ପର୍ଜଙ୍ଗ: ଢ଼େଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅନ୍ତର୍ଗତ ୪ ନମ୍ବର କଲୋନିରେ ଗତକାଲି ଜଣେ ଯୁବକଙ୍କ ଆତ୍ମହତ୍ୟା ନେଇ ଶ୍ବଶୁର ଘର ଲୋକେ ଶବକୁ ପୋତି ଦେଇଥିଲେ। ଆଜି ମୃତ ଯୁବକଙ୍କ ସାନ ଭାଇର ଅଭିଯୋଗ ପରେ ପୁଲିସ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ମାଟିତଳୁ ଶବ ବାହାର କରି ବ୍ୟବଚ୍ଛେଦ କରିଛି।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପର୍ଜଙ୍ଗ ଥାନା କନ୍ଦରସିଂହ ଖଳିବାହାଳ ସାହିର ସ୍ବର୍ଗତ ଧରମାନନ୍ଦ ନାଥଙ୍କ ବଡ଼ ପୁଅ ଜିତେନ୍ଦ୍ର ନାଥ (୪୦) ଦୀର୍ଘ ୧୫ ବର୍ଷ ଧରି ଶ୍ବଶୁର ଘର ଗାଁ ୪ ନମ୍ବର କଲୋନିରେ ନିଜସ୍ୱ ଘର କରି ରହୁଥିଲେ। ତାଙ୍କ ମା’ ବି ପାଖରେ ରହୁଥିଲେ। କିଛି ଦିନ ଧରି ପାରିବାରିକ ଅଶାନ୍ତି ପାଇଁ ଗତକାଲି ନିଜ ଘରେ ରଶି ଲଗାଇ ଆତ୍ମହତ୍ୟା କରି ଦେଇଥିଲେ। ପତ୍ନୀ ଓ ଶ୍ବଶୁର ଘର ଲୋକେ ପୁଲିସକୁ ନ ଜଣାଇ ଶବକୁ ପୋତି ଦେଇଥିଲେ।
ଆଜି ମୃତ ଜିତେନ୍ଦ୍ରଙ୍କ ସାନ ଭାଇ ପ୍ରତାପ ନାଥ ପର୍ଜଙ୍ଗ ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ, ମାଜିଷ୍ଟ୍ରେଟ୍ ଜୟନ୍ତ କୁମାର ଜୟସିଂଙ୍କ ଉପସ୍ଥିତରେ ମାଟି ତଳୁ ଶବ ବାହାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତ ଜିତେନ୍ଦ୍ରଙ୍କ ୧୫ବର୍ଷର ପୁଅ ଅଛନ୍ତି। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଶବ ବ୍ୟବଚ୍ଛେଦ ପରେ କନ୍ଦରସିଂହର ଖଳିବାହାଳ ନାଳ ପାଖରେ ପୁଣି ପୋତି ଦିଆଯାଇଛି। ଏଭଳି ଘଟଣା ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/dead.jpg)