ଶ୍ମଶାନରୁ ଶବ ଉଠାଇ ନେଲା ପୁଲିସ

ଛତିଆ: ମହିଳାଙ୍କୁ ହତ୍ୟା କରାଯାଇ ତରବରିଆ ଭାବେ ପୋଡ଼ି ଦେବାକୁ ଉଦ୍ୟମ କରାଯାଉଥିବା ବେଳେ ଅଭିଯୋଗ ପାଇ ପୁଲିସ ଶ୍ମଶାନରେ ପହଞ୍ଚି ଜୁଇରୁ ଶବ ଉଠାଇ ଆଣିଛି। ଏଭଳି ସାଂଘାତିକ ଘଟଣା ଘଟିଛି ବୈରୀ ଥାନା ଅନ୍ତର୍ଗତ ପଦ୍ମନାଭପୁର ଶାସନ ଗ୍ରାମରେ। ମୃତ ମହିଳାଙ୍କ ସ୍ବାମୀଙ୍କୁ ପୁଲିସ ଧରିଆଣି ଅଟକ ରଖିଛି। ମୃତକ ହେଉଛନ୍ତି ଗ୍ରାମର ଶରତ ଚନ୍ଦ୍ର ତ୍ରିପାଠୀଙ୍କ ପତ୍ନୀ ମମତା ତ୍ରିପାଠୀ(୪୨)। ମମତାଙ୍କ ଶବ ବ୍ୟବଚ୍ଛେଦ ପାଇଁ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି। ମୃତ ମମତାଙ୍କ ଉଭଣୀ ପୁଅ ସୁଜିତ ହୋତାଙ୍କ ଅଭିଯୋଗ ଆଧାରରେ ପୁଲିସ  ୧୨୪/୨୦ରେ ଦଫା ୩୦୨/୩୪ ଆଇପିସିରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ଅଭି‌ଯୋଗ ଅନୁଯାୟୀ, ମମତାଙ୍କୁ ତାଙ୍କ ସ୍ବାମୀ ଶରତ ଅନେକ ସମୟରେ ମାନସିକ ଓ ଶାରୀରିକ ନର୍ଯ୍ୟାତନା ଦେଇ ଆସୁଥିଲେ।  ସେଥିରେ ତାଙ୍କର ଜଣେ ଭଣଜା ସହଯୋଗ କରୁଥିଲେ। ଗତକାଲି ରାତିରେ ମମତା ଓ ଶରତଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ସେଥିରେ ଶରତ ଉତକ୍ଷିପ୍ତ ହୋଇ ମମତାଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଦର୍ଶାଯାଇଛି। ମାତ୍ର ମମତାଙ୍କର ହୃଦଘାତ‌ରେ ମୃତ୍ୟୁ ହୋଇଯାଇଛି ବୋଲି ଶରତଙ୍କ ପରିବାର ଆଜି ସାହିପଡ଼ିଶାଙ୍କ ନିକଟରେ ପ୍ରଚାର କରିଥିଲେ। ମାତ୍ର ସାହିପଡ଼ିଶାଙ୍କ ସନ୍ଦେହ ହେବାରୁ ସେମାନେ ଶବ ଦାହ ପାଇଁ ଆସି ନଥିଲେ।  ଫଳରେ ଶରତ ଅନ୍ୟ ଉପାୟ ନ ପାଇ ତରବରିଆ ଭାବ‌ରେ ନିଜର କିଛି ବନ୍ଧୁ ଓ ସମ୍ପର୍କୀୟଙ୍କ ସହାୟତାରେ ଶବ ଦାହ ପାଇଁ ଶ୍ମଶାନକୁ ନେଇଥିଲେ।

ସେଠାରେ ଜୁଇ ସଜାଡ଼ି  ଶବ ରଖି କିରାସିନି ଢାଳି ଦେଇଥିଲେ। ନିଆଁ ଲଗାଇବାକୁ ଯାଉଥିବା‌ ବେଳେ ନୂଆ ଶାସନରେ ରହୁଥିବା ମମତାଙ୍କ ଭଉଣୀ ଘର ପରିବାର ସେଠାରେ ପହଞ୍ଚି ଏହାକୁ ତୀବ୍ର ବିରୋଧ କରିଥିଲେ। ସେଠାରେ ସେମାନଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିଲା। ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ସେମାନେ ବୈରୀ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ବୈରୀ ପୁଲିସ ଶ୍ମଶାନରେ ପହଞ୍ଚି ମମତାଙ୍କ ଶବକୁ ଜୁଇରୁ ଉଠାଇ ଆଣିଥିଲା। ତାଙ୍କ ସ୍ବାମୀ ଶରତଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ମମତାଙ୍କ ବେକରେ ଦାଗ ରହିଛି।  ମୃତ ମମତାଙ୍କ ବଡ଼ ପୁଅ ବାହାରେ ରହୁଥିବା ବେଳେ ସାନପୁଅ ଗାଁରେ ରହୁଛି।

ସମ୍ବନ୍ଧିତ ଖବର