ମହଙ୍ଗା ପଡୁଛି ରାଜ୍ୟ ବାହାରକୁ ଦାଦନ ଖଟିଯିବା: ବେଲପଡ଼ାକୁ ପୁଣି ଫେରିଲା ଏକ ମୃତଦେହ!

ପାଟଣାଗଡ଼: ରାଜ୍ୟରେ ପାଟଣାଗଡ଼ ଉପଖଣ୍ଡ ଦାଦନ ପ୍ରବଣ ଉପଖଣ୍ଡ ଭାବେ ବେଶ ପରିଚିତ। ଏଠାରୁ ପ୍ରତି ବର୍ଷ ବହୁ ମାତ୍ରାରେ ଶ୍ରମିକମାନେ ଅନ୍ୟ ରାଜ୍ୟକୁ ଦାଦନ ଖଟି ଯାଇଥାନ୍ତି। ସେଠାରେ ନିର୍ଯ୍ୟାତନାର ଶିକାର ହୋଇ ନିଜ ଗ୍ରାମକୁ ଲୋକେ ଫେରୁଥିବା ବେଳେ ଅନେକ ଶବ ହୋଇ ଫେରୁଥିବା ଜଣାପଡିଛି। ବେଲପଡା ବ୍ଲକ ଅଞ୍ଚଳକୁ ଦୁଇ ଦିନରେ ଦୁଇ ଗୋଟି ଦଦାନଙ୍କ ମୃତଦେହ ପହଞ୍ଚିଥିବା ଜଣାପଡିଛି।

ବେଲପଡା ବ୍ଲକ ସୁଲେକେଲା ଗ୍ରାମର ଜୁନାପଡାରେ ରହୁଥିବା ପକ୍ଷୀରାଜ ଦଳେଇ(୪୯) ତାଙ୍କ ପତ୍ନୀ ସ୍ନେହଶୀଳା ଦଳେଇ(୪୫) ନିଜ ତିନି ସନ୍ତାନ (୨ ପୁଅ ଓ ଗୋଟିଏ ଝିଅ)କୁ ନେଇ ରାମେଶ୍ବର ଧୁବାକୁନ୍ଦ ପଠାନଚୋର ଗାଁ ଇଟା ଗଢିବା ପାଇଁ ଗତ ଡିସେମ୍ବର ମାସରୁ ଯାଇଥିଲେ। ସେମାନଙ୍କୁ ସୁଲେକେଲା ଗ୍ରାମର ଦଲାଲ ମୁଗଦମ ବୁଡେକ ୬୦ ହଜାର ଟଙ୍କା ଅଗ୍ରୀମ ଦେଇ ନେଇଥିଲା। ସେଠାରେ ସେମାନେ କାମ କରୁଥିଲେ। ହେଲେ ମଙ୍ଗଳବାର ସ୍ନେହଶୀଳାଙ୍କ ମୃତ୍ୟୁ ଘଟିଥିଲା। ଡାକ୍ତରଖାନା ନେଇଥିବା ବେଳେ ଡାକ୍ତର ତାଙ୍କର ମୃତ୍ୟୁ ହୋଇଥିବା ନେଇ କହିଥିଲେ। ବର୍ତ୍ତମାନ ତାଙ୍କ ମୃତଦେହକୁ ନିଜ ଗ୍ରାମ ସୁଲେକେଲାକୁ ଅଣା ଯାଉଥିବା ଜଣାପଡିଛି। ବର୍ତ୍ତମାନ ନ୍ୟୁଜ ଲେଖୁଥିବା ବେଳେ ମୃତଦେହ ଭବାନୀପାଟଣା ପର୍ଯ୍ୟନ୍ତ ପହଞ୍ଚିଥିବା ଜଣାପଡିଛି। ରାତିରେ ମୃତଦେହ ସୁଲେକେଲାକୁ ପହଞ୍ଚିବାକୁ ଥିବା ଜଣାପଡିଛି।

ଏଠାରେ ପ୍ରକାଶ ଥାଉ କି, ବେଲପଡା ବ୍ଲକ ପାଟଣାଗଡ଼ ଉପଖଣ୍ଡର ଦାଦନ ପ୍ରବଣ ଅଞ୍ଚଳ ହୋଇଥିବା ବେଳେ ମଙ୍ଗଳବାର ଦିନ ଏହି ବ୍ଲକ ଅନ୍ତର୍ଗତ ଯୁବା ଗ୍ରାମରୁ ଦାଦନ ଖଟି ଯାଇଥିବା ନକୁଳ ଧରୁଆଙ୍କ ମୃତଦେହ ଫେରିଥିଲା। ତେବେ ତାଙ୍କ ମୃତ୍ୟୁ ଘଟଣାକୁ ଚପାଇ ଦେବା ନେଇ ଅଭିଯୋଗ ହୋଇଥିଲା। ବୁଧବାର ବେଲପଡା ବ୍ଲକ ଅଞ୍ଚଳକୁ ଆଉ ଏକ ଦାଦନ ଶ୍ରମିକଙ୍କ ମୃତଦେହ ଫେରୁଥିବା ବେଳେ ଗାଁରେ ଶୋକର ଛାୟା ଖେଳି ଯାଇଥିବା ଜଣାପଡିଛି। ଲଗାତାର ଭାବେ ଦୁଇ ଦୁଇ ଜଣ ଦାଦନ ଶ୍ରମିକଙ୍କ ମୃତଦେହ ଫେରୁଥିବା ବେଳେ ଏହାକୁ ନେଇ ଉଭୟ। ଜିଲ୍ଲା ପ୍ରଶାସନ ଓ ପୁଲିସ ଯତ୍ନବାନ ହୋଇ ପଦକ୍ଷେପ ନେବା ପାଇଁ ଦାବି ହୋଇଛି।

ସମ୍ବନ୍ଧିତ ଖବର