ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଲରମ୍ଭା ଥାନା ଅନ୍ତର୍ଗତ ଗଭରା ଗ୍ରାମରେ ବିନୋଦ ବରିହା(୧୭) ନାମକ ଜଣକର ମୃତଦେହ ଗାଁ ପୋଖରୀରେ ଭାସୁଥିବା ଦେଖିବାକୁ ମିଳିଛି। ଖବର ପାଇ ଘଟଣା ସ୍ଥଳରେ ଲରମ୍ଭା ପୁଲିସ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି। ତେବେ ପାରିପାରିର୍ଶ୍ବିକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଅନୁମାନ କରା ଯାଉଥିବା ଜଣାପଡିଛି।
ମିଳିଥିବା ସୂଚନା ଅନୁଯାୟୀ, ପାଟଣାଗଡ଼ ବ୍ଲକ ଲରମ୍ଭା ଥାନା ଅନ୍ତର୍ଗତ ଆଭ୍ୟାନ୍ତରୀଣ ଅଞ୍ଚଳ ଗଭରା ଗ୍ରାମରେ ରହୁଥିବା ବିନୋଦ ବରିହା ଗାଧୋଇବା ପାଇଁ ଯାଇଥିଲେ। ସେ ଆଉ ଘରକୁ ଫେରି ନ ଥିଲେ। ବିନୋଦ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ପରେ ସନ୍ଧ୍ୟାରେ ବିନୋଦର ମୃତଦେହ ପୋଖରୀରେ ଭାସୁଥିବା ନେଇ ଦେଖିବାକୁ ପାଇଥିଲେ।
ଏ ସମ୍ପର୍କରେ ରାତି ୮ଟାରେ ଲରମ୍ଭା ପୁଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ବିନୋଦର ମୃତଦେହ ପୋଖରୀରେ ଭାସୁଥିବା ବେଳେ ତା ଅଣ୍ଟାରେ ସେ ଧରିଥିବା ମାଛ ଗୁଡିକ ଥିବା ଦେଖିବାକୁ ମିଳିଛି। ସେହିପରି ବିନୋଦର ଶରୀରରେ ତିନି ଚାରି ସ୍ଥାନରେ ଗଭୀର ଆଘାତ ହୋଇଥିବା ଓ ପୋଖରୀ ନିକଟରେ ରକ୍ତ ଛିଟା ପଡ଼ିଥିବା ନେଇ ବିଶ୍ବସ୍ତ ସୂତ୍ରରୁ ଜଣାପଡିଛି। ପାରିପାର୍ଶ୍ବିକ ସ୍ଥିତିକୁ ଅନୁଧ୍ୟାନ କଲେ ବିନୋଦକୁ ପିଟି ପିଟି/ମାଡ଼ ମାରି ପୋଖରୀରେ ଫିଙ୍ଗି ଦେଇଥିବା ନେଇ ଅନୁମାନ କରା ଯାଉଛି। ବର୍ତ୍ତମାନ ଘଟଣାସ୍ଥଳରେ ମୃତଦେହ ଥିବା ବେଳେ ପୁଲିସ ପହଞ୍ଚି ମୃତଦେହ ଠାବ କରିଥିବା ଓ ସକାଳୁ ଏହାକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ କରିବା ପାଇଁ ପଠାଇବାକୁ ଥିବା ନେଇ ଜଣାପଡିଛି। ତେବେ ମୃତ୍ୟୁ/ହତ୍ୟାର କାରଣ ଏ ଯାଏଁ ସ୍ପଷ୍ଟ ଭାବେ ଜଣାପଡି ନାହିଁ।