ଭଞ୍ଜନଗର/ସୋରଡ଼ା: ପ୍ରଥମେ ଅପହରଣ। ପରେ ନିର୍ମମ ହତ୍ୟା। ଘଟଣାକୁ ଲୁଚାଇବାକୁ ଯାଇ ଘାଟି ଉପରେ ମୃତଦେହକୁ ଫୋପାଡିବା ଭଳି ସୁପରିକଳ୍ପିତ ଯୋଜନା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ-କନ୍ଧମାଳ ସୀମାନ୍ତ ଗାଜଲବାଡିରୁ ଦାରିଙ୍ଗବାଡିକୁ ସଂଯୋଗ କରିଥିବା ଘାଟି ଉପରେ। ଦାରିଙ୍ଗବାଡି ଘାଟିର ୯ମ ବୁଲାଣିର ରାସ୍ତାକଡରୁ ରବିବାର ମୃତଦେହ ଉଦ୍ଧାର କରିଛି ପୁଲିସ୍। ମୃୃତକ ହେଲେ ଭଞ୍ଜନଗର ଷ୍ଟେଟ୍ ବ୍ୟାଙ୍କ ଠାରେ ଦୋକାନ କରିଥିବା ବ୍ୟବସାୟୀ ହିତେନ୍ ସ୍ବାଇଁ(୪୮)। ଭଞ୍ଜନଗର ସହରରୁ ଗତ ମଙ୍ଗଳବାର କେହି ଅପହରଣ କରି ନେଇଥିଲେ। ପୁଲିସ ପରିବାରକୁ ଜଣାଇବା ପରେ ପରିବାର ଲୋକ ମୃତଦେହ ଚିହ୍ନଟ କରିଛନ୍ତି। ପୁଲିସ୍ ସାଇଣ୍ଟିଫିକ୍ ଟିମ୍ ଆସି ଛାନଭିନ୍ କରୁଛନ୍ତି। ମୃତଦେହ ପଚିଯାଇଥିବାରୁ ବ୍ରହ୍ମପୁର ଏଫ୍ଏମ୍‌ସିକୁ ପଠାଯାଇଥିବା ଥାନା ଅଧିକାରୀ ଧୀରେଶ କୁମାର ଦାସ କହିଛନ୍ତି।

Advertisment

ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ହିତେନକୁ ଗତ ମଙ୍ଗଳବାର ଅପରାହ୍ନରେ ଭେଜିପୁଟ ଇଲାକାର ଜଣେ ଯୁବକ ସୋଲାର ପ୍ରକଳ୍ପ ସଂର୍ପକରେ କଥା ହେବା ନେଇ ଘରୁ ଡାକି ନେଇଥିଲା। ଏହାପରେ ପରିବାର ଲୋକେ ହିତେନ ସହ ଯୋଗାଯୋଗ କରିଥିଲେ ବି ବିଫଳ ହୋଇଥିଲେ। ସେହି ଦିନ ରାତିରେ ହିତେନଙ୍କ ପତ୍ନୀ ମିନତୀ କୁମାରୀ ବିଷୋୟୀ ସ୍ବାମୀଙ୍କ କୌଣସି ଖୋଜ ଖବର ମିଳୁନଥିବାରୁ କେହି ତାଙ୍କୁ ଅପହରଣ କରିଥିବା ସନ୍ଦେହରେ ଭଞ୍ଜନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପରେ ପୁଲିସ୍ ନମ୍ବର ୭୦୦ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପ୍ରଥମେ ଜଣଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା କରିଥିବା ବେଳେ ପରବର୍ତ୍ତି ସମୟରେ ଯୁବକ ସାଙ୍ଗରେ ଯାଇଥିବା ସ୍ଥାନ ଗୁଡିକର ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ସହ ହିତେନକୁ ଖୋଜିବା ଆରମ୍ଭ କରିଥିଲା। ବିଭିନ୍ନ ସ୍ଥାନରେ ଚଢଉ କରିଥିଲେ ମଧ୍ୟ  କୌକଣସି ସନ୍ଧାନ ପାଇପାରିନଥିଲ। ହିତେନଙ୍କ ମୋବାଇଲ ଲୋକେସନ୍ ଆଧାରରେ ତଦନ୍ତ ଆଗକୁ ବଢାଇଥିଲେ ମଧ୍ୟ ତାହା ବନ୍ଦ ଥିବାରୁ ତଦନ୍ତ ପ୍ରକ୍ରିୟା ଆଗକୁ ବଢି ପାରୁନଥିଲା।

ତେବେ ୫ ଦିନ ପରେ ଆଜି ଦାରିଙ୍ଗିବାଡି ଘାଟିରେ ମୃତଦେହ ପଡିଥିବା ଖବର ପାଇ ଥାନା ଅଧିକାରୀ ଶ୍ରୀ ଦାସଙ୍କ ସହ ଭଞ୍ଜନଗର ଓ ସୋରଡ଼ା ପୁଲିସ୍ ସେଠାକୁ ଯାଇ ଯାଞ୍ଚ ଆରମ୍ଭ କରିଥିଲେ। ହତ୍ୟାକାରୀମାନେ ତାଙ୍କୁ ହତ୍ୟା କରି ଘାଟି ତଳକୁ ଫୋପାଡି ଦେଇଥିବା ପୁଲିସ୍ ଅନୁମାନକରୁଛି। କାହିଁକି ଆଉ କିଏ ତାଙ୍କୁ ହତ୍ୟା କଲା ତାହା ପୁଲିସ୍ ସ୍ପଷ୍ଟ କରିନାହିଁ। ତେବେ ହିତେନ ବ୍ୟବସାୟ କରୁଥିବା ବେଳେ ଅର୍ଥ ନେଣଦେଣ କାରବାରକୁ ନେଇ କେହି ହତ୍ୟା କରିଥିବା ଅନୁମାନ କରାଯାଉଛି। ପୁଲିସ ଅପହରଣ ମାମଲାକୁ ହତ୍ୟା ମାମଲାରେ ପରିବର୍ତ୍ତନ କରି ତଦନ୍ତ କରାଯାଉଛି ବୋଲି ଶ୍ରୀ ଦାସ ପ୍ରକାଶ କରିଛନ୍ତି।