ବୈପାରିଗୁଡ଼ା: ପିଲାଟି ଦିନରୁ ବାପା-ମା’ଙ୍କୁ ହରାଇ ଥିବା ଗରିବ ଆଦିବାସୀ ଝିଅକୁ ହତ୍ୟା କରାଯାଇ ଏକ ନିମଗଛରେ ଝୁଲାଇ ଦେଇଥିବା ଅଭିଯୋଗ ଆଣିଛନ୍ତି ବଡ଼ଭାଇ। ଝିଅଟି କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନା ଅନ୍ତର୍ଗତ ନୂଆ ଘସର୍ଡା ଗ୍ରାମର ଗୌରୀ ମାଝୀ (୧୯)। ସେ ଜଣେ ଗରିବ ଆଦିବାସୀ ଝିଅ ହୋଇଥିବା ବେଳେ ନିଜ ଦୁଇ ଭଉଣୀ ଏବଂ ଗୋଟିଏ ଭାଇ ହେଉଛି ତାଙ୍କ ପରିବାର। ଆଉ ସେହି ପରିବାରର ପ୍ରତିପୋଷଣ ପାଇଁ ଜୟପୁର ଠାରେ ରହୁଥିବା ଥାନା ଆଇଆଇସି ମିତ୍ରଭାନୁ ମହାନ୍ତିଙ୍କ ଘରେ ଏକ ବର୍ଷ ହେବ କାମ କରିଆସୁଥିଲେ। ଶନିବାର ଦିନ ହଠାତ୍ ସେ କାହାକୁ ନକହି କୁଆଡେ ଚାଲିଯାଇଥିଲେ।

Advertisment

ଆଇଆଇସି ଶ୍ରୀ ମହାନ୍ତି ଗୌରୀଙ୍କୁ ବାରମ୍ବାର ଫୋନ୍ କରିବାପରେ ମଧ୍ୟ ତାଙ୍କ ନମ୍ବର ସୁଇଚ୍ ଅଫ୍ ଦେଖାଉଥିଲା। ଗୌରୀଙ୍କ ପରିବାର ଲୋକଙ୍କୁ ମଧ୍ୟ ଫୋନ୍ କରି ଯୋଗାଯୋଗ କରିବାରୁ ଘରକୁ ଆସିନଥିବା ପରିବାର ଲୋକେ କହିଥିଲେ। ବହୁତ ଖୋଜାଖୋଜି ପରେ ମଧ୍ୟ ଗୌରୀଙ୍କ ସନ୍ଧାନ ପାଇନଥିଲେ। ତେଣୁ ରବିବାର ଆଇଆଇସି ଶ୍ରୀ ମହାନ୍ତି ଜୟପୁର ଥାନାରେ ନିଖୋଜ ନେଇ ଏତଲା ଦେଇଥିଲେ। କିନ୍ତୁ ଆଜି ଗୌରୀଙ୍କ ନୂଆ ଘସର୍ଡା ଗ୍ରାମ ନିକଟରେ ଏକ ନିମ ଗଛରେ ଝୁଲନ୍ତା ଅବସ୍ଥାରେ ଗ୍ରାମ ଲୋକେ ଦେଖିବାକୁ ପାଇଥିଲେ।

publive-image

ଏହା ଆତ୍ମହତ୍ୟା ନୁହେଁ ବରଂ ହତ୍ୟା କରାଯାଇ ଗଛରେ ଟାଙ୍ଗି ଦିଆ ଯାଇଥିବା ଅଭିଯୋଗ ହେଇଛି। ପରିବାର ଲୋକଙ୍କ କହିବା ଅନୁଯାୟୀ ସଲପା ଗ୍ରାମର ଜଣେ ଯୁବକଙ୍କ ସହିତ ଗୌରୀଙ୍କ ସଂପର୍କ ଥିଲା ଏବଂ ଫୋନ୍ ଯୋଗେ କଥାବାର୍ତ୍ତା ହେଉଥିଲେ। ଏହା ସହିତ କୁନ୍ତୁରୁଖାଲ ନିକଟସ୍ଥ ରତାଖଣ୍ଡି ଗ୍ରାମର ଜଣେ ଯୁବକ ଗୌରୀ ଏବଂ ପରିବାର ଲୋକଙ୍କୁ ବାରମ୍ବାର ଫୋନ୍ କରି ବିରକ୍ତ କରୁଥିବା ଅଭିଯୋଗ ଏତଲାରେ ଉଲ୍ଲେଖ କରାଯାଇଛି। ଘଟଣାସ୍ଥଳରେ ପୁଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଜାରି ରଖିବା ସହ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।