ପ୍ରଦୀପ ପୁରୋହିତଙ୍କ ବାସଭବନରୁ ଡ୍ରାଇଭରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପ୍ରତିକ୍ରିୟା ଦେଲେ ପୂର୍ବତନ ବିଧାୟକ

ଭୁବନେଶ୍ବର: ବିଜେପି ନେତା ପ୍ରଦୀପ ପୁରୋହିତଙ୍କ ବାସଭବନରୁ ଡ୍ରାଇଭର ଧନୁର୍ଜୟ ପାଣ୍ଡେଙ୍କ ମୃତଦେହ ଉଦ୍ଧାର ହୋଇଛି। ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଭଗବାନ ଟାୱାରର ବନ୍ଦ ଘର ଭିତରୁ ଏହି ମୃତଦେହ ମିଳିଛି। ପ୍ରଦୀପ ପୁରୋହିତ ରହୁଥିବା ଫ୍ଲାଟର ଆଉ ଏକ ବଖରାରେ ପ୍ଲାଷ୍ଟିକ ଦୌଡି ଲଗାଇ ଧନୁର୍ଜୟ ଝୁଲିପଡିଥିବାର ଦେଖିବାକୁ ମିଳିଛି। ପରିବାର ଲୋକଙ୍କ ଉପସ୍ଥିତିରେ ପୁଲିସ ଘର ଖୋଲିବା ସହ ଆରମ୍ଭ କରିଛି ତଦନ୍ତ। ଘର କବାଟ ଖୋଲିଲା ବେଳକୁ ଦେଖିବାକୁ ମିଳିଥିଲା ଯେ ଘରେ ଟିଭି ଚାଲିଛି। ଡ୍ରଇଂ ରୁମ ଆଉ ମୃତ ଦେହ ମିଳିଥିବା ଘରେ ଫ୍ୟାନ ବି ଚାଲିଥିଲା। ଭିତର ପଟୁ କବାଟ ବନ୍ଦ ଥିବାରୁ ଏହା ଆତ୍ମହତ୍ୟା ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି।

ଧନୁର୍ଜୟ ପାଣ୍ଡେ କେବଳ ଯେ ପ୍ରଦୀପ ପୁରୋହିତଙ୍କ ଡ୍ରାଇଭର ଥିଲେ ତାହା ନୁହଁ ବରଂ ପ୍ରଦୀପ ପୁରୋହିତଙ୍କ ରାଜନୀତି କାମ ବି ବୁଝୁଥିଲେ । ଧନୁର୍ଜୟଙ୍କ ମୃତ୍ୟରେ ମର୍ମାହତ ହୋଇଥିବା ପ୍ରଦୀପ ପୁରୋହିତ କହିଛନ୍ତି। ସେ ଡିପ୍ରେସନରେ ନଥିଲା । କାହିଁକି ଏମିତି ନିଷ୍ପତ୍ତି ନେଲା ମୁଁ ଜାଣିପାରୁନି। ପୁଲିସ ତଦନ୍ତ କରୁଛି। ସବୁ କଥା ସାମ୍ନାକୁ ଆସିଯିବ ବୋଲି ସେ କହିଛନ୍ତି।

ସୋମବାର ପ୍ରଦୀପ ପୁରୋହିତଙ୍କ ସହ ଧନୁର୍ଜୟ କଥା ବି ହୋଇଥିଲେ। ସାନ ଭାଇ ବିହାରୀ ପାଣ୍ଡେଙ୍କ ସହ ବି କଥା ହୋଇଥିଲେ। କିନ୍ତୁ ଏମିତି କିଛି ଘଟିଯିବ ବୋଲି ଜଣା ନଥିବା ତାଙ୍କ ଭାଇ କହିଛନ୍ତି। ବୁଧବାର ସାଇଣ୍ଟିଫିକ ଟିମ୍ ଆସିଲା ପରେ ଶବ ବ୍ୟବଛେଦ ପାଇଁ ପଠାଯିବ ବୋଲି ପୁଲିସ ସୂଚନା ଦେଇଛି।

ସମ୍ବନ୍ଧିତ ଖବର