ଭୁବନେଶ୍ୱରରେ ସହିିଦ ୨ ଓଡ଼ିଆ ଯବାନଙ୍କ ପାର୍ଥିବ ଶରୀର, ଜନ୍ମମାଟିିରେ ହେବ ଶେଷକୃତ୍ୟ

ଭୁବନେଶ୍ୱର: ପୂର୍ବ ଲଦାଖର ଗଲଓ୍ଵାନ ଉପତ୍ୟକାରେ ଭାରତ ଓ ଚୀନ ମଧ୍ୟରେ ହୋଇଥିବା ଲଢ଼େଇରେ ଗତ ସୋମବାର-ମଙ୍ଗଳବାର ରାତି ସହିଦ ହୋଇଥିବା ୨ ଜଣ ଓଡ଼ିଆ ଯବାନଙ୍କ ପାର୍ଥିବ ଶରୀର ଭୁବନେଶ୍ୱରସ୍ଥିତ ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଆଜି ଅପରାହ୍ନରେ ପହଞ୍ଚିଛି। ସେନାର ଏକ ସ୍ୱତନ୍ତ୍ର ବିମାନରେ ଯବାନଙ୍କ ପାର୍ଥିବ ଶରୀର ଏଠାରେ ପହଞ୍ଚିଥିବା ଜଣାଯାଇଛି। ବିମାନ ବନ୍ଦରରେ ପାର୍ଥିବ ଶରୀର ପହଞ୍ଚିବା ପୂର୍ବରୁ ଏଠାରେ ଆବଶ୍ୟକୀୟ ପ୍ରସ୍ତୁତି କରାଯାଇଥିଲା।

ଦୁଇ ସହିଦ ଯବାନଙ୍କୁ ଶେଷ ସମ୍ମାନ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜଳ, ସ୍ଥଳ ଓ ବାୟୁସେନାବାହିନୀ, ପୁଲିସ ଓ ରାଜନେତା ଉପସ୍ଥିତ ଅଛନ୍ତି। ସେହିଭଳି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ମଧ୍ୟ ଉପସ୍ଥିତ ଅଛନ୍ତି। ସହିଦଙ୍କ ମରଶରୀରରେ ଶ୍ରଦ୍ଧାଞ୍ଜଳି ଦିଆଯିବା ପରେ ଏହା କନ୍ଧମାଳ ଓ ମୟୂରଭଂଜ ଅଭିମୁଖେ ଯିବ ଜନ୍ମମାଟିିରେ ମରଶରୀର ପହଞ୍ଚିବା ପରେ ସହିଦ ଯବାନଙ୍କୁ ପରିବାର ଓ ବନ୍ଧୁବର୍ଗ, ଗ୍ରାମବାସୀ ତଥା ସ୍ଥାନୀୟ ଅଞ୍ଚଳର ଲୋକେ ଶ୍ରଦ୍ଧାଞ୍ଜଳି ଦେବେ। ଏହା ପରେ ଗାଁ ମଶାଣିରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସହିଦ୍‌ ଯବାନମାନଙ୍କର ଶେଷକୃତ୍ୟ ସଂପନ୍ନ ହେବ।

ସୂଚନାଯୋଗ୍ୟ, ଗଲଓ୍ଵାନ ଉପତ୍ୟକାରେ ଚଳିତ ମାସ ୧୫ ଓ ୧୬ ତାରିଖ ରାତିରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ। ଏଥିରେ ଓଡ଼ିଶାରୁ କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକ୍‌ ବିଅରପାଙ୍ଗା ଗ୍ରାମର ଚନ୍ଦ୍ରକାନ୍ତ ପ୍ରଧାନ (୨୮) ଓ ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଡଚମ୍ପାଉଦା ଗ୍ରାମର ସ୍ୱର୍ଗତ କାହ୍ନୁ ସୋରେନଙ୍କ ପୁଅ ନନ୍ଦୁରାମ (୪୩) ସାମିଲ ଥିଲେ।

ସମ୍ବନ୍ଧିତ ଖବର