ବଲାଙ୍ଗୀର: ବାପା ଓ ମା’ ଘରେ ଅନୁପସ୍ଥିତ ଥିବା ବେଳେ ଜଣେ ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ରୀଙ୍କୁ ତଣ୍ଟି କାଟି ହତ୍ୟା କରାଯାଇଛି। ବଲାଙ୍ଗୀର ଟାଉନ୍ ଥାନା ଅନ୍ତର୍ଗତ ନିଖିଲନଗରରେ ଆଜି ପୂର୍ବାହ୍ଣରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ଛାତ୍ରୀ ହେଲା ଶେଷାଦ୍ରି ନାଗ (୧୫) ହତ୍ୟାକାଣ୍ଡ ପରେ ଦୁର୍ବୃତ୍ତ ଫେରାର ଥିବା ବେଳେ ପୁଲିସ ଘଟଣାର ଛାନ୍ଭିନ୍ ଆରମ୍ଭ କରିଦେଇଛି।
ସୂଚନା ଅନୁସାରେ ଯୁକ୍ତ ୨ ଛାତ୍ରୀ ଶେଷାଦ୍ରି ନାଗର ମା’ ବଲାଙ୍ଗୀର ପୌରସଂସ୍ଥାରେ ସଫେଇ କର୍ମଚାରୀ ଅଛନ୍ତି। ସେ ଆଜି ସକାଳୁ କାମକୁ ଯାଇଥିଲେ। ସେହିପିର ତାର ବାପା ମଧ୍ୟ କୌଣସି କାମରେ ବାହାରକୁ ଚାଲିଯାଇଥିଲେ। ତେଣୁ ନାବାଳିକା ଜଣଙ୍କ ଘରେ ଏକା ଥିଲେ। ଶେଷାଦ୍ରି ରୋଷେଇ କରି ବାପା ଓ ମା’ଙ୍କୁ ଖାଇବା ପହଞ୍ଚିବାର ଥିଲା।କିନ୍ତୁ ଝିଅ ଠିକ୍ ସମୟରେ ବାପା-ମା’ ପାଖକୁ ଖାଇବାକୁ ନେଇକି ଯାଇ ନଥିଲା। ଏନେଇ ବାପା-ମା’ଙ୍କ ସନ୍ଦେହ ହୋଇଥିଲା ଏବଂ ସେମାନେ ଘରେ ଆସି ପହଞ୍ଚିଲା ବେଳକୁ ଝିଅର ରକ୍ତାକ୍ତ ମୃତଦେହ ଘରେ ପଡ଼ିଥିଲା।
ସୂଚନାଯୋଗ୍ୟ ଶେଷାଦ୍ରି ନାଗ ଚଳିତ ବର୍ଷ ମାଟ୍ରିକ୍ ପାସ କରିଥିଲା। ଗତକାଲି (୨୦୨୩ ଜୁଲାଇ ୧୨)ରେ ବଲାଙ୍ଗୀରସ୍ଥିତ ଜେଏସ୍ଏମ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ୨ ବାଣିଜ୍ୟରେ ନାମ ଲେଖାଇଥିଲା। ପାଠ ପଢ଼ି ବାପା-ମା’ଙ୍କର ସ୍ବପ୍ନ ପୂରା କରିବାକୁ ଆଶା ରଖିଥିଲା।
ପରିବାର ଲୋକଙ୍କ ଠାରୁ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶ୍ବିକ ସ୍ଥିତିକୁ ଦୃଷ୍ଟିରେ ରଖି ତଦନ୍ତ କରୁଛି। ଏସ୍ଡିପିଓ ତୋଫାନ ବାଗ କହିଛନ୍ତି, ନିଖିଲନଗରରେ ଜଣେ ନାବାଳିକାଙ୍କର ମୃତଦେହ ଉଦ୍ଧାର ହୋଇଛି। ନାବାଳିକାର ତଣ୍ଟି କାଟି ହତ୍ୟା କରାଯାଇଛି। ତେଣୁ ଘଟଣାସ୍ଥଳରେ ତାର ମୃତ୍ୟୁ ହୋଇଛି। ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ଏହାର ତଦନ୍ତ କରୁଛି। ଘଟଣାସ୍ଥଳରେ ଏସ୍ପି ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛନ୍ତି।