ସିକନ୍ଦରାବାଦ୍‌ ଅଗ୍ନିକାଣ୍ଡ ଘଟଣା: କଟକ ଫେରିଲା ଓଡ଼ିଆ ଦଂପତିଙ୍କ ମୃତଦେହ, ସ୍ବର୍ଗଦ୍ବାରରେ ହେବ ଅନ୍ତିମ ସଂସ୍କାର

କଟକ: ତେଲେଙ୍ଗାନାର ସିକନ୍ଦରାବାଦ ଠାରେ ଇଲେକ୍ଟ୍ରିକ୍‌ ବାଇକ୍‌ ସୋ’ରୁମରେ ବ୍ୟାଟେରି ବିସ୍ଫୋରଣ କାରଣରୁ ଲଜ୍‌ରେ ଶୋଇଥିବା ଅବସ୍ଥାରେ ପ୍ରାଣ ହରାଇଥିବା ଓଡ଼ିଆ ଦଂପତିଙ୍କ ମୃତଦେହ କଟକରେ ପହଞ୍ଚିଛି। ଉଭୟଙ୍କ ମୃତଦେହ କାଫଲାବଜାର ମହାନ୍ତିପଡ଼ାରରେ ପହଁଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଉଭୟଙ୍କୁ ଶେଷ ଦର୍ଶନ କରିବା ପାଇଁ ଲୋକଙ୍କ ଗହଳି ହୋଇଛି। ଏହାସହ ପରିବାର, ବନ୍ଧୁବର୍ଗଙ୍କ ଶେଷ ଦର୍ଶନ ପରେ ଦଂପତିଙ୍କୁ ପୁରୀ ସ୍ୱର୍ଗଦ୍ୱାର ଅଭିମୁଖେ ଆମ୍ଭଲାନ୍ସ ଜରିଆରେ ନିଆଯାଇଛି। ସ୍ବର୍ଗଦ୍ବାରରେ ଅନ୍ତିମ ସଂସ୍କାର ହେବ ବୋଲି ପରିବାର ଲୋକଙ୍କ ପକ୍ଷରୁ ସୂଚନା ମିଳିଛି।

ସୂଚନାଯୋଗ୍ୟ, ସୋମବାର ବିଳମ୍ବିତ ରାତିରେ ହାଇଦ୍ରାବାଦ ଉପକଣ୍ଠ ସିକନ୍ଦରାବାଦ ଅଞ୍ଚଳରେ ଥିବା ଏକ ଲଜ୍‌ ‘ରୁବି ଲଗ୍‌ଜରୀ ପ୍ରାଇଡ’ରେ ଭୟାବହ ଅଗ୍ନିକାଣ୍ଡ ହୋଇଥିଲା। ଏଥିରେ ଶ୍ବାସରୁଦ୍ଧ ହୋଇ ୮ ଜଣ ପର୍ଯ୍ୟଟକ ପ୍ରାଣ ହରାଇଥିଲେ। ଏଥିରେ ଓଡ଼ିଆ ଦଂପତି ଚନ୍ଦନ ଏବଂ ମିତାଲି ମଧ୍ୟ ଥିଲେ। ସେହିପରି ଏହି ଅଗ୍ନିକାଣ୍ଡ ଘଟଣାରେ ୧୦ ଜଣ ଗୁରୁତର ଆହତ ହୋଇଥିଲେ। ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

୨୦୨୦ ନଭେମ୍ବର ୨ ତାରିଖରେ ମିତାଲିଙ୍କୁ ବିବାହ କରିଥିବା ଚନ୍ଦନ ବେଙ୍ଗାଲୁରୁସ୍ଥିତ ଏକ ସଫ୍ଟୱେୟାର କଂପାନିରେ କାର୍ଯ୍ୟରତ ଥିଲେ। ତାଙ୍କ ପତ୍ନୀ ମିତାଲି ଏକ ବିୟୁଟି ପ୍ରଡକ୍ଟ କଂପାନିରେ କାମ କରୁଥିଲେ। ମିତାଲିଙ୍କ ତାଲିମ ପାଇଁ ନିକଟରେ ପତିପତ୍ନୀ ସିକନ୍ଦରାବାଦ ଯାଇଥିଲେ। ସୋମବାର ଅଗ୍ନିକାଣ୍ଡର ଶିକାର ହୋଇଥିଲେ ବୋଲି ଚନ୍ଦନଙ୍କ ସାନ ଭାଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର