ନୂଆପଡ଼ା/ସିନାପାଲି: ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ହୀରାପୁର ଗ୍ରାମରେ ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି। ନିଜ ଝିଅର ମୃତ୍ୟୁ ପରେ କେଉଁ କାରଣରୁ ମୃତ୍ୟୁ ଘଟିଛି ତାହା ଜାଣିବା ପାଇଁ ସିନାପାଲି ଥାନାରେ ମୃତକ ମହିଳାଙ୍କ ମା ଲିଖିତ ଅଭିଯୋଗ କରିବା ପରେ ଗାଁ ମଶାଣୀର ମାଟିତଳୁ ଗଳିତ ଶବ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ସିନାପାଲି ପୁଲିସ ସୁତ୍ରରୁ ଜଣାପଡ଼ିଛି।
ପ୍ରକାଶଯୋଗ୍ୟ ଯେ, ସିନାପାଲି ବ୍ଲକ ଗୋଡାଳ ଗ୍ରାମପଞ୍ଚାୟତର ବ୍ରାହ୍ମଣପଡା ଗ୍ରାମର ମୀନା ମାଝିଙ୍କୁ ହୀରାପୁର ଗ୍ରାମର ଅନ୍ତରାମ ମାଝି ୮ ବର୍ଷ ତଳେ ସାମାଜିକ ରୀତିନୀତି ଅନୁସାରେ ବିବାହ କରିଥିଲେ। ହେଲେ କୌଣସି କାରଣରୁ ମୀନା ମାଝିଙ୍କ ମଙ୍ଗଳବାର ଦିନ ମୃତ୍ୟୁ ଘଟିଥିଲା। ସେହି ରାତିରେ ଗାଁ ମଶାଣୀରେ ଶବ ପୋତା ଯାଇଥିଲା। ହେଲେ ଏହି ଘଟଣାକୁ ମୃତକ ମହିଳାର ମା’ ସନ୍ଦେହ ପ୍ରକାଶ କରି ସିନାପାଲି ଥାନାରେ ଅଭିଯୋଗ କରିଥିଲେ।
ଅଭିଯୋଗକୁ ଭିତ୍ତି କରି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ ବାହାର କରାଯାଇ ପ୍ରଥମେ ଭବାନୀପାଟଣା ଓ ପରେ ବଲାଙ୍ଗୀର ପରୀକ୍ଷାଗାରକୁ ପଠାଯାଇଥିବା ପୁଲିସ ପ୍ରକାଶ କରିଛି। ଗୁରୁବାର ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ସିନାପାଲି ବିଡ଼ିଓ ଅବିନାଶ ଲାକ୍ରା, ସିନାପାଲି ଥାନା ଅଧିକାରୀ ରଶ୍ମିତା ପ୍ରଧାନଙ୍କ ଉପସ୍ଥିତିରେ ଭବାନୀପାଟଣା ସାଇଣ୍ଟିଫିକ ଦଳ ପହଞ୍ଚି ଶବ ଉଦ୍ଧାର କରିଥିଲେ। କିନ୍ତୁ ମୃତ୍ୟର ପ୍ରକୃତ କାରଣ ଏ ଯାଏଁ ଜଣାପଡ଼ି ନାହିଁ।
ଅଭିଯୋଗକୁ ଭିତ୍ତି କରି ସିନାପାଲି ଥାନରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ପୁଲିସ ସୁତ୍ରରୁ ପ୍ରକାଶ। ମୃତ ମହିଳାଙ୍କ ସ୍ବାମୀ କାମ ଅନ୍ୱେଷଣରେ ଗୋଆକୁ ଚାଲି ଯାଇଥିବା ବେଳେ ଗାଁକୁ ଫେରୁଥିବା ଜଣାପଡ଼ିଛି। ମୃତକ ମହିଳାଙ୍କ ଏକ ୭ ବର୍ଷର ପୁଅ ଥିବା ଜଣାପଡ଼ିଛି।