ତାଳଚେର/ଭୁବନେଶ୍ବର: ତାମିଲନାଡ଼ୁର କୁନ୍ନୁରଠାରେ ଗତ ୮ ତାରିଖ ଦିନ ହେଲିକପ୍ଟର ଦୁର୍ଘଟଣାର ସିଡିଏସ୍ ବିପିନ୍ ରାୱତଙ୍କ ସହ ସହିଦ ହୋଇଥିବା ଓଡ଼ିଆ ଯବାନ ରାଣାପ୍ରତାପ ଦାସଙ୍କ ପାର୍ଥିବ ଶରୀର ଜନ୍ମମାଟିରେ ପହଞ୍ଚିଛି। ପାର୍ଥିବ ଶରୀର କୃଷ୍ଣଚନ୍ଦ୍ରପୁର ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ପାର୍ଥିବ ଶରୀର ଦର୍ଶନ କରିବା ପାଇଁ ବହୁ ଦୂରଦୂରାନ୍ତରୁ ଲୋକେ ଭିଡ ଲଗାଇଛନ୍ତି। ବିଭିନ୍ନ ଦଳର ନେତା ସମ୍ମାନ ଜଣାଇଛନ୍ତି। ତାଙ୍କୁ ଗାର୍ଡ ଅଫ୍ ଅର୍ନର ଦିଆଯାଇଛି। ସଂପର୍କୀୟ, ଶୁଭେଚ୍ଛୁ ଓ ସ୍ଥାନୀୟ ଲୋକ ଶ୍ମଶାନରେ ଅନ୍ତିମ ସମ୍ମାନ ଜଣାଇଛନ୍ତି। ଉପସ୍ଥିତ ଜନତାଙ୍କ ଆଖିରେ ଲୁହ ଦେଖାଯାଇଛି। ରାଣାପ୍ରତାପଙ୍କ ଅନ୍ତିମ ସଂସ୍କାର କୃଷ୍ଣଚନ୍ଦ୍ରପୁର ଗାଁରେ ହେବ।
ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ରାଣା ପ୍ରତାପଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ଶେଷ ଦର୍ଶନ କରିବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଣାଙ୍କ ଶେଷ ଦର୍ଶନ ପାଇଁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପହଞ୍ଚିଥିଲେ। ମନ୍ତ୍ରୀ ଅଶୋକ ପଣ୍ଡା ବି ବିମାନବନ୍ଦରରେ ପହଞ୍ଚିଥିଲେ। ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଓ ବରିଷ୍ଠ ବିଜେପି ନେତା ତଥା ବିଧାୟକ ଜୟ ନାରାୟଣ ମିଶ୍ର ପ୍ରମୁଖଙ୍କ ସମେତ କେତେକ ନେତା ମଧ୍ୟ ରାଣା ପ୍ରତାପଙ୍କ ଶେଷ ଦର୍ଶନ କରିବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ବିମାନ ବନ୍ଦରରେ ଓଡ଼ିଆ ଯବାନ ରାଣାପ୍ରତାପ ଦାସଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯାଇଥିଲା।
ଭୁବନେଶ୍ବରରୁ ରାଣାଙ୍କ ମରଶରୀରକୁ ତାଙ୍କ ଜନ୍ମମାଟି ତାଳଚେର କଣ୍ଢାଳ ପଞ୍ଚାୟତର କୃଷ୍ଣଚନ୍ଦ୍ରପୁର ଗାଁକୁ ନିଆଯାଇଥିଲା। ରାଷ୍ଟ୍ରୀୟ ମର୍ଯ୍ୟାଦା ଅନୁସାରେ ସେଠାରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯିବ। ଶ୍ରୀବତ୍ସ ଦାସଙ୍କ ପୁଅ ରାଣାପ୍ରତାପ ଦାସ ଗତ ୧୨ ବର୍ଷ ଧରି ଦେଶ ସେବା କରିଆସୁଥିଲେ। ସେ ଜୁନିୟର ୱାରେଣ୍ଟ ଅଫିସର ଥିଲେ। ୩ ବର୍ଷ ତଳେ ତାଙ୍କର ବିବାହ ହୋଇଥିଲା ଏବଂ ତାଙ୍କର ଗୋଟିଏ ୧ ବର୍ଷର ପୁଅ ଅଛି। ସେ ବିହାରର ଗୟାରେ ବିବାହ କରିଥିଲେ।