ସୋର: ବାଲେଶ୍ବର ଜିଲ୍ଲା ସୋର ପୌରାଞ୍ଚଳ ରାଇପୁର ଗ୍ରାମରୁ ନିଖୋଜ ଅଢେ଼ଇ ବର୍ଷର ଶିଶୁ ଶୁଭମର ମୃତଦେହ ପାଖାପାଖି ୨୪ ଘଣ୍ଟା ପରେ ଉଦ୍ଧାର କରାଯାଇଛି। ଆଜି ସକାଳୁ ଘର ନିକଟରେ ଥିବା ପୋଖରୀକୁ ଶୁଖାଯାଉଥିଲା। ହେଲେ ସେଠାରୁ ତାର ପତ୍ତା ମିଳି ନଥିଲା। ହେଲେ ପାଖରେ ଥିବା ଅନ୍ୟ ଏକ ଗଡ଼ିଆ ଭିତରୁ ଶୁଭମର ମୃତଦେହ ଉଦ୍ଧାର ହୋଇଛି। ତାର ବେକରେ କ୍ଷତ ଚିହ୍ନ ଥିବାରୁ ତାକୁ କେହି ହତ୍ୟା ଗଡ଼ିଆରେ ଫଙ୍ଗି ଦେଇଥିବା ଅନୁମାନ କରାଯାଉଛି। ହେଲେଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କଥା ଜଣାଯିବ।
ସୂଚନାଯୋଗ୍ୟ, ଗତକାଲି ମଧ୍ୟାହ୍ନରେ ରାଇପୁର ଗ୍ରାମର ମୋହନ ସାହୁଙ୍କ ଅଢେ଼ଇ ବର୍ଷର ଶିଶୁପୁତ୍ର ଶୁଭମ ଘର ନିକଟରେ ଖେଳୁଥିଲା। ଶୁଭମର ଭଉଣୀ ଶୌଚ ହେବାକୁ ଯାଇ ଫେରିବା ପରେ ଶୁଭମକୁ ଦେଖିବାକୁ ନ ପାଇ ଘର ଲୋକଙ୍କୁ ଡାକି ଥିଲେ। ପରେ ପରେ ବିଭିନ୍ନ ସ୍ଥାନରେ ଖୋଜିବା ସହିତ ଅପହରଣ କିମ୍ବା ଚୋରି ସନ୍ଦେହରେ ରେଳ ଷ୍ଟେସନ,ବସଷ୍ଟାଣ୍ଡ ପଡ଼ିଶା ଘର ଆଦି ବିଭିନ୍ନ ସ୍ଥାନରେ ଖୋଜି ନିରାଶ ହୋଇ ସୋର ପୁଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିକଟରେ ଥିବା ଗୋଟିଏ ଗଡ଼ିଆ ଓ ଦୁଇଟି ପୋଖରୀ ସମେତ ଭିନ୍ନ ଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ମାତ୍ର ଏପର୍ଯ୍ୟନ୍ତ ଶିଶୁ ପୁତ୍ରର କୌଣସି ଖବର ମିଳିନଥିଲା।