ଜୟପୁର: ମୋ ଝିଅ ଝିଲ୍ଲି ଜାନୀ କେବେ ବି ଗାଧେଇବା ପାଇଁ ପୋଖରୀ, ନାଳ ଅଥବା ନଦୀକୁ ଯାଏ ନାହିଁ। ତାକୁ ଯୋଜନାବଦ୍ଧ ଭାବେ ହତ୍ୟା କରି ପୋଖରୀରେ ପକାଇ ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ଜୟପୁର ବ୍ଲକର ପୁଷପୁରୀ ଗାଁର ଲକ୍ଷ୍ମୀ ଜାନୀ। ତାକୁ ତା ସ୍ବାମୀ ଆମ୍ବାଗୁଡା ମାର୍କେଟ କଲୋନିର ବୁଲୁ ହରିଜନ, ପ୍ରଥମ ପତ୍ନୀ, ବୁଲୁର ମା’ ଆଦି ମିଶି ହତ୍ୟା କରି ପୋଖରୀରେ ପକାଇ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରୁଛନ୍ତି ବୋଲି ଲକ୍ଷ୍ମୀ ଆଜି ଜୟପୁର ସଦରଥାନାରେ ଏତଲା ଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ଆମ୍ବାଗୁଡା ନିକଟରେ ଥିବା ଗୋଟିଏ ପୋଖରୀରୁ ଝିଲ୍ଲିର ମୃତଦେହ ଭାସୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଜୟପୁର ସଦର ପୁଲିସ ଅପମୃତ ମାମଲା ରୁଜୁ କରିଥିଲେ। ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଛେଦ କରି ପରିବାରବର୍ଗକୁ ହସ୍ତାନ୍ତର କରିଥିଲେ। ଅନ୍ୟପକ୍ଷରେ ଝିଲ୍ଲୀର ମା’ ଲକ୍ଷ୍ମୀ ଏ ନେଇ ଜୟପୁର ସଦର ପୁଲିସ ନିକଟରେ ତାଙ୍କ ଝିଅକୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି । ସେ ତାଙ୍କ ଏତଲାରେ ଝିଅ ଆମ୍ବାଗୁଡା ହାଇସ୍କୁଲରେ ପଢ଼ୁଥିବା ବେଳେ ବୁଲୁ ହରିଜନ ପ୍ରଥମ ପତ୍ନୀ ଥାଉଣୁ ହିଁ ଝିଲ୍ଲିକୁ ଅପହରଣ କରି ନେଇ ୨ୟ ପତ୍ନୀ ଭାବେ ରଖିଥିଲେ।
ସେ ଯିବା ପର ଠାରୁ ପ୍ରଥମ ପତ୍ନୀ ଏବଂ ବୁଲୁଙ୍କ ମା’ ସବୁ ବେଳେ ଝିଲ୍ଲିଙ୍କୁ ଶାରିରୀକ, ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ। ଗତକାଲି ଅପରାହ୍ନରେ ଝିଲ୍ଲିର ସଂପର୍କୀୟ କଥାବାର୍ତ୍ତା କରିଥିବା ବେଳେ ରାତିରେ ପୋଖରୀରେ ଶବ ମିଳିବା ସଂଦେହାଜନକ ବୋଲି ଲକ୍ଷ୍ମୀ ଏତଲାରେ ଦର୍ଶାଇଛନ୍ତି। ବୁଲୁ, ତାଙ୍କ ପ୍ରଥମ ପତ୍ନୀ, ତାଙ୍କ ମା’ ମିଳିତ ଭାବେ ଝିଲ୍ଲିକୁ ହତ୍ୟା କରି ପୋଖରୀରେ ପକାଇ ଦେଇଛନ୍ତି ବୋଲି ଲକ୍ଷ୍ମୀ ଅଭିଯୋଗ କରିଛନ୍ତି। ଝିଲ୍ଲିର ଶବ ମିଳିବା ପରେ ଜୟପୁର ସଦରଥାନାରେ ଅପମୃତ ମାମଲା ରୁଜୁ କରାଯାଇଛି ବୋଲି କହିଛନ୍ତି ସଦରଥାନା ଆଇଆଇସି ଈଶ୍ବର ତାଣ୍ଡି।