ଦିବ୍ୟାଙ୍ଗ ଦଳିତ ବୃଦ୍ଧଙ୍କ ମୃତଦେହ ନଦୀରୁ ଉଦ୍ଧାର, ପିତାଙ୍କ ଶବକୁ ଟ୍ରଲିରେ ଘରକୁ ନେଲେ ୨ ଝିଅ

ଭୁବନ: ବିଲିକୁ ଧାନ ତଳି ପୋତିବାକୁ ଯାଇ ସୋମବାର ଅପରାହ୍ନରେ ଫେରି ନଦୀକୁ ଗାଧୋଇବାକୁ ଯାଇ ବୁଡ଼ିଯାଇଥିବା ଦିବ୍ୟାଙ୍ଗଙ୍କ ମୃତଦେହ ମଙ୍ଗଳବାର ଉଦ୍ଧାର ହୋଇଛି। ଦିବ୍ୟାଙ୍ଗ ଚାଷୀଙ୍କ ମୃତଦେହକୁ ବ୍ରାହ୍ମଣୀ ନଦୀର ନିଳକଣ୍ଠପୁର ଗାଧୁଆତୁଠରୁ ଅଗ୍ନିସମ ବିଭାଗର କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର କରାଯାଇ ୧୦୮ ଯୋଗେ ଡାକ୍ତରଖାନା ନିଆଯାଇ ପୋଷ୍ଟମର୍ଟମ କରାଯାଇଛି ।

ଖବର ନେବାରୁ ଜଣାପଡ଼ିଛି ଯେ ଢେଙ୍କାନାଳ ଜିଲା ଭୁବନ ଥାନା ଅନ୍ତର୍ଗତ କଣପାଳ ପଚାଂୟତର ନିଳକଣ୍ଠପୁର ଗ୍ରାମର ଦୈତାରୀ ମଲ୍ଲିକ (୬୦) ପୁରୁଷୋତ୍ତମପୁର ଗ୍ରାମକୁ ଧାନ ତଳି ପୋତିବା ପାଇଁ ସୋମବାର ଯାଇଥିଲେ । ସେ କାମସାରି ଅପରାହ୍ନ ୪ଟା ୩୦ରେ ଘରକୁ ଫେରୁଥିଲେ । ସନ୍ଧ୍ୟା ସୁଦ୍ଧା ଘରକୁ ନଫେରିବାରୁ ପରିବାର ଲୋକ ଖୋଜାଖୋଜି କରିଥିଲୋ ଆଜି ଗାଧୁଆ ତୁଠ ନିକଟରେ ଦୈତାରୀଙ୍କ ଶବ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ।

ଘଟଣାସ୍ଥଳରେ ମହୁଳପାଳ ରାଜସ୍ୱ ନୀରିକ୍ଷକ ଗୋରୀଶଙ୍କର ପରିଡା, ଏସ.ଆଇ ପଙ୍କଜ ମାଝି ପହଞ୍ଚି ତଦନ୍ତ କରି ଶବ ବ୍ୟବଛେଦ ନିମନ୍ତେ ପଠାଇଥିଲେ । ସୂଚନାଯୋଗ୍ୟ ଦୈତାରୀଙ୍କ ୩ଟି ଝିଅ ବିବାହିତା। ପୁଅ ନଥିବାରୁ ପରିଣତ ବୟସରେ ନିଜେ ରୋଜଗାର କରି ଘର ଚଳାଉଥିଲେ । ପକ୍କା ଘରଖଣ୍ଡେ ପାଇଁ ବାରମ୍ବାର ପ୍ରଶାସନକୁ ଜଣାଇଥିଲେ । ଦୈତାରୀ ମଲା ସିନା ପକ୍କା ଘରଖଣ୍ଡେ ତାଙ୍କୁ ମିଳିଲା ନାହିଁ । ଦୁଇ ଝିଅ ଦୈତାରୀର ଶବକୁ ଟ୍ରଲିରେ ପକାଇ ନିଜ ଗ୍ରାମକୁ ନେଇଥିଲେ । ଭୁବନ ହସ୍ପିଟାଲରେ ମହାପ୍ରୟାଣ ଗାଡିର ବ୍ୟବସ୍ଥା ନଥିବାରୁ ଓ ପରିବାରର ଆର୍ଥିକ ପରିସ୍ଥିତି ସ୍ୱଚ୍ଛଳ ନଥିବାରୁ ଦଳିତ ବୃଦ୍ଧ ଦୈତାରୀଙ୍କୁ ଝିଅମାନେ ଟ୍ରଲିରେ ଘରକୁ ନେଇ ଯାଇଥିଲେ।

ସମ୍ବନ୍ଧିତ ଖବର