ହଜିଗଲା ମାନବିକତା: କରୋନା ଭୟରେ ୧୪ ଘଣ୍ଟା ପଡିରହିଲା ମହିଳାଙ୍କ ଶବ

ବାପା କୋଭିଡ କେୟାରରେ, ଘରେ ବିଧବା ଝିଅର ମୃତଦେହ

ଭଞ୍ଜନଗର: ମହାମାରୀ କରୋନା ସମଗ୍ର ବିଶ୍ବ ମାନବ ସମାଜକୁ  କବଳିତ କରିଛି। ସମାଜର ପ୍ରତିଟ କ୍ଷେତ୍ରକୁ କରୋନା ପ୍ରଭାବିତ କରିଥିବା ବେଳେ ଜୀବନ ଜୀବିକା ସଂପୂର୍ଣ୍ଣ ଭାବେ ଦୁର୍ବିସହ ହୋଇପଡିଛି। ଏଥିସହ କରୋନା ସମୟରେ ଏଭଳି ଅନେକ ଘଟଣା ନଜରକୁ ଆସିଥିବା ବେଳେ ଆଉ ଏକ ଘଟଣାର ଫର୍ଦ୍ଦ ଯୋଡି ହୋଇଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳର। ବାପା କୋଭିଡ କେୟାର ଥିବା ବେଳେ ଘରେ ଏକାକୀ ବୁଢି ମା ନିଜ ଝିଅର ମୃତ ଦେହ ପାଖରେ ପାଖାପାଖି ପ୍ରାୟ ୧୪ ଘଣ୍ଟା ଧରି ବସି ରହିବା ଘଟଣା ସଭ୍ୟ ସମାଜର ମାନବିକାତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି।

ଭଞ୍ଜନଗର ବ୍ଳକ୍ ଅଧିନ ଗୋଲାପଡା ଗ୍ରାମର ଅରକ୍ଷୀତ ପ୍ରଧାନ(୭୫)ଙ୍କ ମଝିଆ ଝିଅ ସଂଯୁକ୍ତା ସ୍ବାଇଁ(୫୨)ର ଗତକାଲି ଆକସ୍ମିକ ମୃତ୍ୟୁ ଘଟିଛି। ଅରକ୍ଷୀତଙ୍କ ନିକଟରେ କରୋନା ଲକ୍ଷଣ ଦେଖାଯିବାରୁ ତାଙ୍କୁ ବ୍ଳକ୍ ପ୍ରଶାସନ ପକ୍ଷରୁ ଗତ ଗୁରବାର ଦିନ କୋଭିଡ କେୟାରକୁ ପଠାଯାଇଥିଲା। ଏହାପରେ ଗତକାଲି ଦିନ ୧୧ଟାରେ ସଂଯୁକ୍ତାଙ୍କ ହଠାତ୍ ମୃତ୍ୟୁ ହୋଇଯାଇଥିଲା। ସଂଯୁକ୍ତା ବେଲଗୁଣ୍ଠା ବ୍ଳକ୍ ଅଧିନ କୁରମ ପଢାଳରେ ବିବାହ କରିଥିବା ବେଳେ ତାଙ୍କ ସ୍ବାମୀଙ୍କ ବହୁ ବର୍ଷ ପୂର୍ବରୁ ମୃତ୍ୟୁ ଘଟିଛି। ତେଣୁ ସେ ଗୋଲାପଡାରେ ଆସି ବାପା ମାଁଙ୍କ ପାଖରେ ରହୁଥିଲେ।

ତେବେ କିଛି ଦିନ ତଳେ ତାଙ୍କ ବଡ ଭଉଣୀ ଦେହ ଖରାପ ଥିବାରୁ ସଂଯୁକ୍ତା ଓ ମା ସରସ୍ବତୀ ଉଭୟେ ମିଶି ଭୂବନେଶ୍ବର ଡାକ୍ତରଖାନାକୁ ଦେଖା କରିବାକୁ ଯାଇଥିଲେ। ବଡ ଭଉଣୀଙ୍କ ଚିକିତ୍ସାଧନ ଅବସ୍ଥା କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ତେଣୁ ଭୂବନେଶ୍ବରରୁ ଫେରିବା ପରେ ପ୍ରଶାସନ ପକ୍ଷର ସଂଯୁକ୍ତା ଓ ସରସ୍ବତୀଙ୍କର ସ୍ବାବ୍ ପରୀକ୍ଷା କରାଯାଇଥିଲା। ଗତ ୨ତାରିଖ ଦିନ ମା ସରସ୍ବତୀଙ୍କ ରିପ‌ୋର୍ଟ ପଜିଟିଭ୍ ଆସିଥିବା ବେଳେ ସଂଯୁକ୍ତାଙ୍କ ରିପୋର୍ଟ ନେଗେଟିଭ୍ ଆସଥିଲା। ସରସ୍ବତୀ କୋଭିଡ କେୟାରରେ ରହିବା ପରେ କିଛି ଦିନ ତଳେ ସୁସ୍ଥ ହୋଇ ଘରକୁ ଫେରିଥିଲେ।

