ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲାର ପୃଥକ ପୃଥକ ସ୍ଥାନରେ ଦୁଇଜଣ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ସୂଚନା ଅନୁଯାୟୀ ଗୋରୁମହିଷାଣୀ ଥାନା ଅର୍ନ୍ତଗତ ଗୁହାଳଡାଙ୍ଗିରୀ ଗ୍ରାମର କଲୋନିସାହିର ସିଙ୍ଗରାୟ ବାନ୍ଦରାଙ୍କ ସ୍ତ୍ରୀ ରାଇମଣୀ ବାନ୍ଦରା(୨୨) ଗତ ୨୪ ତାରିଖ ଠାରୁ ଘରୁ କୁଆଡ଼େ ପଳାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି ପରେ ମଧ୍ୟ ରାଇମଣୀଙ୍କ ସନ୍ଧାନ ପାଇନଥିଲେ। ଆଜି ସକାଳୁ ଗ୍ରାମର କିଛି ଲୋକ ନାଳପାର୍ଶ୍ବରେ ଏକ ନିଛାଟିଆ ଜଙ୍ଗଲ ମଧ୍ୟରେ ଥିବା ଏକ ଆକାଶିଆ ଗଛରେ ଜଣେ ମହିଳାଙ୍କ ଗଳିତ ଶବ ଝୁଲୁଥିବାର ଦେଖି ପୁଲିସକୁ ଖବର ଦେଇଥିଲେ। ପରବର୍ତ୍ତୀ ସମୟରେ ଉକ୍ତ ଶବଟି ରାଇମଣୀଙ୍କ ବୋଲି ପରିବାର ଲୋକେ ଚିହ୍ନଟ କରିଥିଲେ। ପୁଲିସ୍ ପହଂଚି ଶବକୁ ଜବତ କରିବା ପରେ ବ୍ୟବଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିତ୍ସୟାାଳୟକୁ ପଠାଇଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ଏନେଇ ଥାନାଇ ଏଏସଆଇ ହୃଷୀକେଶ ନାୟକ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛନ୍ତି।
ସେହିପରି ରାଇରଙ୍ଗପୁର ଗ୍ରାମାଂଚଳ ଥାନା ଅନ୍ତର୍ଗତ ରାଇହରି ଗ୍ରା.ପର ସାନ ବେଲପାହାଡି ଗ୍ରାମରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ପୁଲିସ ଉଦ୍ଧାର କରିଛି। ସୂଚନା ଅନୁଯାୟୀ ବହଳଦା ଥାନା ଅର୍ନ୍ତଗତ ଜଗନ୍ନାଥପୁର ଗ୍ରାମର ସୁରାଇ ଟୁଡୁ (୨୨) ଓ କାର୍ମୀ ମାରାଣ୍ଡି(୨୩) ଅଢେଇ ବର୍ଷ ପୂର୍ବରୁ ପ୍ରେମ ବିବାହ କରିଥିଲେ। ପରିବାର ଲୋକେ ପ୍ରେମ ବିବାହକୁ ବିରୋଧ କରୁଥିବାରୁ ଏକ ବର୍ଷ ପୂର୍ବରୁ ସୁରାଇ ଓ କାର୍ମୀ ଗ୍ରାମାଂଚଳ ଥାନା ଅର୍ନ୍ତଗତ ସାନ ବେଲପାହାଳି ଗ୍ରାମରେ ତାଙ୍କ ମାମୁଁ ଶଶୁର ଘରେ ରହି ଆସୁଥିଲେ । ତେବେ ଗତ ରାତିରେ ରଜ ଉପଲକ୍ଷେ ଗ୍ରାମରେ ଯାତ୍ରା ହେଉଥିଲା। ଉଭୟ ଯାତ୍ରା ଦେଖି ସାରିବା ପରେ ସକାଳୁ ଘରକୁ ଆସି ଶୋଇଥିଲେ।
ତେବେ ସୁରାଇ ସକାଳ ୭ଟା ବେଳେ ଉଠି ରୋଷେଇ ଘରକୁ ଯାଉଥିବା ସମୟରେ ହଠାତ୍ ଦେଖିଲେ ଯେ ଅନ୍ୟ ଏକ ଘରରେ ତାଙ୍କ ପତ୍ନୀ କାର୍ମୀ ଓଢ଼ଣୀରେ ଝୁଲୁଛନ୍ତି। ଏନେଇ ସେହି ଗ୍ରାମରେ ଥିବା କାର୍ମୀଙ୍କ ବାପା-ମା’ଙ୍କୁ ଖବର ଦେବା ପରେ ପହଂଚିଥିଲେ ଏବଂ ସଂଗେସଂଗେ ତାଙ୍କୁ ବିଜାତଳା ଗୋଷ୍ଠୀ ସ୍ୱାସ୍ଥକେନ୍ଦ୍ରକୁ ନିଆ ଯାଇଥିଲା। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ୍ ପହଂଚି ଶବକୁ ଜବତ କରି ବ୍ୟବଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି। ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ସୂଚନାଯୋଗ୍ୟ ଯେ ଆସନ୍ତାକାଲି କାର୍ମୀଙ୍କ ଜନ୍ମଦିନ ଥିଲା ଏନେଇ ତାଙ୍କ ସ୍ମାମୀ ଓ ବାପା ବିଭିନ୍ନ ଜିନିଷ କିଣାକିଣି କରିଥିଲେ। ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ସେ କାହିଁକି ଆତ୍ମହତ୍ୟା କଲେ ତାହା ଅଷ୍ପଷ୍ଟ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/dead-fff.jpg)