ବ୍ୟାସନଗର: ଯାଜପୁର ରୋଡ ରେଳଷ୍ଟେସନ ୫ ନମ୍ବର ପ୍ଲାଟଫର୍ମରେ ଦୁଇଦିନ ହେଲାଣି ଅଜଣା ଯୁବକଙ୍କ ମୃତଦେହ ପଡ଼ି ରହିଛି। ମୃତ ଯୁବକଙ୍କ ବୟସ ୩୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। କଳା ରଙ୍ଗର ଗଞ୍ଜି ଓ ମାଟିଆ ରଙ୍ଗର ପ୍ୟାଣ୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି। ପ୍ୟାକେଟରେ ବାଟୁଳି ରହିଛି। ତାଙ୍କ ପରିଚୟ ମିଳିନାହିଁ। ତେବେ ମୃତଦେହ ଦୁଇଦିନ ପଡ଼ିରହିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ଜିଆରପି ଥାନା ନିକଟରୁ ମାତ୍ର ଶହେ ମିଟର ଦୂର ଓ ରେଳବାଇ ପୁଲିସ ବରାକ ସମ୍ମୁଖରେ ଘଟଣା ଘଟିଥିଲେ ମଧ୍ୟ ସେମାନେ କେହି ଅବଗତ ନହେବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯୁବକଙ୍କ ମୁଣ୍ଡରୁ ରକ୍ତସ୍ରାବ ହେଉଥିବାବେଳେ ପୋକ ସାଲୁବାଲୁ ଅବସ୍ଥା ହୋଇଛି। ମାଲଗୋଦାମ ପାର୍ଶ୍ବରେ ମଦ ବିକ୍ରି ହେଉଥିବାରୁ ମଦ ପିଇ ଅନେକ ସମୟରେ ଗଣ୍ଡଗୋଳ ଘଟିଥାଏ। ତେଣୁ ଏହା ଏକ ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ଚର୍ଚ୍ଚା ହେଉଛି। ଗଣମାଧ୍ୟମରୁ ଖବର ପାଇ ଆରପିଏଫ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ କରି ଫ୍ରିଜରରେ ରଖିଥିବା ସୂଚନା ଦେଇଛି। ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।