ବନ୍ଦ ଘରୁ ମହିଳା କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗରେ କରୁଥିଲେ କାମ

ଭଞ୍ଜନଗର: ‘ବଦଳି ହୋଇଯିବ ଆଉ କିଛି ଦିନ ଗଲେ ଅଫିସ୍‌ରୁ ରିଲିଭ୍ ହୋଇଗଲେ ଘର ପାଖକୁ ଆସିବି’। ରଜ ଛୁଟି ସାରି ଏମିତି କିଛି ପରିବାର ଲୋକଙ୍କୁ କହି କାମକୁ ଫେରିଥିବା ବେଳେ ଆଜି ଝିଅର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି। ଆଉ ଝିଅର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ବାପା ମାଆ। ନିଜର ରୋଜଗାରିଆ ଯୁବତୀ ଝିଅର ଅକାଳ ବିୟୋଗରେ କାନ୍ଦ ବୋବାଳି ଫାଟି ଉଠିଥିଲା ସ୍ଥାନୀୟ ଇଲାକା। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଲଣ୍ଡେଇ ସାହି ୟୁନିଟ୍ ୩ ଏଭଳି ଏକ ଅଭାବନୀୟ ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ମୃତ ଯୁବତୀ ଜଣଙ୍କ ହେଲେ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ଜେ.ଅନୀତା(୩୪)।

ଅନୀତା ଏଠାରେ ଭଡା ଘରେ ରହୁଥିବା ବେଳେ ତାଙ୍କ ବାପା ଜେ.ସୁବାରାଓ ଏବଂ ମାଆ ଜେ.ତୁଳସୀ ବ୍ରହ୍ମପୁରରେ ରହୁଥିଲେ। ଅନୀତା ରହୁଥିବା ଭଡା ଘରର ବନ୍ଦ କଠୋରୀ ଭିତରୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଘର କବାଟ କଟାଯାଇ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏନେଇ କେସ୍ ନମ୍ବର ୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ଅନୀତା ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ଡିଭିଜନ-୧ରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କର ନିଜ ଘର ଦିଗପହଣ୍ଡି ଥାନା ପଦ୍ମନାଭପୁର ହୋଇଥିବା ବେଳେ ପରିବାର ବ୍ରହ୍ମପୁରରେ ରହୁଥିଲେ। ସେ ଗତବର୍ଷ ମାର୍ଚ୍ଚମାସରୁ ଏଠାରେ ଯୋଗଦେଇ ଥିଲେ। ବର୍ତ୍ତମାନ ତାଙ୍କର ବଦଳି ହୋଇଯାଇଥିବା ବେଳେ ଏଠାରୁ ରିଲିଭ୍ ହେଲେ ବ୍ରହ୍ମପୁର ଯାଇଥାନ୍ତେ ବୋଲି ତାଙ୍କ ବାପା ପ୍ରକାଶ କରିଛନ୍ତି। ତେବେ କେଉଁ କାରଣରୁ ତାର ମୃତ୍ୟୁ ହୋଇଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ଗତକାଲି ଠାରୁ ଅନୀତାଙ୍କ ଫୋନ୍ ସୁଇଚ୍ ଅଫ୍ ରହିଥିବା ବେଳେ ଗତ ଦୁଇଦିନ ଧରି ଅନୀତା ଘର କବାଟ ଭିତର ପଟୁ ଖୋଲି ନଥିବା ନେଇ କିଛି ସ୍ଥାନୀୟ ଲୋକ ତାଙ୍କ ପରିବାରକୁ ଖବର ଦେଇଥିବାଇ ବେଳେ ସେମାନେ ଆଜି ଭଞ୍ଜନଗର ଆସିଥିଲେ। ସେଠାରେ ଘର ବାହାରେ ଗନ୍ଧ ହେଉଥିବାରୁ ପୁଲିସକୁ ଖବର ଦିଆଯାଇଥିଲା।

ପୁଲିସ୍ ମଜିଷ୍ଟ୍ରେଟ୍ ସହକାରୀ ଜିଲ୍ଲାପାଳ ବିକାଶ ଚନ୍ଦ୍ର ଭୋଇଙ୍କ ଉପସ୍ଥିତିରେ ଘରର କବାଟ ଡ୍ରିଲିଂ ମେସିନ୍ରେ କାଟି ଘର ଭିତରକୁ ପଶିଥିଲେ। ସେଠରେ ଅନୀତା ମୃତଦେହ ପଙ୍ଖାରେ  ଝୁଲୁଥିବା ବେଳେ ଡ଼ାହାଣ ଗୋଡ ତଳେ ଏବଂ ବାମ ଗୋଡ଼ ଖଟ ଉପରେ ଲାଗି ରହିଥିଲା। ପାଖରେ କମ୍ପୁଟର ଟେବୁଲ୍ ରହିଥିବା ବେଳେକ ଟିଭି ତଳେ ରହିଥିଲା। ମୃତ୍ୟୁକୁ ଅନେକ ସମୟ ହୋଇଯାଇଥିବାରୁ ଦୁର୍ଗନ୍ଧ ବାହାରିବା ସହ ଜିଭ ବାହାରକୁ ଏବଂ ଡ଼ାହାଣ ଆଖି ବାହରକୁ ବାହାରି ରହିଥିବା ଦେଖିବାକୁ ପାଇଥିଲେ।

ସମ୍ବନ୍ଧିତ ଖବର