ରାୟଗଡ଼ା: ରାୟଗଡ଼ା ସହରର ଟ୍ରକ ମାଲିକ ଟି. ରାମବାବୁ (୨୭)ଙ୍କ ଝୁଲନ୍ତା ମୃତଦେହ ଏକ ଭଡା ଘରୁ ଉଦ୍ଧାର ହୋଇଛି। ରାୟଗଡ଼ା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିଛି। ସାଇଣ୍ଟିଫିକ୍ ଟିମ୍ ଜରିଆରେ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

ମୃତ ରାମବାବୁ ସେକ୍ରେଡ୍ ହାର୍ଟ ସ୍କୁଲ ନିକଟସ୍ଥ ବିଦ୍ୟାନଗର ପଞ୍ଚମ ଲାଇନରେ ରହୁଥିଲେ। ରାଣୀଗୁଡ଼ା ଫାର୍ମ ସପ୍ତମ ଲାଇନର ଭଡାଘରୁ ମୃତଦେହ ମିଳିଥିବାରୁ ଘଟଣାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ମୃତ୍ୟୁର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିଲେ ମଧ୍ୟ ଉକ୍ତ ଭଡା ଘରେ ରାମବାବୁଙ୍କ କେ. ମାଙ୍ଗା ନାମକ ଜଣେ ଯୁବତୀଙ୍କ ସହ ସଂପର୍କରେ ରହି ଆସୁଥିବା ଯୁବତୀର ବଡ ମାଆ କେ. କୃପା ପ୍ରକାଶ କରିଛନ୍ତି। ମାଙ୍ଗା ଗତ ୧୫ ଦିନ ହେଲା ଆନ୍ଧ୍ରପ୍ରଦେଶ ଯାଇଥିବା ବେଳେ ରାମବାବୁଙ୍କ ଝୁଲନ୍ତା ମୃତଦେହ ଏହି ଘରୁ କେମିତି ଉଦ୍ଧାର ହେଲା ତାହା ସନ୍ଦେହଘେରରେ।

ରାମବାବୁ ଗତକାଲି ନିଜ ଘରୁ ୫୦ ହଜାର ଟଙ୍କା ନେଇ ବାହାରିଥିଲେ। ଆଜି ତାଙ୍କ ଝୁଲନ୍ତା ମୃତହେଦ ଉଦ୍ଧାର ହୋଇଛି। ସହରର ସିରିକଣାରେ ରହୁଥିବା ଯୁବତୀଙ୍କ ବଡ ମାଆ କେ. କୃପା ଆଜି ଦିନ ୧୧ଟାରେ ମାଙ୍ଗା ଘରକୁ ଆସିଥିବା ବେଳେ ଘର କବାଟ ବାହାର ପଟୁ ବନ୍ଦ ଥିବା ଦେଖି ଖୋଲିଥିଲେ। କବାଟ ଖୋଲିବା ପରେ ରାମବାବୁଙ୍କ ଝୁଲନ୍ତା ମୃତଦେହକୁ ଦେଖି ସ୍ଥାନୀୟ ଲୋକ ଓ ପୁଲିସକୁ ଖବର ଦେଇଥିଲେ। ପୁଲିସ ପ୍ରାଥମିକ ତଦନ୍ତରୁ ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହୋଇ ପାରିନଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସତ୍ୟାସତ୍ୟ ଜଣା ପଡିବ ବୋଲି କହିଛି।