କଟକ : କଟକ ମହାନଗରରେ ଏକ କରୁଣ ତଥା ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଘରେ ଭିତରେ ପଡ଼ିପଡ଼ି ପ୍ରାଣ ହରାଇଥିବା ଜଣେ ବ୍ୟକ୍ତିଙ୍କୁ ସହାୟତା ମିଳିନାହିଁ। ଶେଷରେ, ସ୍ବେଚ୍ଛାସେବୀମାନେ ପ୍ରଥମେ କୋକେଇ ଓ ପରେ ଟ୍ରଲିରେ ନେଇ ସତ୍କାର କରିଛନ୍ତି।

Advertisment

ଏହି ବ୍ୟକ୍ତି ଜଣଙ୍କ ହେଲେ, ଶେଖବଜାର ଅଞ୍ଚଳର ବାସିନ୍ଦା ସୀମାଞ୍ଚଳ ବେହେରା(୩୫)। ତିନିବର୍ଷ ତଳେ ବିବାହ କରିଥିଲେ ସୀମାଞ୍ଚଳ । ତାଙ୍କର ପରିବାର କହିଲେ, ଗୋଟିଏ ଦୁଇବର୍ଷର ଝିଅ ଓ ଜଣେ ଭଉଣୀ। ପାରିବାରିକ କଳହ ଯୋଗୁ ସ୍ତ୍ରୀ ଝୁଲଣା ବେହେରା ବିବାହର ବର୍ଷକ ପରେ ତାଙ୍କ ବାପଘର ଶିଖରପୁରକୁ ଚାଲି ଯାଇଥିଲେ। ସୀମାଞ୍ଚଳଙ୍କ ଆର୍ଥିକ ଅବସ୍ଥାଦିନକୁ ଦିନ ଖରାପ ହୋଇ ଚାଲିଥିବାବେଳେ ସେ ବିଭିନ୍ନ କାରଣରୁ ଘରେ ପଡ଼ି ରହୁଥିଲେ। ଏମିତିକି ସେ ଆଉ ଘରର ବିଦ୍ୟୁତ ବିଲ୍‌ ଦେଇ ନପାରିବାରୁ ଦୁଇବର୍ଷ ହେଲା ତାଙ୍କ ଘରୁ ବିଦ୍ୟୁତ ସଂଯୋଗ ବିଭାଗ ପକ୍ଷରୁ କାଟି ଦିଆଯାଇଛି। ଅସହ୍ୟ ଗରମ, ଗୁଳୁଗୁଳି ସହ ବିଭିନ୍ନ କାରଣରୁ ସୀମାଞ୍ଚଳଙ୍କ ସ୍ୱାସ୍ଥ୍ୟଅବସ୍ଥା ଖରାପ ହୋଇପଡ଼ିଥିଲା। ଶେଷ‌ରେ, ସେ ପ୍ରାଣ ହରାଇଥିବା ଜଣାପଡ଼ିଛି।

publive-image

ଏ ସଂପର୍କରେ ଖବର ପାଇ ସୀମାଞ୍ଚଳଙ୍କ ସ୍ତ୍ରୀ ସେଠାରେ ଆସି ପହଞ୍ଚିଥିଲେ। ହେଲେ ରାତି ୧୧ଟା ପର୍ଯ୍ୟନ୍ତ ଘରେ ଶବ ପଡି ରହିଥିବା ବେଳେ କେହି ସାହାଯ୍ୟ ସହଯୋଗ କରିବାକୁ ଆଉ ଆସି ନଥିଲେ। ଏଭଳି ସ୍ଥିତିରେ କୌଣସି ସୂତ୍ରରୁ ଖବର ପାଇ ହିନ୍ଦୁସେନା ସାମଜିକ ସଙ୍ଗଠନର ସଦସ୍ୟ ସେଠାରେ ପହଞ୍ଚି ମହାପ୍ରଣାୟ ଗାଡି ଓ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ବି ତାହା ସମ୍ଭବ ହୋଇ ନଥିଲା। ଫଳରେ, ସେମାନେ ପ୍ରଥମେ ସୀମାଞ୍ଚଳଙ୍କ ଶବକୁ କୋକେଇରେ କିଛି ବାଟ ନେଇଥିଲେ। କିନ୍ତୁ ଶରୀର ଓଜନ ଅଧିକ ହେବାରୁ ବାଧ୍ୟହୋଇ ଶବକୁ ଟ୍ରଲିରେ ନେଇ ସତୀଚଉରା ଶ୍ମଶାନରେ ସତ୍କାର କରିଥିଲେ।
ଏଭଳି ଘଟଣା ସଂପର୍କରେ ଖବର ପାଇ ଦିନକ ପରେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଉକ୍ତ ପରିବାରକୁ ଦେବାର ବ୍ୟବସ୍ଥା କରିଥିଲେ। ଏହା ଏକ ଅତ୍ୟନ୍ତ ଦୁଃଖଦ ଘଟଣା ବୋଲି କହିଛନ୍ତି ଜିଲ୍ଲାପାଳ ଡ. ଭବାନୀ ଶଙ୍କର ଚୟନୀ।

ଅନ୍ୟପଟେ ହିନ୍ଦୁସେନାର ସମ୍ପାଦକ ଦେବାଶିଷ ରାଉତ କହିଛନ୍ତି ଯେ, ଘଟଣା ସମ୍ପର୍କରେ ଜଣେ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ସେ ଓ ତାଙ୍କ ସହଯୋଗୀ ଘଟଣାସ୍ଥଳରେ ପହଞ୍ଚି ଥିଲେ। ମହାପ୍ରୟାଣ ଗାଡ଼ି ଅଥବା ଆମ୍ବୁଲାନ୍ସ ବ୍ୟବସ୍ଥା ସମ୍ଭବ ନ ହେବାରୁ ସେମାନେ ସତ୍କାର ବ୍ୟବସ୍ଥା ନିଜପଟୁ କରିଥିଲେ।