ବିଲ ମଝିରୁ ଗୋଡ଼ବନ୍ଧା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ପୁଲିସ ଓ ସାଇଣ୍ଟିଫିକ୍ ଟିମ୍‌ର ତନାଘନା

ସୋର: ବାଲେଶ୍ବର ଜିଲ୍ଲା ସୋର ଥାନା ଦହିପୁର ଗାଁର ଏକ ବିଲରୁ ଗୋଡ଼ବନ୍ଧା ଅବସ୍ଥାରେ ଜଣେ ମହିଳାଙ୍କ ଉଲଗ୍ନ ମୃତଦେହ ଆଜି ପୁଲିସ ଉଦ୍ଧାର କରିଛି। ମୃତ ମହିଳା ହେଲେ ନିକଟସ୍ଥ ଆମ୍ବଗଡ଼ିଆ ଗ୍ରାମର ମଧୁ ସିଂଙ୍କ ପତ୍ନୀ ସବିତା ସିଂ (୩୦)। ମୃତଦେହ ନିକଟରେ ଭଙ୍ଗା ମଦ ବୋତଲ, ସିନ୍ଦୁର, ବ୍ଲାଉଜ୍‌, ସାୟା, ଗାମୁଛା, ଭଙ୍ଗା ଆଇନା ଦେଖିବାକୁ ମିଳିଛି। ପାରିପାର୍ଶ୍ବିକ ଅବସ୍ଥାରୁ ଏହା ଦୁଷ୍କର୍ମଜନିତ ହତ୍ୟାକାଣ୍ତ ବୋଲି ସନ୍ଦେହ କରି ପୁଲିସ ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ଘଟଣାସ୍ଥଳରେ ତଦନ୍ତ କରିଛି।

ମୃତଦେହରୁ ଦୁର୍ଗନ୍ଧ ବାହାରୁଥିବାରୁ ଘଟଣାଟି ଦୁଇଦିନ ତଳର ବୋଲି ଅନୁମାନ କରାଯାଉଛି। ସବୁଠୁ ବଡ଼ କଥା ହେଲା, ଏହାକୁ ଦୃଷ୍ଟି ଆଢୁଆଳରେ ରଖାଯିବା ପାଇଁ ଶବ ଉପରେ କୁଟା ଢାଙ୍କି ଦିଆଯାଇଥିଲା। ସୋର ବ୍ଲକ ମାଣିତ୍ରୀ ପଞ୍ଚାୟତ ଦହିପୁର ବେତଗଡ଼ିଆ ଗାଁ ନିକଟସ୍ଥ ନିଛାଟିଆ ବିଲ ମଝିରେ କୁଟାଗଦା ଭିତରେ ଏହି ଗଳିତ ଶବକୁ ସ୍ଥାନୀୟ ଲୋକମାନେ ଦେଖି ପୁଲିସକୁ ଖବର ଦେଇଥିଲେ। ଏସ୍‌ଡିପିଓ ପ୍ରଭାସଚନ୍ଦ୍ର ପାଲ, ସୋର ଥାନା ଆଇଆଇସି ମଧୁମିତା ମହାନ୍ତି, ଏସ୍‌ଆଇ ସଚ୍ଚିଦାନନ୍ଦ ଗିରି, ଚିନୁଲତା ଦାସ, ଏଏସ୍‌ଆଇ ରାଧାଗୋବିନ୍ଦ ମଢ଼ୁଆଳଙ୍କ ସହିତ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ଆଜି ଘଟଣାସ୍ଥଳକୁ ଯାଇ ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରିବା ସହ ପ୍ରାଥମିକ ତଦନ୍ତ କରିଛନ୍ତି।

ମୃତଦେହଠାରୁ କିଛି ଦୂରରେ ଏକ ଗାମୁଛା, ମଦ ବୋତଲ, ଆଇନା, ସିନ୍ଦୁର ସହ ଏକାଧିକ ବ୍ଲାଉଜ୍‌ ଓ ସାୟା ପଡ଼ିଥିବାରୁ ଦୁଷ୍କର୍ମ ପରେ ମହିଳାଙ୍କୁ ହତ୍ୟା କରାଯାଇଥିବା ପୁଲିସ୍‌ ସନ୍ଦେହ କରୁଛି। ତେବେ ଧାନବିଲରୁ ସବିତାଙ୍କର ଉଲଗ୍ନ ମୃତଦେହ ମିଳିବା, ଏ ସଂକ୍ରାନ୍ତରେ ତାଙ୍କ ସ୍ବାମୀ ଥାନାରେ କିଛି ନ ଜଣାଇବା ସମଗ୍ର ଘଟଣାକୁ ରହସ୍ୟାବୃତ କରିଛି। ଏହି ଘଟଣାରେ ସବିତାଙ୍କ ସ୍ବାମୀଙ୍କୁ ଅଟକ ରଖି ଜେରା କରାଯାଉଥିବା ସୋର ଥାନା ଆଇଆଇସି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର