ମାନେଶ୍ୱର(ସମ୍ବଲପୁର): ଅନେକ ସ୍ଥାନରେ ବିଭିନ୍ନ ସମୟରେ ନବଜାତ ଶିଶୁକନ୍ୟାଙ୍କୁ ଫୋପାଡ଼ି ଦେଇଥିବାର ଚିତ୍ର ଆପଣମାନେ ଦେଖିଥିବେ । ହେଲେ ଯେଉଁ ମା’ ୧୦ ମାସ ଗର୍ଭଧାରଣର କଷ୍ଟ ସହି ଶିଶୁ ଜନ୍ମ କରିଥାଏ । ତା ପାଇଁ ପୁଅ ହେଉ କି ଝିଅ ସମସ୍ତେ ସମାନ ଏବଂ ସେହି ଜନ୍ମ କଲା ଶିଶୁ ତାପାଇଁ ସବୁକିଛି ହୋଇଯାଏ । ସେଥିପାଇଁ ମା’କୁ ସବୁବେଳେ ଶ୍ରେଷ୍ଠ ମାନ୍ୟତା ଦିଆଯାଏ । ସରକାର ‘ବେଟି ବଚାଓ ବେଟି ପଢ଼ାଓ’ ଭଳି ନାରା ଦେବା ସହିତ ବେନର ପୋଷ୍ଟର ମାଧ୍ୟମରେ ବିଭନ୍ନ ପ୍ରକାର ସଚେତନ ବାର୍ତ୍ତା ଦେଇଥାନ୍ତି । ତଥାପି ଆଜିବି ଲୋକଙ୍କ ପାଖରେ ସଚେତନତାର ଅଭାବ ରହିଛି । କିନ୍ତୁ କେଉଁ ପରିସ୍ଥିତିରେ ଜଣେ ମା’ ଜୀବନକୁ ପଥର କରି ନିଜର ଜନ୍ମ କଲା ଶିଶୁକୁ ପାଣିରେ ଫୋପାଡ଼ି ଦେଇ ଚାଲିଗଲା । ଏହିପରି ଏକ ହୃଦୟ ବିଦାରକ ଦୃଶ୍ୟ ସମ୍ମୁଖକୁ ଆସିଛି ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ଅନ୍ତର୍ଗତ ମାନେଶ୍ୱର ନକ୍ସାପାଲି ବ୍ରିଜ ତଳେ ।

Advertisment

ଏକ ନବଜାତ ଶିଶୁକନ୍ୟାକୁ କେହି ପାଣିରେ ପକାଇ ଚାଲିଯାଇଛି । ନବଜାତ ଶିଶୁକନ୍ୟାର ମୃତଦେହ ମାଳତୀ ଜୋରର ପାଣି ସୁଅରେ ଭାସି ଆସି ପଥର ବନ୍ଧା ହୋଇଥିବା ସ୍ଥାନରେ ଅଟକି ରହିଛି । ଉକ୍ତ ସ୍ଥାନକୁ ନୀତିଦିନ ଲୋକେ ଗାଧୋଇବା ପାଇଁ ଆସିଥାନ୍ତି । ଆଜି ସକାଳୁ କିଛି ବ୍ୟକ୍ତି ଗାଧୋଇବା ପାଇଁ ଯାଇଥିବା ସମୟରେ ନବଜାତ ଶିଶୁକନ୍ୟାର ମୃତଦେହ ଲଟକି ଥିବାର ଦେଖିବାକୁ ପାଇଥିଲେ । ପ୍ରଥମେ ଲୋକେ ତାକୁ ଏକ ଖେଳଣା ଭାବିଥିଲେ ପରେ ପାଖକୁ ଯାଇ ଦେଖିବା ପରେ ସ୍ପଷ୍ଟ ହୋଇଥିଲେ । ଏହାପରେ ଲୋକେ ଧନୁପାଲି ଥାନାକୁ ଖବର ଦେବା ପରେ ପୁଲିସ ପହଞ୍ଚି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲା । ଏହି ଘଟଣାରେ ଏକ ମାମଲା ରୁଜ୍ଜୁ କରିବା ସହିତ ମୃତ ଶିଶୁର ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବୁର୍ଲାକୁ ପଠାଇଛି ।