍ତର କରିନଥିଲେ। କରାବିରାଖୋଲର ବିମଳ ପଧାନ(୨୨) ଗତ ୫ତାରିଖ ଦିନ ବାଇକ ଯୋଗେ ହିନ୍ଦୋଳକୁ ଯାଇଥିଲେ। ତେବେ ହିନ୍ଦୋଳ ଥାନା ନୁଆଁକୋଟ ପାଖରେ ତାଙ୍କ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ଫଳରେ ବିମଳଙ୍କ ମୁଣ୍ଡର ପଛ ପାର୍ଶ୍ଵରେ ଗଭୀର ଆଘାତ ଲାଗିଥିଲା। ପରିବାର ଲୋକେ ପ୍ରଥମେ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତାଙ୍କ ଅବସ୍ଥା ସେଠାରେ ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ପରିବାର ଲୋକେ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଆଇସିୟୁରେ ଚିକିତ୍ସା ଚାଲିଥିବା ବେଳେ ଗତକାଲି ସକାଳ ୯ଟା ବେଳେ ବିମଳଙ୍କ ମୃତ୍ୟୁ ଘଟିଥିଲା। ପୂର୍ବରୁ ଚିକିତ୍ସା ବାବଦରେ ୩୫ ହଜାର ଦିଆଯାଉଥିବା ବେଳେ ପୁଣି ଏକ ଲକ୍ଷ ଟଙ୍କା ଦେବାକୁ ଡାକ୍ତରଖାନା ପକ୍ଷରୁ ଦାବି କରାଯାଉଥିବା ମୃତ୍ୟୁ ଯୁବକଙ୍କର ଭାଇ ନିର୍ମଳ ପଧାନ ପ୍ରକାଶ କରିଥିଲେ। କିନ୍ତୁ ଏତେ ଟଙ୍କା ପରିବାର ପକ୍ଷରୁ ଦିଆଯାଇପାରିନଥିଲା। ଫଳରେ ମେଡିକାଲ କର୍ତ୍ତୃପକ୍ଷ ଶବ ଦେବାକୁ ମନା କରିଦେଇଥିଲେ। ଏ ସମ୍ପର୍କରେ ଆଜି ସମ୍ବାଦରେ ଖବର ପ୍ରକାଶ ପରେ କଟକର ସ୍ବେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକ ଏହି ଘଟଣା ନେଇ ଆଲୋଚନା କରିବା ପରେ ମେଡିକାଲ ପକ୍ଷରୁ ଶବ ଛଡ଼ାଯାଇଥିଲା।