ବେଲପଡ଼ା: ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ୍ ଅନ୍ତର୍ଗତ ସୁଲେକେଲା ଗ୍ରାମରେ ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ପ୍ରକାଶ ଯେ, ସୁଲେକେଲା ଗ୍ରାମର କାହ୍ନୁ ମଲ୍ଲିକ ଓ ପତ୍ନୀ ଲକ୍ଷ୍ମୀପ୍ରିୟା ମଲ୍ଲିକ ପୁଅଝିଅଙ୍କୁ ନେଇ ତେଲେଙ୍ଗାନାକୁ ଇଟା ଗଢ଼ିବାକୁ ଯାଇଥିଲେ। ପୂର୍ବରୁ ସେମାନେ କାମ କରିବା ପାଇଁ ୮୦,୦୦୦ ଟଙ୍କା ବଇନା ନେଇଥିଲେ। ସେଠାରେ ପହଞ୍ଚିବା ପରେ ଇଟାଭାଟି ମାଲିକ ଟଙ୍କା ଅସୁଲ କରିବା ପାଇଁ ହାଡ଼ ଭଙ୍ଗା ପରିଶ୍ରମ କରାଇଥିଲା। କିଛି ଦିନ ପରେ କାହ୍ନୁଙ୍କ ଦେହ ଅସୁସ୍ଥ ହୋଇଥିବା ବେଳେ ଭାଟି ମାଲିକ ଛାଡ଼ି ନଥିଲା। ପରେ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ଭାଟି ମାଲିକ ଏକ ଗାଡ଼ି ଯୋଗେ କାହ୍ନୁଙ୍କୁ ଘରକୁ ପଠାଇ ଦେଇଥିଲା। ଘରେ ପହଞ୍ଚିବା ପରେ କାହ୍ନୁଙ୍କ ମୃତ୍ୟୁ ହୋଇଥିଲା। ତେବେ କାହ୍ନୁଙ୍କ ସହ ତାଙ୍କ ସ୍ତ୍ରୀ ଓ ତାଙ୍କ ଦୁଇ ଛୁଆ ଘରକୁ ଆସିଥିବା ବେଳେ ଟଙ୍କା ପାଇଁ ଇଟାଭାଟି ମାଲିକ ସେଠାରେ ଝିଅ ଅଙ୍କିତା ମଲ୍ଲିକକୁ ବନ୍ଧକ ରଖିଥିବା ଜଣାପଡ଼ିଛି। ବାକିତକ ଟଙ୍କା ଦେଲା ପରେ ତାକୁ ଛାଡ଼ିବ ବୋଲି କହୁଥିବା ପରିବାର ଲୋକେ ସୂଚନା ଦେଇଛନ୍ତି।
ଅପରପକ୍ଷରେ ପରିବାର ଲୋକଙ୍କ କହିବା ଅନୁସାରେ, ଜମି ବିକ୍ରି କରି ସେମାନେ ୫୦,୦୦୦ ଟଙ୍କା ଦେଇଥିବା ସତ୍ତ୍ବେ ଭାଟି ମାଲିକ ତାଙ୍କ ଝିଅକୁ ଏ ପର୍ଯ୍ୟନ୍ତ ଛାଡ଼ି ନାହିଁ। ଏ ସମ୍ପର୍କରେ ଖବର ପାଇ ସମାଜସେବୀ ସିପୁନ ଖମାରୀ ଗାଁରେ ପହଞ୍ଚି ଝିଅକୁ ତୁରନ୍ତ ଉଦ୍ଧାର କରିବାକୁ ଦାବି କରି କାହ୍ନୁଙ୍କ ଶବ ରଖି ପରିବାର ଲୋକଙ୍କ ସହ ଧାରଣାରେ ବସିଛନ୍ତି। ତେବେ ତୁରନ୍ତ ପ୍ରଶାସନ ତଥା ବିଭାଗୀୟ ଅଧିକାରୀ ଘଟଣାର ଗୁରୁତ୍ବକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ନେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି।