ହାଇସ୍କୁଲ କୋଠରୀରୁ ଝୁଲନ୍ତା ଅବସ୍ଥାରେ କଲେଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

ଚିତ୍ରଡା: ହାଇସ୍କୁଲ ଭିତରୁ କଲେଜ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି ।ଏଭଳି ଘଟଣାଟି ଘଟିଛି ଆଜି ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅଧିନ ନୂଆଗାଁସ୍ଥିତ ହରପ୍ରସାଦ ସରକାରୀ ଉଚ୍ଚ ବିଦ୍ୟାଳୟରେ। ବିଦ୍ୟାଳୟ ପରିସରରେ ଥିବା ଏକ ରୁମ ଭିତରେ ଜନୈକ କଲେଜ ଛାତ୍ରୀଙ୍କ ମୃତଦେହ ଝୁଲୁଥିବାର ଆଜି ଅପରାହ୍ନ ୪ଟା ସମୟରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଖବର ପାଇ ସଙ୍ଗେ ସଙ୍ଗେ ଏନେଇ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

ଖବରରୁ ପ୍ରକାଶ କି ଉକ୍ତ ବିଦ୍ୟାଳୟରେ ପିଅନ ଭାବେ କିଛିଦିନ ପୂର୍ବରୁ ଏହି ବ୍ଲକ ଅଧିନ ବାଉଁଶକଣ୍ଟିଆ ଗ୍ରାମର ସ୍ବର୍ଗତ ଚୈତନ୍ୟ ସିଂଙ୍କ ସ୍ତ୍ରୀ ଦୁଲାଲୀ ସିଂ ଯୋଗଦେଇଥିବା ବେଳେ ଦୁଳାଲୀ ତାଙ୍କ ଗୋଟିଏ ଝିଅ ଏବଂ ଗୋଟିଏ ପୁଅ ସହିତ ତିନିଜଣ ଉକ୍ତ ବିଦ୍ୟାଳୟ ପରିସରରେ ଏକ ଘରେ ରହୁଥିଲେ। ଆଜି ଅପରାହ୍ନ ପ୍ରାୟ ୪ ଟା ସମୟରେ ବିଦ୍ୟାଳୟ ଛୁଟି ହେବା ସମୟରେ କିଛି ଜଣ ଛାତ୍ରଛାତ୍ରୀ ଉକ୍ତ ରୁମର ଝରକାକୁ ଦେଖିବାରୁ ରୁମ ଭିତରେ ଦୁଲାଲୀଙ୍କ ଝିଅଙ୍କ ଶବ ଝୁଲୁଥିଲା। ପ୍ରଧାନଶିକ୍ଷକଙ୍କୁ ସେମାନେ ଜଣାଇଥିଲେ। ପ୍ରଧାନଶିକ୍ଷକ କୁଳମଣି ଭୋଇ ସଙ୍ଗେ ସଙ୍ଗେ ଘଟଣା ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ସଙ୍ଗେ ସଙ୍ଗେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

ତେବେ ମୃତ ଛାତ୍ରୀ ଜଣକ ପିଅନ ଦୁଲାଲୀଙ୍କ ଝିଅ ସବିତା ସିଂ ବୋଲି ଜଣାପଡ଼ିଥିବା ବେଳେ ସେ ଫାଶୀ ଲଗାଇ ହୋଇ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ସେ ସମ୍ପର୍କରେ ପୁଲିସ ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି। ମାଜିଷ୍ଟ୍ରେଟ ଭାବରେ ମୋରଡା ଅତିରିକ୍ତ ତହସିଲଦାର ପ୍ରଦ୍ୟୁମ୍ନ ଜେନାଙ୍କ ଉପସ୍ଥିତିରେ ପୁଲିସ ଶବ ଜବତ କରି ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିବା ସହ ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ପଠାଇଥିବା ଜଣାପଡିଛି। ପୁଲିସ ଘଟଣାସ୍ଥଳରେ ଅଧିକ ତଦନ୍ତ ଜାରି ରଖିବା ସହ ମୃତ ଛାତ୍ରୀଙ୍କ ମା’, ଭାଇ, ଶିକ୍ଷକ/ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀମାନଙ୍କୁ ପଚରାଉଚୁରା ଜାରି ରଖିଥିବା ଜଣାପଡିଛି। ମୃତ ଛାତ୍ରୀ ସବିତା ଗଡ଼ିଆ କଲେଜରେ ପାଠ ପଢ଼ୁଥିବା ବେଳେ ବାପା ଚୈତନ୍ୟ ସିଂ ଙ୍କ ମୃତ୍ୟୁ ପରେ ତାଙ୍କ ମା’ ଦୁଲାଲୀ ରିହାବିଲିଟେସନରେ ଚାକିରି ପାଇ ଗତ କିଛି ଦିନ ପୂର୍ବରୁ ଉକ୍ତ ବିଦ୍ୟାଳୟରେ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର