ଯୁବକଙ୍କୁ ଅପହରଣ ପରେ ହତ୍ୟା, ପରିତ୍ୟକ୍ତ କୂଅରୁ ମୃତଦେହ ଉଦ୍ଧାର

ଆଠଗଡ଼ : ଆଠଗଡ଼ ଥାନା ଖୁଣ୍ଟକଟା ପଞ୍ଚାୟତ ଅନ୍ତର୍ଗତ ରେଗେଡ଼ାପଡ଼ା ଗ୍ରାମରେ ଗୁରୁବାର ରାତିରେ ଯାତ୍ରା ଦେଖିବାକୁ ଯାଇଥିବା ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ସଂଘବଦ୍ଧ ଭାବେ ଆକ୍ରମଣ କରି ଅପହରଣ କରିବା ପରେ ତାଙ୍କୁ ହତ୍ୟା କରିଛନ୍ତି। ଯୁବକଙ୍କ ମୃତଦେହ ନିକଟସ୍ଥ ଏକ ପରିତ୍ୟକ୍ତ କୂଅରୁ ଉଦ୍ଧାର କରାଯାଇଛି। ଆଜି ସକାଳେ ଆଠଗଡ଼ ପୁଲିସ୍‌ କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର କରିବା ସହ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ପୁଲିସ୍‌ ସୂତ୍ରରୁ ପ୍ରକାଶ ଯେ ଅକ୍ଷୟ ତୃତୀୟା ଉପଲକ୍ଷେ ରେଗେଡ଼ାପଡ଼ା ଗ୍ରାମରେ ଗତ ୭ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଗଣନାଟ୍ୟ ପରିବେଷଣ କରାଯାଇଥିଲା। କଟକରେ ସାନିଟାରି କାର୍ଯ୍ୟ କରୁଥିବା ଖୁଣ୍ଟକଟା ଦଳିତସାହିର ମନୋଜ ନାଏକ ଗୁରୁବାର ରାତିରେ ଗ୍ରାମର କିଛି ସାଙ୍ଗଙ୍କ ସହ ଯାତ୍ରା ଦେଖିବା ପାଇଁ ରେଗେଡ଼ାପଡ଼ା ଯାଇଥିଲେ। ସେଠାରେ ରେଗେଡ଼ାପଡ଼ାର କିଛି ଯୁବକଙ୍କ ସହ ମନୋଜଙ୍କ ସାଂଗମାନଙ୍କର ଗଣ୍ଡଗୋଳ ହୋଇଥିଲା। ଠେଙ୍ଗା ଓ ମାରଣାସ୍ତ୍ରରେ ଆକ୍ରମଣ କରାଯିବାରୁ ମନୋଜଙ୍କ ସାଂଗମାନେ ଛତ୍ରଭଙ୍ଗ ଦେଇଥିଲେ। ମାତ୍ର ମନୋଜ ସେମାନଙ୍କ ହାବୁଡ଼ରେ ପଡ଼ି ଯାଇଥିଲେ। ଦୁର୍ବୃତ୍ତମାନେ ମନୋଜଙ୍କୁ ଆକ୍ରମଣ କରିବା ସହ ଅପହରଣ କରିନେଇ ଯାଇଥିଲେ। ଏହା ପରଠାରୁ ତାଙ୍କର ପତ୍ତା ମିଳି ନ ଥିଲା। ଶୁକ୍ରବାର ସକାଳେ ରେଗେଡ଼ାପଡ଼ା ଗ୍ରାମର ଏକ ପରିତ୍ୟକ୍ତ କୂଅରେ ମନୋଜଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ପୁଲିସ୍‌କୁ ସୂଚନା ଦେଇଥିଲେ। ଖବର ପାଇ ଆଠଗଡ଼ ଥାନା ଆଇଆଇସି ପଦାରବିନ୍ଦ ତ୍ରିପାଠୀ, ଡିଏସ୍‌ପି ଆଲୋକ ରଞ୍ଜନ ରାୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ଆଠଗଡ଼ରୁ ଦମକଳ ବାହିନୀ ପହଂଚି କୂଅରୁ ମୃତଦେହ ଉଦ୍ଧାର କରିଥିଲା। ସେହିପରି ସାଇଣ୍ଟିଫିକ୍‌ ଟିମ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି। ଏ ସମ୍ପର୍କରେ ମୃତ ମନୋଜଙ୍କ ବାପା ମେଘନାଦ ନାଏକ ଆଠଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ରେଗେଡ଼ାପଡ଼ାର କଙ୍କଡ଼ି ସ୍ବାଇଁ, ଧନି ସ୍ବାଇଁ, ଗଙ୍ଗା ସ୍ବାଇଁ, ଗୁରୁବାରୀ ନାଥ, ଜଗନ ସାହୁ, ବଳରାମ ସ୍ବାଇଁ ସଂଘବଦ୍ଧ ଭାବେ ଆକ୍ରମଣ କରି ମନୋଜଙ୍କୁ ହତ୍ୟା କରିଛନ୍ତି ବୋଲି ସେ ଏତଲା ଦର୍ଶାଇଛନ୍ତି। ଏ ନେଇ ଥାନାରେ ଏକ ମାମଲା (କେସ୍‌ ନଂ-୧୧୦/୧୯) ରୁଜୁ କରି ପୁଲିସ୍‌ ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି। ତେବେ ଘଟଣା ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା ପୁଲିସ୍‌ କହିଛି। ସେମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଡିଏସ୍‌ପି ଶ୍ରୀ ରାୟ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର