ବୀରମହାରାଜପୁର: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ହାଇଦ୍ରାବାଦର ଓଡ଼ିଆ ଛାତ୍ରୀ ମମିତା ନାଏକଙ୍କ ମରଶରୀର ବୁଧବାର ଅପରାହ୍ନରେ ଜନ୍ମମାଟିରେ ପହଞ୍ଚିଛି।  ମରଶରୀର ହାଇଦ୍ରାବାଦ୍‌ରୁ ବିମାନରେ ଭୁବନେଶ୍ବର ପହଞ୍ଚିଲା ପରେ ସେଠାରୁ ସଡ଼କପଥରେ ଏକ ଆମ୍ବୁଲାନ୍ସ ଯୋଗେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅଧିନ ସୁବଳୟା ଥାନା ଅନ୍ତର୍ଗତ ଡୁମୁରି ଗାଁକୁ ନିଆଯାଇଥିଲା।

Advertisment

ଜନ୍ମମାଟିରେ ମମିତାଙ୍କ ମରଶରୀର ପହଞ୍ଚିଲା ପରେ ଏଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। କାନ୍ଦ ବୋବାଳିରେ ମମିତାଙ୍କ ଘର ଫାଟି ଯାଇଥିଲା। ମମିତାଙ୍କ ସାଙ୍ଗସାଥୀ, ଗାଁ ପରିବାର ଏପରିକି ସ୍କୁଲ ଛାତ୍ରଛାତ୍ରୀ ଓ ଅଞ୍ଚଳର ବହୁ ମାନ୍ୟଗନ୍ୟ ବ୍ୟକ୍ତି ମମିତାଙ୍କ ପାର୍ଥିବ ଶରୀରକୁ ଶେଷ ଦର୍ଶନ କରିଥିଲେ। ଏହା ପରେ ମରଶରୀରକୁ ଅନ୍ତିମ ସଂସ୍କାର ପାଇଁ ମହାନଦୀର ଐତିହାସିକ ଗୋଧନେଶ୍ବର ଘାଟକୁ ନିଆଯାଇଥିଲା। ସେଠାରେ ମମିତାଙ୍କ ବାପା ଦୁଃଖୀଶ୍ୟାମ ନାଏକ ମରଶରୀରରେ ମୁଖାଗ୍ନି ଦେଇଥିଲେ। ଅନ୍ତିମ ସଂସ୍କାରରେ ବୀରମହାରାଜପୁରର ବ୍ଳକ ଅଧ୍ୟକ୍ଷ ଶାନ୍ତି ଲୁହା, ଉପାଧ୍ୟକ୍ଷ ନାରାୟଣ ଲୁହା, ଖଣ୍ଡହଥା ସମିତି ସଭ୍ୟ ବିନୋବା ନନ୍ଦ ପଧାନଙ୍କ ସମେତ ଶତାଧିକ ବନ୍ଧୁ ଓ ପରିବାର ଆତ୍ମିୟ ସ୍ବଜନ ଉପସ୍ଥିତି ଥିଲେ। ସେପଟେ ସ୍ଵର୍ଗତ ମମିତା ନାଏକଙ୍କ ମା’ ମରଶରୀର ଦେଖିବା ପରେ ସଂଜ୍ଞାହୀନ ହୋଇଯାଇଥିଲେ। ତାଙ୍କୁ ବୀରମହାରାଜପୁର ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

publive-image

ସୂଚନାଯୋଗ୍ୟ, ଦୁଖୀଶ୍ୟାମ ନାଏକଙ୍କ ତିନି ପୁଅରେ ଗୋଟିଏ ଝିଅ ମମିତା। ବ୍ୟବସାୟ କରି ଦୁଃଖୀଶ୍ୟାମ ପିଲାମାନଙ୍କୁ ଭଲ ପାଠ ପଢ଼ାଇଛନ୍ତି। ବଡ଼ପୁଅ ଦିବ୍ୟାଙ୍ଗ ହୋଇଥିବା ବେଳେ ଅନ୍ୟ ୨ ପୁଅ ପାଠ ପଢ଼ି ସାରି ବେରୋଜଗାର ଅଛନ୍ତି। ଝିଅ ମମିତା ଇଞ୍ଜିନିୟର ହୋଇ ପରିବାରର ଆର୍ଥିକ ସମସ୍ୟା ଦୂର କରିବେ ବୋଲି ଆଶା ରଖିଥିଲେ। କିନ୍ତୁ ତାଙ୍କର ସ୍ବପ୍ନ ପୂରା ହୋଇପାରିଲା ନାହିଁ ଦୁଃଖୀଶ୍ୟାମଙ୍କ ଦୁଃଖ ବଢ଼ିଯାଇଛି। ଆଇଆଇଟି-ହାଇଦ୍ରାବାଦ୍‌ର ହଷ୍ଟେଲ୍‌ ରୁମ୍‌ରେ ସୋମବାର ବେକରେ ରଶି ଲଗାଇ ଝୁଲିପଡ଼ିଥିଲେ ଓଡ଼ିଆ ଝିଅ ମମିତା ନାଏକ। ଆଇଆଇଟି ହାଇଦ୍ରାବାଦର ଅଧ୍ୟକ୍ଷ ମମିତାଙ୍କ ପରିବାର ଲୋକଙ୍କୁ ଏହି ଦୁଃଖଦ ଖବର ଜଣାଇଥିଲେ। ମମତାଙ୍କ କାକା ଜଜ୍ଞେଶ୍ବର ନାଏକ (ପ୍ରସାଦ) ଓ ସମାଜସେବୀ ଦାମୋଦର ହୋତା ହାଇଦ୍ରାବାଦ ଯାଇ ପହଞ୍ଚିବା ପରେ ଯାହା ଦେଖିଲେ ମମିତା କେବେ ଆତ୍ମହତ୍ୟା କରିନଥିବ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି କହିଛନ୍ତି। ପରିବାର ଲୋକେ ସୁସାଇଡାଲ୍ ନୋଟ୍ ସମ୍ପୁର୍ଣ୍ଣ ମିଥ୍ୟା ବୋଲି କହିବା ସହିତ ସିବିଆଇ ତଦନ୍ତ ଦାବି କରିଛନ୍ତି।

ମମିତା ଜଣେ ମେଧାବୀ ଛାତ୍ରୀ ଥିଲେ। ଚଳିତବର୍ଷ ଆଇଆଇଟି ହାଇଦ୍ରାବାଦରେ ଇଞ୍ଜିନିୟରିଂ ଛାତ୍ରୀ ଭାବେ ନିଜର ନାମ ଲେଖାଇଥିଲେ। ସେ ଜୁଲାଇ ୨୬ ତାରିଖରେ ଆଇଆଇଟିକୁ ଯାଇଥିଲେ। ସେ ହାଇଦ୍ରାବାଦ ଆଇଆଇଟିରେ ଫ୍ରି ସିଟ୍ ମଧ୍ୟ ପାଇଥିଲେ। କିନ୍ତୁ ମମତାଙ୍କ ମୃତ୍ୟୁକୁ ପରିବାର ଲୋକେ ସହଜରେ ଗ୍ରହଣ କରିପାରୁ ନାହାନ୍ତି।