ସୁବଳୟା/ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ମୁର୍ଷୂଣ୍ଢି ପଞ୍ଚାୟତ ଭୂତିଆପାଲି ଘୁଙ୍ଗିନାଳରେ ଥିବା ଏକ ପୋଲ ତଳୁ ଜଣେ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ। ମୃତକ ଜଣକ ଘଣ୍ଟପାଲି ଗ୍ରାମର ବସନ୍ତ ମାଳି(୨୬) ବୋଲି ଜଣାପଡ଼ିଛି। ମୃତଦେହକୁ ପୋଲ ତଳୁ ବାହାର କରିବା ପରେ ପରିବାର ଲୋକେ ଚିହ୍ନଟ କରିଥିଲେ।
ସୂଚନାଯୋଗ୍ୟ, ବସନ୍ତ ଗତ ୨୩ ତାରିଖ ସକାଳ ୮ଟାରେ ଘରୁ ବାହାରି କୁଆଡ଼େ ଚାଲିଯାଇ ଥିଲେ। ସନ୍ଧ୍ୟାସୁଦ୍ଧା ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ତଥାପି ସନ୍ଧାନ ନ ପାଇବାରୁ ୨୪ ତାରିଖ ବୀରମହାରାଜପୁର ଥାନାରେ ବସନ୍ତ ନିଖୋଜ ଥିବା ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ। ତେବେ ସୋମବାର ଅପରାହ୍ନରେ ସମ୍ପୃକ୍ତ ପୋଲ ତଳୁ ଦୁର୍ଗନ୍ଧ ବାହାରୁଥିବାରୁ ଲୋକମାନେ ପୁଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ। ବସନ୍ତଙ୍କ ମୃତଦେହକୁ ବୀରମହାରାଜପୁର ଡାକ୍ତରଖାନାକୁ ଅଣାଯାଇ ଶବ ସଂରକ୍ଷଣ ଗୃହରେ ରଖାଯାଇଛି। ମଙ୍ଗଳବାର ବ୍ୟବଚ୍ଛେଦ ପରେ ଏହା ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଥିବା ଏଏସଆଇ ରବୀନ୍ଦ୍ର ସାହୁ କହିଛନ୍ତି। ଏହା ଏକ ଅପମୃତ୍ୟୁ ନା ହତ୍ୟାକାଣ୍ଡ ତାହା ତଦନ୍ତ ପରେ ଜଣାପଡ଼ିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/dead-f.jpg)