ଶ୍ରୀଲଙ୍କାରୁ ଫେରିଲା ପ୍ରବାସୀ ଓଡ଼ିଆଙ୍କ ପାର୍ଥିବ ଶରୀର, ସହାୟତା ଯୋଗାଇ ଦେଲା ‘ଓଡ଼ିଶା ମୋ ପରିବାର’

ଭୁବନେଶ୍ବର: ବାହାର ଦେଶରେ ମୃତ୍ୟୁ ହୋଇଥିବାରୁ ନିଜ ଜନ୍ମ ସ୍ଥାନକୁ ଫେରି ପାରୁନଥିଲା ଓଡ଼ିଆ ଯୁବକଙ୍କ ମୃତଶରୀର। ଶେଷ ମୁହୂର୍ତ୍ତରେ ଏକମାତ୍ର ପୁଅର ମୁହଁ ଟିକେ ଦେଖିବାକୁ ପରିବାର ସଦସ୍ୟ ବିକଳ ହେଉଥିଲେ । ଆଉ ଏତିକିବେଳେ, ସହାୟତାର ହାତ ବଢାଇଲା ‘ଓଡ଼ିଶା ମୋ ପରିବାର’, ନିଜ ଜନ୍ମସ୍ଥାନକୁ ଫେରିଲା କମଳକାନ୍ତଙ୍କ ପାର୍ଥିବଶରୀର।

ସୂଚନାନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲାର ୨୨ବର୍ଷିୟ ବାସିନ୍ଦା କମଳାକାନ୍ତ ସ୍ଵାଇଁ ଗତ ୪ ବର୍ଷ ପୂର୍ବରୁ ତାଙ୍କ ପଡ଼ୋଶୀଙ୍କ ସହିତ ସୁଦୂର ଶ୍ରୀଲଙ୍କାକୁ କାମ କରିବାକୁ ଯାଇଥିଲେ। ଗତ ଅଗଷ୍ଟ ୨୫ତାରିଖରେ କମଳାକାନ୍ତ ତାଙ୍କ ଘରକୁ ଫେରିବେ ବୋଲି ପରିବାରବର୍ଗଙ୍କୁ ଜଣାଇଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ, ସେପ୍ଟେମ୍ବର ୧୫ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ତାଙ୍କ ପଡ଼ୋଶୀ ପରିବାର ଲୋକଙ୍କୁ ଖବର ଦେଇଥିଲେ। ହଠାତ୍ ଏଭଳି ଦୁଃଖଦ ଖବର ଶୁଣି ପରିବାର ସଦସ୍ୟମାନଙ୍କ ଉପରେ ଚଡ଼କ ପଡିଥିଲା। ଶେଷ ମୁହୂର୍ତ୍ତରେ ପରିବାର ସଦସ୍ୟ ପୁଅର ମୁହଁ ଟିକେ ଦେଖିବାକୁ ବ୍ୟାକୁଳ ହୋଇପଡ଼ିଥିଲେ କିନ୍ତୁ ଆର୍ଥିକ ଚାପରେ ଥିବାରୁ ମୃତଦେହ କିପରି ଘରକୁ ଫେରାଇ ଆଣିବେ ସେଥିନିମନ୍ତେ ସେମାନେ ଉପାୟଶୂନ୍ୟ ଥିଲେ। ଅସହାୟ ହୋଇ ସେମାନେ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ତଥା ଓଡ଼ିଶା ମୋ ପରିବାର ସହ ଆବାହକ ଅତନୁ ସବ୍ୟସାଚୀ ନାୟକଙ୍କୁ ମୃତଦେହ ଫେରାଇ ଆଣିବାରେ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଥିଲେ ।

ଶ୍ରୀ ନାୟକଙ୍କ ତତ୍ତ୍ଵାବଧାନରେ ଓଡ଼ିଶା ମୋ ପରିବାର ତୁରନ୍ତ ପଦକ୍ଷେପ ନେଇଥିଲା ଏବଂ ଯୁଗ୍ମ ସମ୍ପାଦକ ରୁଦ୍ର ନାରାୟଣ ସାମନ୍ତରାୟ କାର୍ଯ୍ୟକୁ ତ୍ୱରାନ୍ୱିତ କରାଇଥିଲେ । ଓଡ଼ିଶା ମୋ ପରିବାର ପକ୍ଷରୁ ଭାରତୀୟ ଦୂତାବାସ ସହିତ ସମନ୍ଵୟ ରକ୍ଷା କରି କମଳାକାନ୍ତ ଶ୍ରୀଲଙ୍କାରେ କାମ କରୁଥିବା କମ୍ପାନି ସହିତ ଆଲୋଚନା କରାଯିବା ପରେ ସମସ୍ତ ନ୍ୟାୟିକ ପ୍ରକ୍ରିୟା ସମ୍ପୂର୍ଣ୍ଣ କରି ସମ୍ପୃକ୍ତ କମ୍ପାନି କମଳାକାନ୍ତଙ୍କର ମୃତଶରୀର ବିମାନ ଯୋଗେ ପଠାଇବାକୁ ରାଜି ହୋଇଥିଲେ। ମୃତଦେହ ଓଡ଼ିଶାରେ ପହଞ୍ଚିବା ପରେ ମନ୍ତ୍ରୀ ଶ୍ରୀ ନାୟକଙ୍କ ସମେତ ଦୁର୍ଗା ସାମନ୍ତରାୟ, ରୁଦ୍ର ନାରାୟଣ ସାମନ୍ତରାୟ, ରଞ୍ଜିତ୍ ରାୟ, ମିହିର ରାୟ, ଡଃ ସତ୍ୟଜିତ୍ ଦାସ ଏବଂ ଓଡ଼ିଶା ମୋ ପରିବାର ଟିମ୍ ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦର ଠାରେ ଉପସ୍ଥିତ ରହି ପାର୍ଥିବ ଶରୀରକୁ ଗ୍ରହଣ କରିଥିଲେ ଏବଂ କେନ୍ଦ୍ରାପଡ଼ାସ୍ଥିତ ତାଙ୍କ ଗ୍ରାମକୁ ପଠାଇବା ପାଇଁ ସମସ୍ତ ସଂଯୋଜନା କରିଥିଲେ। ଏଭଳି ପରିସ୍ଥିତିରେ ସହାୟତାର ହାତ ବଢାଇଥିବାରୁ ପରିବାରବର୍ଗ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା ମୋ ପରିବାରକୁ ଅଶେଷ ଧନ୍ୟବାଦ ଜଣାଇଥିଲେ ।

ସମ୍ବନ୍ଧିତ ଖବର