ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ସଦର ଜୟନ୍ତୀନଗରର ଜଣେ ଯୁବକଙ୍କ ମୃତଦେହ ପଞ୍ଚାୟତ କାର୍ଯ୍ୟାଳୟ ପଛପଟରୁ ଉଦ୍ଧାର ହୋଇଛି। ମୃତ ଯୁବକ ଜୟନ୍ତୀନଗରର ବିଷ୍ଣୁ ହରିଜନ (୨୭)। ତାଙ୍କୁ କେହି ହତ୍ୟା କରି ଏଠାରେ ଛାଡି ଚାଲି ଯାଇଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାୟୀ ବିଷ୍ଣୁ ହରିଜନ ଡାବୁଗାଁ ସଦର ଜୟନ୍ତୀନଗରରେ ରୁହନ୍ତି। ସ୍ତ୍ରୀ ଗର୍ଭବତୀ ଥିବା ବେଳେ ମା’ ଓ ଦୁଇ ପୁଅ-ଝିଅ ସହ ବିଷ୍ଣୁଙ୍କ ପରିବାର।ଶନିବାର ବିଷ୍ଣୁ ଦିନ ୧୨ଟା ଯାଏଁ ପରିବାର ଲୋକଙ୍କ ସହ ଥିଲେ। ତା’ ପରେ ବାହାରକୁ ଯାଇଥିଲେ ଏବଂ ରାତିରେ ସେ ଘରକୁ ଫେରି ନ ଥିଲେ। ଆଜି ସକାଳେ ତାଙ୍କର ମୃତହେଦ ଡାବୁଗାଁ ଗ୍ରାମପଞ୍ଚାୟତ ପଛପଟ କାନ୍ଥ ନିକଟରେ ପଡ଼ିଥିବା ଗ୍ରାମବାସୀ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପାରିପାର୍ଶିକ ସ୍ଥିତି ଅନୁମାନ କରାଗଲେ ବିଷ୍ଣୁଙ୍କ ବେକରେ ଦୁର୍ବୃତ୍ତମାନେ ଗାମୁଛା ଭିଡି ହତ୍ୟା କରିବା ପରେ ସେଠାରେ ଛାଡି ଚାଲି ଯାଇଥିବା ସନ୍ଦେହ କରାଯାଉଛି।
ମୃତ ବିଷ୍ନୁଙ୍କ ବେକରେ ଏକ ଗାମୁଛା ଗଣ୍ଠି ହୋଇ ରହିଥିଲା। ମୃତ ବିଷ୍ଣୁଙ୍କ ମା’ ଯମୁନା ହରିଜନ ଏ ନେଇ ତା ପୁଅଙ୍କୁ କେହି ହତ୍ୟା କରିଥିବା ନେଇ ଥାନାରେ ଏତଲା ଦେବା ପରେ ପୁଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଥିଲା। ଘଟଣା ସ୍ଥଳରେ ଡାବୁଗାଁ ଥାନା ଅଧିକାରୀ ସୁନୀଲ ପ୍ରଧାନ, ଏସ ଆଇ ଚନ୍ଦନ ସାହୁ, ଏଏସଆଇ ଶିଶିର କାନ୍ତ ଘୋଷ ସହ ସନ୍ଧାନି କୁକୁର ଦଳ ଓ ସାଇନ୍ଟି ଫିକ୍ ଦଳ ଦିନ ତମାମ ତଦନ୍ତ କରିଥିଲେ।
ପରିବାର ଲୋକେ ବିଷ୍ଣୁଙ୍କୁ ହତ୍ୟା କରାଯାଇଛି ବୋଲି ଅଡି ବସିଥିବା ବେଳେ ଶୀଘ୍ର ଅଭିଯୁକ୍ତଙ୍କୁ ଚିହ୍ନଟ କରିବାକୁ ପୁଲିସ ନିକଟରେ ନିବେଦନ କରିଥିଲେ। ଅପରାହ୍ନରେ ଶବ ବ୍ୟେବଛେଦ ନେଇ ପରିବାର ଲୋକ ଓ ପୁଲିସ ମଧ୍ୟରେ ଯୁକ୍ତି ହୋଇଥିଲା। ଡାବୁଗାଁରେ ଶବ ବ୍ୟବଛେଦ ଗୃହ ଥିଲେ ସୁଦ୍ଧା ଡାକ୍ତର ନ ଥିବାରୁ ଏହା କରାଯାଇ ପାରି ନଥିଲଶ। ତେଣୁ ନବରଙ୍ଗପୁର ଜିଲ୍ଲା ସରକାରୀ ଡ଼ାକ୍ତରଖାନାରେ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ କହିଥିବା ବେଳେ ପ୍ରଥମେ ପରିବାର ଲୋକେ ଏହାକୁ ବିରୋଧ କରିଥିଲେ। କିନ୍ତୁ ପରେ ନବରଙ୍ଗପୁରରେ ଶବ ବ୍ୟବଛେଦ ପରେ ପୁଲିସ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିଲେ। ଏ ନେଇ କେଶ ନ ୯୪/୨୩ ରେ ପୁଲିସ ମାମଲା ରୁଜୁ କରିଥିବା ବେଳେ ଘଟଣାର ତଦନ୍ତ ହେବ ବୋଲି ଏସ ଆଇ ଚନ୍ଦନ ସାହୁ କହିଛନ୍ତି।