ବେତନଟୀ: ବିବାହ ଆଗରୁ ଶାରୀରିକ ସମ୍ପର୍କ, ପରେ ଗର୍ଭ ନଷ୍ଠ। ଯଦି ଭୁଲରେ ଗର୍ଭ ନଷ୍ଠ କରି ନହୁଏ ତେବେ ପିଲାଟି ଜନ୍ମହେବା ପରେ ତାକୁ ମାରି ଦିଆଯାଏ। ଦୁନିଆ ଦେଖିବା ଆଗରୁ କଅଁଳ ଶିଶୁଟିକୁ ମାରିଦିଆଯାଏ। ବର୍ତ୍ତମାନ ଆଧୁନିକ ସମାଜରେ ଏହା ନିତିଦିନିଆ ଖବର। କଉଠି ନା କଉଠି ଏଭଳି ଖବର ଆପଣ ପ୍ରତ୍ୟେକ ଦିନ ଶୁଣିବାକୁ ପାଇଥାନ୍ତି। ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ନବଜାତ ମୃତ ସଂଖ୍ୟା।
ଏନେଇ ପ୍ରଶାସନ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଥିଲେ ମଧ୍ୟ ଏହାର ପ୍ରଭାବ କାହାରି ଉପରେ ପଡୁନି। ଏଭଳି ହୃଦୟବିଦାରକ ଘଟଣା ବୈଶିଙ୍ଗା ଅଞ୍ଚଳରେ ଦେଖିବାକୁ ମିଳିଛି। ବୈଶିଙ୍ଗା ଥାନା ଅନ୍ତର୍ଗତ ବୈଶିଙ୍ଗା-ରୁପ୍ସା ରାସ୍ତା ପାର୍ଶ୍ୱ ମୁଣିଲାଲ ଉଚ୍ଚବିଦ୍ୟାଳୟ ସାମ୍ନାରେ ଥିବା ପଡିଆରେ ମିଳିଛି ଶିଶୁ କନ୍ୟାର ମୃତ ଶରୀର। ବୁଧବାର ସନ୍ଧ୍ୟାରେ ଶୌଚ ପାଇଁ ଲୋକେ ଯାଉଥିବା ବେଳେ ପଡିଆ ଭିତରେ ପଡିଥିବା ମୃତ ଶିଶୁଟିକୁ ଏକ କାଗଜ ପେଟି ଭିତରେ ଥିବାର ଦେଖିଥିଲେ। ପରେ ଖବର ପାଇ ଯୁବ ସାମ୍ବାଦିକ ଅବିନାଶ ପଣ୍ଡା ଘଟଣା ସ୍ଥଳରେ ପହଞ୍ଚି ଅନ୍ୟ ସାମ୍ବାଦିକ ବନ୍ଧୁ ସତ୍ୟପ୍ରକାଶ ପ୍ରଧାନଙ୍କ ସହିତ ଶିଶୁଟିକୁ ନେଇ ବୈଶିଙ୍ଗା ଡାକ୍ତରଖାନାରେ ପହଞ୍ଚାଇ ଥିଲେ ହେଲେ କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ଚାରିଆଡେ ଉକ୍ତ ଘଟଣାଟି ବ୍ୟାପି ଯାଇଥିଲା ଓ ଘଟଣା ସ୍ଥଳରେ ଶହ ଶହ ସ୍ଥାନୀୟ ଲୋକ ରୁଣ୍ଡ ହୋଇଯାଇଥିଲେ ଓ ଘଟଣାଟି ଚର୍ଚ୍ଚାର ବିଷୟ ପାଲଟିଥିଲା। ନବଜାତକ ଶିଶୁକନ୍ୟାଟିକୁ କିଏ ପଡିଆ ମଧ୍ୟରେ ଫିଙ୍ଗିଲା ତାହାକୁ ନେଇ ପୋଲିସ ଛାନଭିନ ଚଳାଇଛି।