ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଦାଦନ ପ୍ରବଣ ଅଞ୍ଚଳ ଭାବେ ବେଶ ଜଣାଶୁଣା। ଏଠାରୁ ଅନ୍ୟତ୍ର ଦାଦାନ ଖଟି ଯାଇ ସେଠାରେ ଦାଦନ ମାନେ ନିର୍ଯାତିତ ହେଉଥିବା ସହ ମୃତ୍ୟୁ ଓ ହତ୍ୟା ଭଳି ଶିକାର ହେଉଥିବା ଅନେକବାର ନଜିର ରହିଛି। କିଛି ଦିନ ପୂର୍ବରୁ ଜଣେ ଦାଦନଙ୍କର ମୃତଦେହ ଫେରିଥିବା ବେଳେ ପାଟଣାଗଡ଼ ବ୍ଲକ ଚକାମାଲ ଗାଁର ମନୁ ଭୁଏ ନାମକ ଶ୍ରମିକ ତେଲେଙ୍ଗାନାକୁ ଦାଦାନ ଖଟିବାକୁ ଯାଇ ସେଠାରେ ମୃତ୍ୟୁ ହୋଇଥିବା ଜଣାପଡିଛି। ତେବେ ଏହା ମୃତ୍ୟୁ ନୁହେଁ ବରଂ ତାଙ୍କ ପୁଅକୁ ହତ୍ୟା କରି ଗଛରେ ଝୁଲାଇ ଦେଇଥିବା ନେଇ କୋହଭରା କଣ୍ଠରେ ବୃଦ୍ଧାର ମା’ ଅଭିଯୋଗ କରିଛନ୍ତି।

Advertisment

ପାଟଣାଗଡ଼ ବ୍ଳକ ସାଲେପାଲି ଗ୍ରାମାପଞ୍ଚାୟତ ଅନ୍ତର୍ଗତ ଚକାମାଲ ଗ୍ରାମର ମୁଖି ଭୁଏ ଙ୍କ ସାନ ପୁଅ ମନୁ ଭୁଏ(୨୭)ଙ୍କୁ କାମ ଯୋଗାଇ ଦେବ ବୋଲି ଆଶା ଦେଇ ଖଲିପଥର ଗ୍ରାମର ସର୍ଦାର ମହେନ୍ଦ୍ର ସୁନା ତେଲେଙ୍ଗାନାର ଏକ ଇଟାଭାଟିକୁ ନେଇଥିଲାା ସେଠାରେ ମନୁ ଭୁଏଙ୍କ ସମେତ ଗାଁ ର ମକାରୁ ଭୁଏ, ଦେଉଲଗାଁର ନିମାଇଁ ଓରଫ ସୁବାଷ ବାରଲେବଡିଆଙ୍କ ପରିବାର ମଧ୍ୟ ଯାଇଥିଲେ। ସେଠାରେ ଇଟାଗଢି ଟଙ୍କା ପାଇଁ କିଛି ଦିନ ମଧ୍ୟରେ ଫେରିବାକୁ ଥିଲା। ହେଲେ ହଠାତ୍ ମଙ୍ଗଳବାର ରାତିରେ ସେଠାରୁ ଗାଁରେ ଥିବା ସମ୍ପର୍କୀୟଙ୍କ ମୋବାଇଲ ଫୋନକୁ ହ୍ବାଟ୍ସଆପରେ ଏକ ଫଟୋ ଆସିଥିଲା। ସମ୍ପୃକ୍ତ ଫଟୋରେ ମନୁର ମୃତଦେହ ଏକ ଗଛରେ ଝୁଲୁଥିବା ଦେଖିବାକୁ ପାଇଥିଲେ।

ତେବେ ଏହି ଫଟୋ ଦେଖି ଚକାମାଲ ଗ୍ରାମରେ ଥିବା ଅସହାୟ ବୃଦ୍ଧା ମାଁ ମୁଖି ଭୁଏ ନିଜ ସମ୍ପର୍କୀୟଙ୍କୁ ନେଇ ପାଟଣାଗଡ଼ ଥାନାର ଦ୍ବାରସ୍ଥ ହୋଇଥିଲେ।ତାଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ପୁଅ ମନୁ ପୌଷ ମାସରୁ ତେଲେଙ୍ଗାନା ରାଜ୍ୟର ୱାରଙ୍ଗଲ ଜିଲ୍ଲା କାଜୁପେଟ ଉପଖଣ୍ଡ ସିଙ୍ଘମ ଥାନା କାନପ୍ରତି ଆସଲପଲ୍ଲୀ ରୋଡ ଶମ୍ଭୁନିପେତ ଅଞ୍ଚଳର ଏକ ଇଟାଭାଟିକୁ ଇଟା ଗଢିବା ପାଇଁ ଖଲିପଥରର ସର୍ଦାର ମହେନ୍ଦ୍ର ସୁନାଙ୍କ ପ୍ରରୋଚନାରେ ଯାଇଥିଲା। ସେଠାରେ କାମଧନ୍ଦା କରୁଥିଲାା ହେଲେ ହଠାତ୍ ମୋବାଲରେ ଫଟୋ ଆସିବାରୁ ସେ ଭାଙ୍ଗି ପଡିଥିଲେ। ତାଙ୍କ ପୁଅ ମନୁ ଏକ ଶାନ୍ତ ଶିଷ୍ଟ ପୁଅ, ସେ ଗଛ ଚଢ଼ି ପାରେ ନାହିଁ, ‌‌ତାକୁ ଇଟାଭାଟି ମାଲିକ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବା ପାଇଁ ମୃତଦେହକୁ ଗଛରେ ଝୁଲାଇ ଦେଇଥିବା ନେଇ ଅଭିଯୋଗ କରିଛନ୍ତି। ଅପର ପକ୍ଷରେ ତାଙ୍କ ସହ ଇଟା ଗଢି ଯାଇଥିବା ‌ଲୋକେ ଥାନାକୁ ଯାଇଥିବା ଜଣାପଡିଛି। ଚକାମାଲ ଅଞ୍ଚଳରୁ ସମ୍ପୃକ୍ତ ଅଞ୍ଚଳକୁ ଫୋନ କଲେ କେହି ଫୋନ ଉଠାଉ ନ ଥିବାରୁ ସେଠାରେ ଥିବା ସମ୍ପର୍କୀୟ ମାନଙ୍କୁ ଧମକ୍ ଚମକ୍ ଦିଆ ଯାଉଥିବା ନେଇ ସନ୍ଦେହ ପ୍ରକାଶ କରୁଥିବା କହିଛନ୍ତି। ତେବେ ଏ ସମ୍ପର୍କରେ ପାଟଣାଗଡ଼ ଥାନାଧିକାରୀ ବିସ୍ତ୍ରୁତ ତଥ୍ୟ ପ୍ରଦାନ କରିବା ପାଇଁ ପିଡିତାଙ୍କୁ କହିଥିବା ଜଣାପଡିଛି।