ଜୟପୁର: ଭାରତୀୟ ଜନତା ପାର୍ଟିର ଯୁବ ନେତା ଲିଙ୍ଗରାଜ ଓରଫ ପପୁନ ପାତ୍ର(୩୮)ଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ସେ ବେକରେ ଗାମୁଛା ବାନ୍ଧି ପାରାବେଢ଼ା ଝାଙ୍କରଦେଇ ମନ୍ଦିର ଦ୍ବିତୀୟ ଲାଇନରେ ଥିବା ବାସଭବନରେ ନିଜେ ନିଜ ଜୀବନକୁ ଶେଷ କରିଥିବା ନେଇ ଚର୍ଚ୍ଚା ହେଉଛି। ଗୁରୁବାର ପପୁନ୍ ଏଭଳି କରିଥିବା ବେଳେ ଶୁକ୍ରବାର ଦିନ ଜୟପୁର ଟାଉନଥାନା ପୁଲିସ ସୂଚନା ପାଇ ଘର ମଧ୍ୟରୁ ଶବକୁ ବାହାର କରି ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ନେଇ ବ୍ୟବଛେଦ କରାଇଥିଲା। ଘଟଣାର ତଦନ୍ତ କରି ଅପମୃତ ମାମଲା ରୁଜୁ କରି ବ୍ୟାବଛେଦ ପରେ ପରିବାରବର୍ଗକୁ ହସ୍ତାନ୍ତର କରିଥିବା କହିଛନ୍ତି ତଦନ୍ତକାରୀ ଅଧିକାରୀ ସବଇନ୍ସପେକ୍ଟର ସିଦ୍ଧାର୍ଥ ବେହେରା।
ମିଳିଥିବା ସୂଚନା ଅନୁଯାୟୀ, ପାରାବେଢ଼ା ଝାଙ୍କରଦେଇ ମନ୍ଦିର ଦ୍ବିତୀୟ ଲାଇନରେ ପପୁନ୍ ରହୁଥିଲେ। ଘରେ ତାଙ୍କ ମା’ କିମ୍ବା ସ୍ତ୍ରୀ ଆଦି କେହି ନଥିଲେ। ତିନି ମହଲା ଘରର ମଝି ଘରେ ପପୁନ୍ ପରିବାର ନେଇ ରହୁଥିଲେ। ତେବେ ଗୁରୁବାର ତାଙ୍କ ବାଇକ୍ ଘର ତଳେ ଥିବା ବେଳେ ସେ ଘରୁ ବାହାରି ନଥିଲେ। ସାହି ପଡ଼ିଶା ଆଦି ସଂଦେହ କରି ତାଙ୍କ ମୋବାଇଲକୁ ଫୋନ କରିଥିଲେ।
ତେବେ ସେ ଫୋନ ଉଠାଇ ନଥିଲେ। ପରେ ସାହି ବାସିନ୍ଦାଙ୍କୁ ସଂଦେହ ହେବାରୁ ଜୟପୁର ଟାଉନପୁଲିସକୁ ସୂଚନା ଦେଇଥିଲେ। ଘର ମଧ୍ୟରେ ସେ ବେକରେ ଗାମୁଛା ବେକରେ ବାନ୍ଧି ଓହଳି ପଡ଼ି ଆତ୍ମହତ୍ୟା କରିଥିବା ପୁଲିସ ଦେଖିଥିଲା। ତାଙ୍କର ବର୍ଷକର ଝିଅ ରହିଛି। ପ୍ରାଥମିକ ତଦନ୍ତରୁ ପାରିବାରିକ କଳହକୁ କେନ୍ଦ୍ର କରି ପପୁନ୍ ଏଭଳି କରିଥାଇ ପାରନ୍ତି ବୋଲି ତଦନ୍ତକାରୀ ଅଧିକାରୀ ସବଇନିସପେକ୍ଟର ସଂଦେହ କରୁଥିବା କହିଛନ୍ତି। ପପୁନ୍ ମେଳାପୀ, ମିଷ୍ଠଭାଷୀ ଓ ଆଧ୍ୟାତ୍ମିକ ଚିନ୍ତାଧାରାର ଯୁବକ ଥିଲେ। ବିଜେପିରେ ସେ ଜଣେ ସକ୍ରିୟ ଯୁବ ସଂଗଠକ ଭାବେ କାମ କରୁଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରଚାର ହେବା ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।