ବାଲିଶଙ୍କରା: ପରିବାରର ଅଭାବ ଅନଟନକୁ ସହି ନପାରି ମାତ୍ର ୧୭ ବର୍ଷ ବୟସରେ ଗୋଆକୁ ଦାଦନ ଖଟିବାକୁ ଯାଇଥିବା ନାବାଳକ ଶବହୋଇ ଘରକୁ ଫେରିଛି। ବିଡ଼ମ୍ବନା ହେଉଛି, ଗୋଆରୁ ପୁଅର ଶବ ଆଣିବାକୁ ହାତ ଟେକିଦେଇଥବା ପରିବାର ଜିଲ୍ଲା ପ୍ରଶାସନ ସହାୟତାରେ ପୁଅର ଶବକୁ ଫେରାଇ ଆଣିପାରିଛି। ଏପରି ମର୍ମନ୍ତୁଦ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଅନ୍ତର୍ଗତ ବନଡେଗା ଗ୍ରାମ କୁବାପଡ଼ାରେ।
ସୂଚନା ଅନୁସାରେ, କୁବାପଡ଼ାର ରବୀନ୍ଦ୍ର ସାଏଙ୍କ ପୁଅ କ୍ରିଷ୍ଣା(୧୭) ଘରର ଅଭାବ ଅନଟନକୁ ଦେଖି ସାଙ୍ଗସାଥୀଙ୍କ ସହ ୬ ମାସ ହେବ ଦାଦନ ଖଟିବାକୁ ଗୋଆ ଯାଇଥିଲେ। ସେଠାରେ ସେ ସାଂଗୀନ କମ୍ପାନିର ବୋଟ୍ରେ ମାଛଧରାଳି ରୂପେ କାର୍ଯ୍ୟ କରୁଥିଲେ। ହଠାତ୍ ସମୁଦ୍ରରେ ତୋଫାନ ଆସିବାରୁ କ୍ରିଷ୍ଣା ବୋଟ୍ ଉପରୁ ପାଣିରେ ପଡ଼ିଯାଇଥିଲେ। ସାଙ୍ଗସାଥୀ ବହୁ ଖୋଜାଖୋଜି କଲାପରେ ବି ତାଙ୍କୁ ପାଇନଥିଲେ। ୩ ଦିନପରେ ସମୁଦ୍ରକୂଳରେ ତାଙ୍କ ଶବ ଠାବ ହୋଇଥିଲା। ତାଙ୍କ ସାଥୀମାନେ ଫୋନ୍ ଦ୍ୱାରା ପରିବାରଲୋକଙ୍କୁ ଖବର ଦେଇଥିଲେ। ଖବରପାଇ ତାଙ୍କ ବାପା ରବୀନ୍ଦ୍ରଙ୍କ ଚିନ୍ତା ବଢ଼ିଯାଇଥିଲା। ରବୀନ୍ଦ୍ର ତଳସରା ବିଧାୟକ ଭବାନୀଶଙ୍କର ଭୋଇଙ୍କୁ ଦାଦନ ଖଟିବାକୁ ଗୋଆ ଯାଇ ପୁଅର ମୃତ୍ୟୁ ହୋଇଥିବା ଓ ସେଠାରୁ ଶବ ଆଣିବାକୁ ଅସମର୍ଥତା ପ୍ରକାଶ କରିଥିଲେ। ବିଧାୟକ ଶ୍ରୀ ଭୋଇ ଜିଲ୍ଲାପାଳଙ୍କୁ ଖବର ଦେଇଥିଲେ। ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇ ରାତି ୧୨ଟାରେ ତାଙ୍କ ମରଶରୀର ଗ୍ରାମରେ ପହଞ୍ଚିଥିଲା। ସକାଳେ ଗ୍ରାମବାସୀଙ୍କ ସହାୟତାରେ ଶବଦାହ କରାଯାଇଥିଲା। କ୍ରିଷ୍ଣାଙ୍କ ମୃତ୍ୟୁରେ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟିହୋଇଛି।