ରାଉରକେଲା/କୋଇଡ଼ା: ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ଥମୁନି ହାତୀ ମୃତ୍ୟୁ। ଆଜି ବଣାଇ ବନଖଣ୍ଡ କୋଇଡ଼ା ରେଞ୍ଜ ଅନ୍ତର୍ଗତ ଅରାଘାଟ ପାରମସାହି ନିକଟସ୍ଥ ଧାନ ବିଲ ପାର୍ଶ୍ବରୁ ଦନ୍ତାହାତୀର ମୃତଦେହ ଠାବ ହୋଇଛି। ୨୦ ବର୍ଷର ଦନ୍ତାହାତୀର ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ଶୁଣ୍ଢରେ ଆଘାତ ଚିହ୍ନ ଓ ପାରିପାର୍ଶ୍ବିକ ସ୍ଥିତିରୁ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ବଣାଇ ଡିଏଫ୍‌ଓ ଲଳିତ କୁମାର ପାତ୍ର ସୂଚନା ଦେଇଛନ୍ତି। ଆର୍‌ସିସିଏସ୍‌ ଅରୁଣ ମିଶ୍ର, ବଣାଇ ଡିଏଫ୍‌ଓ ଲଳିତ କୁମାର ପାତ୍ର, ଏସିଏଫ୍‌ ସୁଶାନ୍ତ କୁମାର ଜେନା ପହଞ୍ଚି ଘଟଣାର ତଦନ୍ତ ଚଳାଇଛନ୍ତି। ଲହୁଣିପଡ଼ା ବନ୍ୟପ୍ରାଣୀ ଡାକ୍ତରୀ ଟିମ୍‌ ପହଞ୍ଚି ବ୍ୟବଚ୍ଛେଦ କରିବା ପରେ ଘଟଣାସ୍ଥଳରେ ମୃତ ହାତୀକୁ ପୋତି ଦିଆଯାଇଛି।

Advertisment

ଗତ ଦୁଇ ବର୍ଷ ପୂର୍ବରୁ ଏହି ସ୍ଥାନରେ ଦନ୍ତାହାତୀର ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ଏହା ପୂର୍ବରୁ ମେଣ୍ଢାମାରୁଣି ଜଙ୍ଗଲ ଓ କୁସୁମୁଡିହି ଜଙ୍ଗଲରେ ବିଷାକ୍ତ ଖାଦ୍ୟ ଗୋଟିଏ ଲେଖାଏଁ ହାତୀର ମୃତ୍ୟୁ ହୋଇଥିଲା। ମିଳିଥିବା ସୂଚନା ମୁତାବକ କୋଇଡ଼ା ରେଞ୍ଜ ଗଣୁଆ ବିଟ୍‌ ଅରାଘାଟ ପାରମସାହି ନିକଟରେ କଳମଗ ଜଙ୍ଗଲ ରହିଛି। ପ୍ରତିଦିନ ଏହି ଜଙ୍ଗଲ ଦେଇ ହାତୀପଲ ଯାତାୟତ କରିଥାନ୍ତି। ଜଙ୍ଗଲ ପାଖକୁ ଲାଗିଥିବା ଧାନ ବିଲକୁ ଆସି ଧାନ ଖାଇଥାନ୍ତି। ଆଜି ସକାଳେ ପାରମସାହି ନିକଟସ୍ଥ ଧାନବିଲ ପାର୍ଶ୍ବରେ ଦନ୍ତାହାତୀର ମୃତଦେହ ପଡ଼ିଥିବା ଦେଖି ଗାଁ ଲୋକ ବନ ବିଭାଗକୁ ସୂଚନା ଦେଇଥିଲେ। ଗାଁ ଲୋକଙ୍କଠାରୁ ସୂଚନା ପାଇଁ ଆର୍‌ସିସିଏଫ୍‌ ଅରୁଣ କୁମାର ମିଶ୍ର, ବଣାଇ ଡିଏଫ୍‌ଓ ଲଳିତ କୁମାର ପାତ୍ର ଓ ବିଦ୍ୟୁତ୍‌ ବିଭାଗର ବରିଷ୍ଠ ଅଧିକାରୀ ପହଞ୍ଚିଥିଲେ। ଶୁଣ୍ଢରେ ଗଭୀର ଆଘାତ ଲାଗିଥିବାରୁ କେଉଁ ପରିସ୍ଥିତିରେ ଦନ୍ତାହାତୀର ମୃତ୍ୟୁ ହେଲା ତଦନ୍ତ ଆରମ୍ଭ କରିଛନ୍ତି। ଯେଉଁଠି ଦନ୍ତାହାତୀର ମୃତଦେହ ଠାବ ହୋଇଥିଲା ତା’ପାଖକୁ ଲାଗି ଧାନ ବିଲ ରହିଛି।

ଧାନ ବିଲକୁ ହାତୀ ଦାଉରୁ ରକ୍ଷା କରିବାକୁ ଚାଷୀ ଜଣକ ତାର ଜାଲି ଘେରାବନ୍ଦୀ ରଖିଥିଲେ। ତେଣୁ ତାର ଜାଳିରେ ବିଦ୍ୟୁତ୍‌ ସଂଯୋଗ ହୋଇଥିଲା କି ନାହିଁ, ତା’ର ମଧ୍ୟ ବିଦ୍ୟୁତ୍‌ ବିଭାଗ ଯାଞ୍ଚ କରୁଛନ୍ତି। ସେପଟେ ବାରମ୍ବାର ହାତୀମୃତ୍ୟୁକୁ ନେଇ ବୁଦ୍ଧିଜୀବୀ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ଉଲ୍ଲେଖଯୋଗ୍ୟ, ଗତ ୬୪ ମାସ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାର ବଣାଇ, ରାଉରକେଲା ଓ ସୁନ୍ଦରଗଡ଼ ବନଖଣ୍ଡରେ ମୋଟ ୩୪ ହାତୀଙ୍କ ମୃତ୍ୟୁ ହୋଇଛି। କେବଳ ବଣାଇ ବନଖଣ୍ଡରେ ୬୪ ମାସରେ ୧୯ ହାତୀର ମୃତ୍ୟୁ ହୋଇଛି। ୨୦୨୦ ଓ ୨୦୨୨ରେ ୪ଟି ଲେଖାଏଁ ହାତୀର ମୃତ୍ୟୁ ହୋଇଛି। ଗତ ୨୦୨୧ ମାର୍ଚ୍ଚରୁ ୨୦୨୩ ଅକ୍ଟୋବର ମଧ୍ୟରେ କୋଇଡ଼ାରେ ୪ଟି, ଜର୍ଡା ରେଞ୍ଜରେ ୩ଟି, ତାମଡ଼ା ରେଞ୍ଜରେ ଗୋଟିଏ ହାତୀ ମୃତ୍ୟୁ ହୋଇଛି। ହାତୀଙ୍କ ସୁରକ୍ଷାକୁ ନେଇ ସରକାର ଚିନ୍ତିତ ଥିବାବେଳେ ବନ ବିଭାଗର ଅବହେଳାରୁ ଏଭଳି ହାତୀଙ୍କ ସଂଖ୍ୟା ହ୍ରାସ ପାଉଥିବା କୁହାଯାଉଛି।