ବୁଗୁଡ଼ା/ବାଲିପଦର: ଆଉ ଭଲ ହେବେନି, ଘରକୁ ନେଇଯାଅ ବୋଲି ବୃନ୍ଦାବନଙ୍କୁ ବଡ଼ ମେଡିକାଲରୁ ଡିସ୍ଚାର୍ଜ କରିଦେଲେ। ବାପାଙ୍କୁ ବସ୍ରେ ବସାଇ ସାଙ୍ଗରେ ଘରକୁ ନେଉଥିଲେ ଝିଅ ସୁଲତା। ଓହ୍ଲାଇଲା ବେଳକୁ ବାପା ଶବ ପାଲଟି ସାରିଥିଲେ। ସେଠାରୁ ମାତ୍ର ୧୩ କିଲୋମିଟର ଦୂର ଗାଁକୁ ଯିବା ପାଇଁ ଖୋଜା ପଡ଼ିଲା ଗାଡ଼ି। ସବୁଦିନ ସାଧାରଣ ଯାତ୍ରୀଙ୍କୁ ନେଇ ଯାଉଥିବା ଅଟୋ ଯାତ୍ରୀ ମାନେ ଶବ ଦେଖି ନାକ ଟେକିଲେ। କିଛି ବଦାନ୍ୟ ବ୍ୟକ୍ତି ମହାପ୍ରୟାଣ ଗାଡ଼ି ସହ ଯୋଗାଯୋଗ କରିଥିଲେ। ହେଲେ ଦୁଇ ଘଣ୍ଟା ଧରି ଅପେକ୍ଷା କଲା ପରେ ବି ମହାପ୍ରୟାଣ ଗାଡ଼ି ଆସିଲା ନାହିଁ। ଜନଗହଳି ଛକ ଉପରେ ବାପାର ଶବକୁ ପକାଇ ଝିଅ କାକୁତିମିନତି ହେଉଥିଲା। ହେଲେ ସତେ ଯେମିତି ମାନବିକତା ହଜି ଯାଇଥିଲା। କେହି ବି ପାଖତଡ଼ ମାଡ଼ି ନଥିଲେ। ଶେଷରେ ଅପରାହ୍ନ ପ୍ରାୟ ୫ଟା ବେଳେ ଜଣେ ଟ୍ରଲି ଚାଳକ ଶବ ନେବାକୁ ରାଜି ହେଲେ। ସେଥିରେ ଶବକୁ ଲଦି ୧୩ କିଲୋମିଟର ଗାଁ ପର୍ଯ୍ୟନ୍ତ ନିଆ ଯାଇଥିଲା। ଗଂଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଗୌଡ଼ିଆବୋରଦା ଗ୍ରାମରେ ଏହି ଘଟଣା ଆଜି ଚର୍ଚ୍ଚାର ବିଷୟ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗୌଡ଼ିଆବୋରଦା ଗ୍ରାମର ବୃନ୍ଦାବନ ସ୍ୱାଇଁ ଅସୁସ୍ଥ ହୋଇ ଗତ ୧୨ ତାରିଖରେ ବ୍ରହ୍ମପୁର ବଡ଼ମେଡିକାଲରେ ଭର୍ତି ହୋଇଥିଲେ। ସାଙ୍ଗରେ ଥିବା ଝିଅ ସୁଲତା ଓ ଜ୍ୱାଇଁ ଟୁନା ତାଙ୍କର ଦେଖା ରଖା କରୁଥିଲେ। ହେଲେ ବୃନ୍ଦାବନ ଆଉ ସୁସ୍ଥ ହେବେନି ବୋଲି ଡାକ୍ତର କହିବା ସହ ତାଙ୍କୁ ମେଡିକାଲରୁ ନେଇ ଯିବାକୁ ପରାମର୍ଶ ଦେଲେ। ଫଳରେ ଆଜି ଅପରାହ୍ନ ପ୍ରାୟ ଗୋଟାଏ ବେଳେ ବ୍ରହ୍ମପୁରରୁ ଏକ ଘରୋଇ ବସ୍ରେ ବୃନ୍ଦାବନ ଓ ତାଙ୍କ ଝିଅ, ଜ୍ୱାଇଁ ବାଲିପଦର ପର୍ଯ୍ୟନ୍ତ ଆସିବା ପାଇଁ ଚଢିଥିଲେ। ହେଲେ ହିଞ୍ଜିଳିକାଟୁରେ ଚଳନ୍ତା ବସ୍ରେ ହିଁ ବୃନ୍ଦାବନଙ୍କ ମୃତ୍ୟୁ ହୋଇ ସାରିଥିଲା। ଏ କଥା ଅନ୍ୟ ଯାତ୍ରୀ ମାନେ ବି ଜାଣି ପାରି ନଥିଲେ। ଅପରାହ୍ନ ପ୍ରାୟ ୩ଟାରେ ବାଲିପଦର ଛକରେ ବସ୍ ପହଞ୍ଚିବା ପରେ ବୃନ୍ଦାବନଙ୍କ ମୃତ୍ୟୁ ଘଟିଥିବା ଜଣା ପଡ଼ିଥିଲା। ହେଲେ ଡ୍ରାଇଭର କ୍ଷୋଭ ପ୍ରକାଶ କରି ସଂଗେ ସଂଗେ ଶବକୁ ବସ୍ ଭିତରୁ ବାହାର କରିବାକୁ କହିଥିଲେ। ଶବ ଧରି ସୁଲତା ଓ ଟୁନା ଓହ୍ଲାଇବା ପରେ ବାଲିପଦର ଛକରୁ ୧୩ କିଲୋମିଟର ଦୂର ଗୌଡ଼ିଆବୋରଦା ଗ୍ରାମକୁ ଯିବା ପାଇଁ ସମସ୍ତ ଅଟୋ ଚାଳକଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ଶବ ନେବା ପାଇଁ କେହି ରାଜି ହୋଇ ନଥିଲେ। କିଛି ସ୍ଥାନୀୟ ଲୋକ ମୋବାଇଲ୍ ଫୋନ୍ ଯୋଗେ ମହାପ୍ରୟାଣ ଗାଡ଼ି ଓ ଅନ୍ୟ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ। ହେଲେ କୌଣସି ଗାଡ଼ି ଆସି ନଥିଲା। ରାସ୍ତା କଡ଼ରେ ସେମିିତି ଦୁଇ ଘଣ୍ଟା କାଳ ଶବ ପଡ଼ି ରହିଥିବା ବେଳେ ସଭିଏଁ କେବଳ ଦେଖଣାହାରୀ ସାଜିଥିଲେ। ଅପରାହ୍ନ ପ୍ରାୟ ୫ଟାରେ ଜଣେ ଟ୍ରଲି ଚାଳକ ସୁଲତାଙ୍କ ଅବସ୍ଥା ଦେଖି ସହୃଦୟତା ଦେଖାଇଥିଲେ।