କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ କରୋନାରେ ଆକ୍ରାନ୍ତ ମୃତକଙ୍କ ଅନ୍ତିମ ସଂସ୍କାର କରିବେ ରାଜ୍ୟ ସରକାର: ସୁବ୍ରତ ବାଗଚୀ

ଭୁବନେଶ୍ୱର: କରୋନା ଭାଇରସରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଥିବା ବ୍ୟକ୍ତିମାନଙ୍କର ଶବ ସଂସ୍କାର ପାଇଁ କେନ୍ଦ୍ର ସରକାର ଏକ ନିଦ୍ଦେର୍ଶନାମା ଜାରି କରିଛନ୍ତି । ଏହି ନିଦ୍ଦେର୍ଶନାମା ଆଧାରରେ କରୋନା ସଂକ୍ରମିତ ଯେଉଁ ହସ୍ପିଟାଲରେ ମୃତ୍ୟୁବରଣ କରିଥିବେ, ସେଠାରେ ମେଡିକାଲ ଟିମ ଦ୍ୱାରା ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ଡାକ୍ତରଖାନା ପକ୍ଷରୁ ମରଶରୀରକୁ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରାଯିବ । ଏହା ପରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାର କରୋନା ସଂକ୍ରମଣରେ ମୃତ ବ୍ୟକ୍ତିଙ୍କ ଶବ ସଂସ୍କାର କରିବେ । ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ସରକାରଙ୍କ କୋଭିଡ-୧୯ର ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗଚୀ ଏହି ସୂଚନା ଦେଇଛନ୍ତି ।

ଏଥିସହ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି ଯେ,  ସମସ୍ତ ରାଜ୍ୟବାସୀ ଏପ୍ରିଲ ୯ ତାରିଖ ସକାଳ ପରଠାରୁ ବାହାରକୁ ବାହାରିଲେ ବାଧ୍ୟତାମୂଳକ ଭାବେ ମୁହଁରେ ମାସ୍କ ପିନ୍ଧିବେ। କିଣା ମାସ୍କ ନହେଲେ ବି ପୁରୁଣା କପଡାରୁ ମଧ୍ୟ ମାସ୍କ ତିଆରି କରାଯାଇପାରିବ । ଲୁଣ ପକାଇ ପାଣି ଫୁଟାଇବେ ଏବଂ ଏଥିରେ ୫ମିନିଟ ପର୍ଯ୍ୟନ୍ତ ରଖି ଖରାରେ ଶୁଖାଇବା ପରେ ମାସ୍କକୁ ରଖିବେ । ମାସ୍କ ପିନ୍ଧିବା ପୂର୍ବରୁ ସ୍ୱତନ୍ତ୍ର ଧ୍ୟାନ ଦିଆଯିବା ଦରକାର ବୋଲି ଶ୍ରୀ ବାଗଚୀ କହିଛନ୍ତି । ସେ କହିଛନ୍ତି ଯେ, ଶ୍ୱାସ ରୋଗୀ ଓ ୨ ବର୍ଷରୁ କମ ପିଲାଙ୍କୁ ମାସ୍କ ପିନ୍ଧାଯିବ ନାହିଁ । ବାହାରୁ ଆସିଲେ ମାସ୍କକୁ ଗରମ ପାଣି ଓ ସାବୁନରେ ଧୋଇ ୫ ଘଣ୍ଟା ଖରାରେ ଶୁଖାଇବେ । ଅବ୍ୟବହୃତ ମାସ୍କକୁ ମାଟିରେ ପୋତିବେ ବୋଲି ଶ୍ରୀ ବାଗତୀ କହିଛନ୍ତି ।

କୋଭିଡ-୧୯ ମୁଖ୍ୟ ମୁଖପାତ୍ର ଶ୍ରୀ ବାଗଚୀ କହିଛନ୍ତି, ଇଟାଲୀରେ ସର୍ବାଧିକ ୧୩ ଲକ୍ଷ ୨ ହଜାର ୫୪୭ ଜଣ କରୋନା ଭାଇରସ ସଂକ୍ରମିତ ହୋଇଥିବା ବେଳେ ୧୬ ହଜାର ୫୨୩ଜଣଙ୍କ ମୃତ୍ୟୁ ହୋଇଛି । ଏଠାରେ ଏତେ ସଂଖ୍ୟାରେ ମୃତ୍ୟୁର କାରଣ ହେଲା ଲୋକଙ୍କୁ ସାଧାରଣ ହସ୍ପିଟାଲରେ ରଖାଯାଇଥିଲା । ଏହି ସମସ୍ୟା ରାଜ୍ୟରେ ନ ହେଉ ସେଥିପାଇଁ ଓଡ଼ିଶା ସରକାର ସ୍ୱତନ୍ତ୍ର କୋଭିଡ-୧୯ ହସ୍ପିଟାଲ ଖୋଲିଛନ୍ତି । ଏ ପର୍ଯ୍ୟନ୍ତ ୭ଟି କୋଭିଡ-୧୯ ହସ୍ପିଟାଲ ଖୋଲାଯାଇ ସାରିଛି । ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆହୁରି କୋଭିଡ-୧୯ ହସ୍ପିଟାଲ ଖୋଲାଯିବ ।

ଶ୍ରୀ ବାଗଚୀ କହିଛନ୍ତି, ସଂକ୍ରମଣ ଭୟରେ ଲୋକେ ଏବେ ଏସିସିବି, କ୍ୟାପିଟାଲକୁ ମଧ୍ୟ ଆସିବା ପାଇଁ ଭୟ କରୁଛନ୍ତି । କିନ୍ତୁ ଭୟ କରିବାର କୌଣସି କାରଣ ନାହିଁ । କାରଣ ରାଜ୍ୟ ସରକାର କରୋନା ସଂକ୍ରମଣ ପାଇଁ ସ୍ୱତନ୍ତ୍ର ହସ୍ପିଟାଲ ଖୋଲିଛନ୍ତି । ଲୋକେ ନିର୍ଭୟରେ କ୍ୟାପିଟାଲ ହସ୍ପିଟାଲ ଓ ଏସସିବି ଯାଆନ୍ତୁ ।

ସମ୍ବନ୍ଧିତ ଖବର