କପା କିଆରିରୁ ଜେଇଙ୍କ ମୃତଦେହ ଉଦ୍ଧାର, ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ସନ୍ଦେହ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ବନକାବିଅର ଗ୍ରାମର ଏକ କପା ଆଟରେ ବ୍ଲକରେ କାମ କରୁଥିବା କନିଷ୍ଠ ଯନ୍ତ୍ରୀ ସୁରେଶ ଚନ୍ଦ୍ର ସାହୁଙ୍କ ମୃତଦେହ ପଡିଥିବା ଜଣାପଡିଛି। ଖବର ପାଇ ପୁଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରୁଥିବା ବେଳେ ଜେଇ ସୁରେଶଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରି କପାକିଆରିରେ ପକାଇ ଦିଆ ଯାଇଥିବା ସନ୍ଦେହ କରା ଯାଉଥିବା ଜଣାପଡିଛି।

ପାଟଣାଗଡ଼ ବ୍ଲକ ସୋଲବନ୍ଧ ପଞ୍ଚାୟତ ବନକାବିଅର ଗ୍ରାମର ଏକ ନିଛାଟିଆ କପା କିଆରି ନିକଟକୁ ଜଣେ ଛେଳି ଚରୁଆଳି ଛେଳି ଚରାଇବା ପାଇଁ ନେଇଥିଲେ। ସେଠାକୁ ପହଞ୍ଚିବା ବେଳେ ଜଣକର ମୃତଦେହ ପଡିଥିବା ଦେଖି ତୁରନ୍ତ ଆଜି ମାଲିକ ବାରୁ ନାଗକୁ ଜଣାଇଥିଲେ। ପରେ ଗାଁ ଲୋକେ ଏହି ଖବର ପାଇ ଉକ୍ତ କପା କିଆରିରେ ପଡିଥିବା ମୃତଦେହକୁ ଦେଖିବା ପାଇଁ ଲୋକଙ୍କ ଭିଡ ଲାଗି ରହିଥିଲେ। ପରେ ପୁଲିସ ଖବର ପାଇ ଉକ୍ତ ସ୍ଥାନରେ ପହଞ୍ଚିଥିଲା। ସେଠାରେ ପହଞ୍ଚିବା ପରେ ମୃତଦେହ ଚିହ୍ନଟ କରିବା ପାଇଁ ଲୋକଙ୍କୁ କହିଥିଲା। ପରେ ଉକ୍ତ ମୃତଦେହଟି ଜେଇ ସୁରେଶ ଚନ୍ଦ୍ର ସାହୁଙ୍କ ବୋଲି ଜଣାପଡିଥିଲା। ମୃତ ଜେଇ ସାହୁଙ୍କ ବୋଲି ଜଣା ପଡିବା ପରେ ବ୍ଲକ କର୍ମଚାରୀ ତଥା ଅନ୍ୟ ଜେଇ ମାନେ ମଧ୍ୟ ପହଞ୍ଚିଥିଲେ। ଜେଇ ସାହୁ ବନେଇମୁଣ୍ଡା, ସୋଲବନ୍ଧ, ଧାତୁକ, ଯୋଗିମୁଣ୍ଡା ପଞ୍ଚାୟତ ଦାୟିତ୍ବରେ ଥିଲେ। ସେ କୌଣସି କାମରେ ଫିଲ୍ଡ ଭିତରକୁ ଯାଇଥିବା ବେଳେ ଆଉ ଫେରି ନ ଥିବା ଚର୍ଚା ହେଉଛି। ମୃତଦେହ ପଡିଥିବା ସ୍ଥାନରେ ଏକ ସୁପର ଏକ୍ସଏଲ ( ଓଡି ୦୩ ଜି ୧୩୪୫) ପଡିଥିବା ଦେଖିବାକୁ ମିଳିଛି।

ସେହିପରି ଗାଡିରେ ଏକ ବ୍ୟାଗ୍ ଝୁଲୁଥିବା ଦେଖା ଦେଇଛି। ସୁରେଶ ଚନ୍ଦ୍ର ସାହୁଙ୍କ ଗ୍ରାମ ନିଆଳି ବ୍ଲକ ଗୋବିନ୍ଦପୁର ଥାନା ଅନ୍ତର୍ଗତ ଡିମିରି ଗୋପାଳପୁର ବୋଲି ଜଣାପଡିଛି। ସେ ଗତ ୩ ବର୍ଷ ହେବ ପାଟଣାଗଡ଼ ବ୍ଲକକୁ ବଦଳି ହୋଇ ଆସିଥିଲେ। ବ୍ଲକ କର୍ମଚାରୀଙ୍କ କହିବା ଅନୁଯାୟୀ ସୁରେଶ ଅତି ଭଦ୍ର ଓ ନମ୍ର ସ୍ବଭାବର ବ୍ୟକ୍ତି ଥିବା ବେଳେ ସେ ବେଆଇନ କାମକୁ ପ୍ରଶ୍ରୟ ଦେଉ ନ ଥିଲେ। ତେବେ ଜେଇ ସାହୁଙ୍କ ମୃତଦେହ ପଡିଥିବା ସ୍ଥାନ ଓ ତାଙ୍କ ଦେହରେ ଥିବା ଚିହ୍ନ ମାନଙ୍କୁ ଅନୁମାନ କଲେ କିଛି ଦୁର୍ବୃତ୍ତ ଯୋଜନାବଦ୍ଧ ଭାବେ ହତ୍ୟା କରି ନିଛାଟିଆ ତଥା ଜଙ୍ଗଲିଆ ସ୍ଥାନରେ ଥିବା କପା କିଆରି ଭିତରେ ପକାଇ ଦେଇଥିବା ନେଇ ସନ୍ଦେହ କରା ଯାଉଛି। ଦ୍ବିପ୍ରହର ୨ଟା ପରେ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରୁଥିବା ବେଳେ ତାଙ୍କ ପରିବାରବର୍ଗଙ୍କୁ ଖବର ଦିଆ ଯାଇଥିବା ଓ ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ କରିବା ପାଇଁ ପାଟଣାଗଡ଼ ଡାକ୍ତରଖାନାକୁ ଅଣାଯିବ ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର