ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ପାତ୍ରପଡ଼ା ନିକଟସ୍ଥ ଏକ ପୋଖରୀରୁ ବରିଷ୍ଠ ସାମ୍ବାଦିକ ତଥା ଦୈନିକ ‘ନିର୍ଭୟ’ର ସଂପାଦକ ନବୀନ ଦାସଙ୍କ ପୁଅର ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଏ ନେଇ କମିସନରେଟ୍ ପୁଲିସ ପକ୍ଷରୁ ଛାନଭିନ୍ ଆରମ୍ଭ ହୋଇଛି। ମୃତଦେହ ସାମ୍ବାଦିକ ନବୀନ ଦାସଙ୍କ ବଡ଼ ପୁଅ ମନୀଷ ଅନୁରାଗଙ୍କର ବୋଲି ଚିହ୍ନଟ କରାଯାଇଛି । ତାଙ୍କର ବୟସ ମାତ୍ର ୩୦ ବର୍ଷ ବୋଲି ଜଣାପଡ଼ିଛି। ଏହି ଘଟଣା ନେଇ ସୋସିଆଲ୍ ମିଡିଆରେ ସୂଚନା ଦେଇଛନ୍ତି ଶ୍ରୀଯୁକ୍ତ ଦାସ।
ତେବେ ଗତକାଲି ରାତିରେ ପୁଅ ମନୀଷ ଅନୁରାଗଙ୍କୁ ତାଙ୍କ ଶ୍ରୀବିହାରସ୍ଥିତ ବାସଭବନରୁ କିଛି ଯୁବକ ନେଇଆସି ମାରପିଟ କରିଥିଲେ। ଏ ନେଇ ମନୀଷ ଫୋନ କରି ସୂଚନା ଦେଇଥିଲେ ବୋଲି ଜଣାପଡ଼ିଛି। ସେ ତାଙ୍କ ବାପାଙ୍କୁ ମଧ୍ୟ ‘ର୍ନିଭୟ’ ଖବର କାଗଜର ପରିଚାଳନାରେ ସାହାଯ୍ୟ କରୁଥିଲେ। ଆସନ୍ତା ମାସରେ ତାଙ୍କର ବାହାଘର ସ୍ଥିର ହୋଇଥିଲା।