ଝରିଗାଁ : ଧର୍ମ ପରିବର୍ତ୍ତନ କରିଥିବାରୁ ପରିବାରର ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିବା ପରେ ଶବଦାହ ପାଇଁ ଶ୍ମଶାନ ମିଳି ନଥିଲା। ଏଥିଯୋଗୁଁ ଘରେ ପ୍ରାୟ ୩୪ ଘଣ୍ଟା ଶବ ପଡ଼ି ରହିଲା। ପ୍ରଶାସନ ଓ ପୁଲିସ ଘଟଣାର ସମାଧାନ ନିମନ୍ତେ ଉଦ୍ୟମ କରିଥିଲେ ହେଁ କୌଣସି ସୁଫଳ ମିଳି ନଥିଲା। ତେଣୁ ବୃଦ୍ଧଙ୍କୁ ଶବକୁ ସ୍ବାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା। ଶେଷରେ ପ୍ରଶାସନ ପକ୍ଷରୁ ୫୦ ଘଣ୍ଟା ପରେ ଶବଦାହ କରାଯାଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଧୋଡ୍ରା ପଞ୍ଚାୟତ ଅନ୍ତର୍ଗତ ଗୁଲିବଡ଼ନା ଗ୍ରାମରେ।

Advertisment

ସୂଚନା ଅନୁସାରେ, ଗୁଲିବଡ଼ନା ଗ୍ରାମର ଜିତରୁ ଭତ୍ରାଙ୍କ ପରିବାର ଗତ କିଛିବର୍ଷ ତଳେ ନିଜ ଧର୍ମ ପରିବର୍ତ୍ତନ କରି ଅନ୍ୟ ଏକ ଧର୍ମ ଗ୍ରହଣ କରିଥିଲେ। ଏହି ଖବର ପାଇବା ପରେ ଧର୍ମ ପରିବର୍ତ୍ତନ ନ କରି ନିଜ ଧର୍ମରେ ସାମିଲ ହେବା ପାଇଁ ଗ୍ରାମବାସୀ ଜିତରୁଙ୍କ ପରିବାରକୁ କହିଥିଲେ। କିନ୍ତୁ, ପରିବାର ଲୋକ କିଛି ଶୁଣି ନଥିଲେ। ଅନ୍ୟପଟେ ଶୁକ୍ରବାର ସକାଳ ୮ଟାରେ ବାର୍ଦ୍ଧକ୍ୟଜନିତ କାରଣରୁ ଜିତରୁଙ୍କ ମୃତ୍ୟୁ ହେବାପରେ ପରିବାର ଲୋକ ଗାଁ ଶ୍ମଶାନରେ ଶବ ସତ୍କାର ପାଇଁ ପ୍ରସ୍ତୁତ ହେଉଥିଲେ। ଧର୍ମ ପରିବର୍ତ୍ତନ କରିଥିବାରୁ ଗାଁ ଶ୍ମଶାନରେ ଜିତରୁଙ୍କ ଶବଦାହ ହୋଇପାରିବ ‌ନାହିଁ ବୋଲି ଗ୍ରାମବାସୀ ମନା କରି ଦେଇଥିଲେ। ଏଥିଯୋଗୁଁ ଘର ଭିତରେ ହିଁ ଜିତରୁଙ୍କ ଶବ ପଡ଼ି ରହିଥିବା ବେଳେ ଗାଁ ଶ୍ମଶାନରେ ଶବଦାହ କରାଇ ନଦେବା ପାଇଁ ଗ୍ରାମବାସୀ ରାତିତମାମ ନିଆଁ ଜାଳି ଜଗି ରହିଥିଲେ। ଏହାକୁ କେନ୍ଦ୍ରକରି ଗାଁରେ ଉତ୍ତେଜନା ଦେଖା ଦେଇଥିଲା। ଅନ୍ୟ କେଉଁଠି ଶବ ନେଇ ଅନ୍ତିମ ସଂସ୍କାର କରିବା ପାଇଁ ଗତକାଲି ସକାଳେ ଗ୍ରାମବାସୀ ପରିବାର ଲୋକଙ୍କୁ କହିଥିଲେ।

ଏହି ଖବର ପାଇ ଗତକାଲି ଝରିଗାଁ ତହସିଲଦାର ଭୀମସେନ ମାଝୀ, ଉମରକୋଟ ଏସ୍‌ଡିପିଓ ଶୁଭେନ୍ଦୁ କୁମାର ଶବର, ଉମରକୋଟ ଥାନା ଅଧିକାରୀ ଦୀପକ କୁମାର ଜେନା, ଅତିରିକ୍ତ ତହସିଲଦାର ଚିନ୍ମୟ ସାଗର ପ୍ରମୁଖ ଗୁଲିବଡ଼ନା ଗ୍ରାମରେ ପହଞ୍ଚି ଗ୍ରାମବାସୀ ଏବଂ ମୃତକଙ୍କ ପରିବାର ଲୋକଙ୍କୁ ବୁଝାସୁଝା କରିଥିଲେ। ଧର୍ମ ପରିବର୍ତ୍ତନ କରିଥିବାରୁ ଜିତରୁଙ୍କ ଶବଦାହ ଗାଁ ଶ୍ମଶାନରେ ହେବନାହିଁ ବୋଲି ଗ୍ରାମବାସୀ ରୋକ୍‌ଠୋକ୍‌ ଶୁଣାଇଥିଲେ। ପ୍ରଶାସନ ଓ ପୁଲିସ ଅଧିକାରୀ ୫ ଘଣ୍ଟା ଧରି ବୁଝାସୁଝା କରିବା ପରେ ମଧ୍ୟ କୌଣସି ସମାଧାନ ନ ହେବାରୁ ଜିତରୁଙ୍କ ଶବକୁ ଗାଁ ଶେଷ ମୁଣ୍ଡ‌କୁ ନେଇ ଏକ ଖୋଲା ସ୍ଥାନରେ ଅନ୍ତିମ ସଂସ୍କାର କରିବା ପାଇଁ ଯୋଜନା କରାଯାଇଥିଲା। କିନ୍ତୁ, ଏହି ସ୍ଥାନଟି ପଡ଼ୋଶୀ ନିରପଦର ଗ୍ରାମର ଜମି ହୋଇଥିବାରୁ ଗ୍ରାମବାସୀ ଆସି ଶବ ସତ୍କାର ପାଇଁ ମନା କରିଦେଇଥିଲେ। ଫଳରେ, ଶବ ବହୁ ସମୟ ପର୍ଯ୍ୟନ୍ତ ଖୋଲା ଆକାଶ ତଳେ ପଡ଼ି ରହିଥିଲା। ଶେଷରେ ପ୍ରଶାସନ ପକ୍ଷରୁ ଗତକାଲି ରାତିରେ ଜିତରୁଙ୍କ ଶବକୁ ଆମ୍ବୁଲାନ୍ସରେ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନେଇ ଶବାଗାରରେ ରଖାଯାଇଥିଲା। ଆଜି ସକାଳୁ ପୁଣି ପ୍ରଶାସନ ଘଟଣାରେ ହସ୍ତକ୍ଷେପ କରି ମୃତକଙ୍କ ପରିବାର ସହିତ ଆଲୋଚନା କରି ଶେଷରେ ଧୋଡ୍ରା ପଞ୍ଚାୟତର ଭୀମାଗୁଡ଼ା ଶ୍ମଶାନରେ ବୃଦ୍ଧଙ୍କ ଶବ ସତ୍କାର କରିଥିବା ଜଣାପଡ଼ିଛି।