ଛେଣ୍ଡିପଦା : ଜରପଡ଼ା ରେଞ୍ଜ ପରା ସଂରକ୍ଷିତ ଜଙ୍ଗଲରୁ ବନ ବିଭାଗ ଶନିବାର ଦିନ ଏକ ଦନ୍ତାହାତୀର ମୃତଦେହ ଜବତ କରିଛି। ବିଭାଗ ସୂତ୍ରରୁ ପ୍ରକାଶ, ଜରପଡ଼ା ଓ ପରା ଗାଁ ସୀମାନ୍ତ ମାଳିମୁଣ୍ଡା ନିକଟ ଜଙ୍ଗଲରେ ଆଜି ଅପରାହ୍ଣ ୨ଟାରେ ଦନ୍ତାହାତୀର ମୃତଦେହ ପଡ଼ିଥିବା ଗ୍ରାମବାସୀ ଦେଖିଲେ। ଏ ସଂପର୍କରେ ସେମାନେ ବନ ବିଭାଗ ଅଧିକାରୀଙ୍କୁ ଜଣାଇଥିଲେ। ଜରପଡ଼ା ରେଞ୍ଜର୍ ମାଧବ ନାଏକ, ଏସି୍ଏଫ ରଞ୍ଜନ କୁମାର ବେହେରା, ଡିଏଫ୍ଓ ଭି. ଭି. କୁମାର ଘଟଣାସ୍ଥଳରେ ପହଞ୍ଚି ହାତୀର ମୃତଦେହ ଜବତ କରିବା ସହ ଏ ସଂପର୍କରେ ତଦନ୍ତ କରିଥିଲେ। ହାତୀ ଶୁଣ୍ଢରେ କ୍ଷତ ଚିହ୍ନ ରହିଛି। କୌଣସି ଚାଷୀ ଫସଲର ସୁରକ୍ଷା ପାଇଁ ବିଛାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଥାଇପାରେ ବୋଲି ପ୍ରାଥମିକ ତଦନ୍ତରୁ ସଂଦେହ କରାଯାଉଛ। ମୃତ ହାତୀର ବୟସ ୨୧ରୁ ୨୫ ବର୍ଷ ହେବ ବୋଲି ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି।
ସେହିପରି ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ କୁଲଡ଼ିହା ଅଭୟାରଣ୍ୟର ପଞ୍ଚଲିଙ୍ଗେଶ୍ୱର ଅଞ୍ଚଳରେ ଏକ ଗର୍ଭିଣୀ ହାତୀର ମୃତ୍ୟୁ ଘଟିଛି। ଶନିବାର ଭୋର୍ ପ୍ରାୟ ୩ଟା ସମୟରେ ନିକଟସ୍ଥ କଦମଶୋଳା ଗ୍ରାମବାସୀ ହାତୀର ଗର୍ଜନ ଶୁଣିବାକୁ ପାଇଥିଲେ। ହେଲେ ଭୟରେ କେହି ପଦାକୁ ବାହାରିନଥିଲେ। ବନ କର୍ମଚାରୀମାନେ ହାତୀର ଗର୍ଜନ ଶୁଣି ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ପାହାଡ଼ ପାଦଦେଶରୁ ହାତୀଟି ତଳକୁ ଖସିପଡ଼ି ପ୍ରାଣ ହରାଇ ସାରିଥିଲା। ମୃତ ମାଈହାତୀର ବୟସ ପ୍ରାୟ ୨୫ ବର୍ଷ ହେବ ବୋଲି ଅନୁମାନ କରାଯାଇଛି। ଘଟଣାସ୍ଥଳରେ ଏସିଏଫ୍ ଶୋଭନ ଚାନ୍ଦ, ରେଞ୍ଜର ଅନନ୍ତ ଚରଣ ଜେନା, ଫରେଷ୍ଟଗାର୍ଡ ମଞ୍ଜୁଲତା ପ୍ରଧାନ, ଶଶିକଳା ସାହୁଙ୍କ ଉପସ୍ଥିତିରେ ପ୍ରାଣୀ ଚିକିତ୍ସକ ମୃତ ହାତୀର ବ୍ୟବଚ୍ଛେଦ କରିଥିଲେ। ତେବେ ହାତୀ ମୃତ୍ୟୁର କାରଣ ସଂପର୍କରେ ବନ ବିଭାଗ ଏଯାଏ କିଛି ସ୍ପଷ୍ଟ କରିନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/elephant-2.jpg)