କରୋନା ଭୟରେ ସାମାଜିକ ଶୃଙ୍ଖଳ ଦିନକୁ ଦିନ ଭୂଶୁଡିବାରେ ଲାଗିଛି। ଗାଁ ଗାଁରେ ବିଗିଡିବାରେ ଲାଗିଛି ସାମାଜିକ ସନ୍ତୁଳନ। ବିପଦ ଆପଦରେ ପାଖରେ ଠିଆ ହେଉଥିବା ସାହି ଭାଇ ପାଖ ପଡୋଶୀ ମଧ୍ୟ ସଂକ୍ରମଣ ଭୟ ଆଶଙ୍କା କରି ପାଖ ମାଡୁ ନାହାନ୍ତି। ବିପଦ ସମୟରେ ମୁହଁ ଫେରାଇ ନେଉଛନ୍ତି। ସହରୀ ଜୀବନ ଶୈଳୀ ଅପେକ୍ଷା ଗ୍ରାମାଞ୍ଜଳ ଲୋକ ମାନଙ୍କ ପାଖରେ ଥିବା ଭାଇଚାରା ଓ ଆତ୍ମିୟତାକୁ ପୂର୍ବରୁ ଉଦାହରଣ ଦିଆଯାଉଥିଲା। କିନ୍ତୁ କରୋନା କାଳରେ ଗାଁ ଲୋକ ମାନଙ୍କ ଠାରୁ ସେହି ଅବେଗତା ଦୂରେଇ ଯାଉଥିବା ଦେଖିବାକୁ ମିଳିଛି।

ଗତକାଲି ସଂଯୁକ୍ତାର ମୃତ୍ୟୁ ହେବା ପରେ କରୋନା ଆଶଙ୍କା କରି ସାହି ପଡୋଶୀ ଗ୍ରାମବାସୀ କେହି ଶବ ସଂସ୍କାର ପାଇଁ ଆସିନଥିବା ଅଭିଯୋଗ ହୋଇଛି। ଦିନ ୧୧ଟାରୁ ଏହି ଖବର ସମସ୍ତେ ଜାଣିବାକୁ ପାଇଥିଲେ ସୁଦ୍ଧା ଭୟରେ କେହି ଶବଦାହ ପାଇଁ ପାଦ ଆଗକୁ କାଢିନଥିଲେ। ଘରେ ଏକାକୀ ଥିବା ବୃଦ୍ଧା ସରସ୍ବତୀଙ୍କ ପାଖରେ ସଂଯୁକ୍ତାଙ୍କ ଶବ ପଡି ରହିଥିଲା। ଏହି ଖବର ପାଇ ଥାନା ଅଧିକାରୀ ସୁଦିପ୍ତ କୁମାର ସାହୁ,ଏସ୍ଆଇ ନିରଞ୍ଜନ ଦାସ ଓ ସମୀର କୁମାର ବେହେରା ଗୋଲାପଡାକୁ ଯାଇଥିଲେ। ସେଠାରେ ସଂଯୁକ୍ତାର ଶବ ଦାହ କରିବା ପାଇଁ ଗ୍ରାମବାସୀଙ୍କୁ ନିବେଦନ କରିଥିଲେ। ସରପଞ୍ଚଙ୍କ ସହାୟତାରେ କିଛି ଗ୍ରାମବାସୀଙ୍କୁ ବୁଝାଶୁଝା କରିବା ପରେ ପିପିଇ କିଟ୍ ପରିଧାନ କରି ୪ ଜଣ ଗ୍ରାମବାସୀ ଶବ କାନ୍ଧେଇ ଥିବା ବେଳେ ଅନ୍ୟକିଛି ଗ୍ରାମବାସୀ ଶବଦାହ ଆନୁଷଙ୍ଗିକ ବ୍ୟବସ୍ଥା କରିଥିଲେ। ବିଳମ୍ବିତ ରାତିରେ ଗାଁ ଶ୍ମଶାନରେ ସଂଯୁକ୍ତାଙ୍କ ଶବ ଦାହ କରାଯାଇଥିଲା।

ଏସଂର୍ପକରେ ସରପଞ୍ଚ ପ୍ରତିନିଧି ରଙ୍କନିଧି ପ୍ରଧାନ କହିଛନ୍ତି ଯେ ପୂର୍ବରୁ ତାର ମାଙ୍କ ପଜିଟିଭ୍ ବାହାରିଥିବା ବେଳେ ବର୍ତ୍ତମାନ ବାପା କୋଭିଡ କେୟାରରେ ଥିବାରୁ ଗ୍ରାମବାସୀ ଅନିଚ୍ଛା ପ୍ରକାଶ କରିଥିଲେ। ଏନେଇ ସଂଯୁକ୍ତା ବିବାହ କରିଥିବା ଗ୍ରାମରେ ଖବର ଦିଆଯାଇଥିଲେ ମଧ୍ୟ ସେମାନେ ଆସିବେ କହି ବିଳମ୍ବିତ ରାତି ପର୍ଯ୍ୟନ୍ତ କେହି ଆସିନଥିଲେ। ଏହାପରେ ପୁଲିସ ଉପସ୍ଥିତିରେ ରାତି ଗ‌ୋଟାଏରେ ଶବ ଦାହ କରାଯାଇଥିଲା।

ସମ୍ବନ୍ଧିତ ଖବର