ମୁରିବାହାଲ: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଟୁପାଉଡ଼ାର ପଞ୍ଚାୟତ ସାଲେଭଟା ଗାଁର ନବ ଭୋଇ (୫୦) ନାମକ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ଶବ ତାଙ୍କ ଶ୍ବଶୁର ଘର ଗାଁର ତିଖାଲି ସଂରକ୍ଷିତ ଜଙ୍ଗଲରୁ ସୋମବାର ଉଦ୍ଧାର କରାଯାଇଛି। ବେକରେ ଗାମୁଛା ଲଗାଇ ସେ ଆତ୍ମହତ୍ୟା କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି। ପୁଲିସର ସୂଚନା ଅନୁସାରେ, ନବ ଯମୁନାବାହାଲ ଗାଁର ଅନ୍ତବଳ ପ୍ରଧାନୀଙ୍କ ଝିଅ ଜ୍ୟୋତ୍ସ୍ନାଙ୍କୁ ବାହା ହୋଇଥିଲେ। ତାଙ୍କର ୫ପୁଅ ଓ ଗୋଟିଏ ଝିଅ ଅଛନ୍ତି। ସ୍ତ୍ରୀ ଜ୍ୟୋତ୍ସ୍ନା ପୁଲିସଠାରେ କରିଥିବା ଅଭିଯୋଗ ଅନୁସାରେ, ସେମାନଙ୍କ ପରିବାର ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ। ୧୫ଦିନ ତଳେ ଘରକୁ ଫେରିଥିଲେ। ଟିଟିଲାଗଡ଼ ପହଞ୍ଚିବା ପରେ ନବ ତାଙ୍କୁ ଓ ତାଙ୍କ ପରିବାର ଲୋକଙ୍କୁ ବହୁ ଗାଳିଗୁଲଜ କରି ହତ୍ୟା ଧମକ ଦେଇଥିଲେ। ଫଳରେ ଜ୍ୟୋତ୍ସ୍ନା ପିଲାଛୁଆଙ୍କୁ ନେଇ ବାପଘର ଯମୁନାବାହାଲରେ ରହୁଥିଲେ।
ଗତମାସ ୨୮ତାରିଖରେ ନବ ଆସି ଶ୍ଵଶୁର ଘରେ ରହିଥିଲେ। ଗତ ୧ତାରିଖ ସେ ଭଉଣୀ ଘର ଘୁଷୁରାମୁଣ୍ଡା ଯାଇଥିଲେ। ୨ ତାରିଖ ଦିନ ଗାଁର ଯୁବକମାନେ ଜଙ୍ଗଲକୁ ଯାଇଥିବା ବେଳେ ନବଙ୍କ ମୃତଦେହ ଗଛରେ ଝୁଲୁଥିବା ଅବସ୍ଥାରେ ଦେଖିଥିଲେ। ସୋମବାର ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ସୂଚନାଯୋଗ୍ୟ ଯେ, ନବ ତାଙ୍କ ସ୍ତ୍ରୀ ଓ ପୁଅଝିଅ ଘରକୁ ଫେରିବାକୁ ମନା କରୁଥିବା ନେ଼ଇ ମୁରିବାହାଲ ଥାନାରେ ନବ ଗତ ଜୁନ୍ ୨୪ ତାରିଖରେ ଥାନାରେ ଏତଲା ଦେଇଥିଲେ। ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଥିବା ଏସ୍ଆଇ ପ୍ରମୋଦ ପ୍ରଧାନ ପ୍ରକାଶ କରିଛନ୍ତି।