ତେନ୍ତୁଳିଖୁଣ୍ଟି: ପଡୋଶୀ ଛତିଶଗଡ଼ର ଚିଣ୍ଟୁର ବ୍ଲକ ଏଡୁଗୁରାଲପାଲି ନିକଟରେ ଗତକାଲି ବସ ଦୁର୍ଘଟଣାରେ ଜୀବନ ହାରିଥିବା ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଲମତାଗୁଡା ପଞ୍ଚାୟତ ଅନ୍ତର୍ଗତ କହ୍ନେଇମୁଣ୍ଡା ଗ୍ରାମର ଦୁଇ ଭାଇ-ଭଉଣୀ (ଶିଶୁ)ଙ୍କ ମୃତଦେହ ଆଜି ଅନ୍ତିମ ସଂସ୍କାର କରାଯାଇଛି। ଦୁଇ ଶିଶୁଙ୍କ ଅକାଳ ବିୟୋଗରେ ସମଗ୍ର ଗ୍ରାମ ଶୋକାକୁଳ ପରିବେଶ ପାଲଟିଛି । ଦୁଇ ଶିଶୁଙ୍କ ମୃତଶରୀର ଆଜି ସକାଳ ୫ ଘଣ୍ଟା ସମୟରେ ଗ୍ରାମରେ ପହଞ୍ଚିବା ପରେ କାନ୍ଦ ବୋବାଳିରେ ସାହି ଫାଟି ପଡିଥିଲା ।ତେବେ ଏକ ଶୋକାକୁଳ ପରିବେଶ ମଧ୍ୟରେ ଦିନ ୧୧ ଘଣ୍ଟା ସମୟରେ କହ୍ନେଇମୁଣ୍ଡା ନିକଟସ୍ଥ ଖ୍ରୀଷ୍ଟୀୟ ସ୍ମଶାନରେ ଦୁଇ ମୃତ ଶିଶୁଙ୍କୁ କବର ଦିଆଯାଇଥିଲା ।
ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ଆନ୍ଧ୍ରପ୍ରଦେଶ ବିଜୟୱାଡା ଅଭିମୁଖେ ଯାତ୍ରା କରୁଥିବା ସଂଗୀତା ନାମକ ଏକ ଘରୋଇ ବସ ଦୁର୍ଘଟଣାଗ୍ରସ୍ତ ଯୋଗୁଁ ୫ ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ କହ୍ନେଇମୁଣ୍ଡା ଗ୍ରାମର ଗୋଟିଏ ପରିବାରର ଦୁଇ ଜଣ ଶିଶୁ ଥିଲେ । ଏଥିରେ କହ୍ନେଇମୁଣ୍ଡା ଗ୍ରାମର ଲକ୍ଷ୍ମଣ ହରିଜନଙ୍କ ୫ ବର୍ଷୀୟ ପୁଅ ଜିତୁ ହରିଜନ ଏବଂ ଅଡ଼େଇ ବର୍ଷୀୟ ଝିଅ ସୁନୟନା ହରିଜନଙ୍କ ମୃତ୍ୟୁ ଘଟିଥିଲା । ନିଜ ଦୁଇ ସନ୍ତାନକୁ ହରାଇ ବାପା, ମା ଦୁଃଖରେ ଭାଙ୍ଗିପଡ଼ିଛନ୍ତି । ଆତ୍ମୀୟ ସ୍ଵଜନ ଏଭଳି ଦୁଃଖଦ ଘଟଣାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି । ଦୁଇ ଭାଇ ଭଉଣୀଙ୍କ ଅକାଳ ବିୟୋଗରେ ଲକ୍ଷ୍ମଣଙ୍କ ଘରେ ସମବେଦନା ଜଣେଇବା ସକାଶେ ଲୋକଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଥିଲା। କାନ୍ଦ ବୋବାଳିରେ ସମଗ୍ର ଗାଁ ଫାଟି ପଡ଼ୁଥିବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି।
ପ୍ରକାଶ ଥାଉକି କହେଁଇମୁଣ୍ଡା ଗ୍ରାମର ଲକ୍ଷ୍ମଣ ହରିଜନ ବହୁ ବର୍ଷ ଧରି ବାହାର ରାଜ୍ୟରେ ଦାଦନ ଖଟି ପରିବାର ପ୍ରତିପୋଷଣ କରୁଛନ୍ତି। ଲକ୍ଷ୍ମଣ ଏକ ସପ୍ତାହ ପୂର୍ବରୁ ନିଜ ଗ୍ରାମକୁ ଆସିଥିଲେ। ପ୍ରଥମ ଥର ପାଇଁ ନିଜ ପରିବାରଙ୍କୁ ନେଇଁ ବିଜୟୱାଡା ଅଭିମୁଖେ ଯାତ୍ରା କରୁଥିଲେ। ପତ୍ନୀ ସୁକାନ୍ତି ଏବଂ ଦୁଇ ଭାଇ ଭଉଣୀ ମଧ୍ୟ ଖୁସିରେ ପିତାଙ୍କ ସହ ବସରେ ଯାତ୍ରା କରୁଥିଲେ। କିନ୍ତୁ କିଏ ଜାଣିଥିଲା ଏହା ଥିଲା ଦୁଇ ଭାଇ ଭଉଣୀଙ୍କ ଶେଷ ଯାତ୍ରା ବୋଲି। ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ଦୁର୍ଘଟଣାରେ ଆଖି ବୁଜି ଦେଲେ ଦୁଇଜଣ ଭାଇ ଭଉଣୀ। ଦୁର୍ଘଟଣାରେ ଲକ୍ଷ୍ମଣ ଏବଂ ପତ୍ନୀ ସୁକାନ୍ତି ମଧ୍ୟ ଆହତ ହୋଇ ଚିକିତ୍ସା ହୋଇ ଫେରିଥୁବା ଜଣାପଡିଛି। ଏହି ଖବର ପ୍ରଚାରିତ ହେବା ପରେ ସମଗ୍ର ତେନ୍ତୁଳିଖୁଣ୍ଟି ବ୍ଲକ ଅଂଚଳରେ ଶୋକର ଛାୟା ଖେଳିଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/Did-you-see-a-Dead-Body-in-Dream-Heres-what-it-means.jpg)
