ମିସ୍‌ କଲରୁ ପ୍ରେମ: ବିବାହର ମାସେ ନପୂରୁଣୁ ଶ୍ୱଶୁର ଘରୁ ନାବାଳକଙ୍କ ଶବ ଉଦ୍ଧାର

ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ

ବ୍ରଜରାଜନଗର: ମିସ୍‌କଲ୍‌ରୁ ସୃଷ୍ଟି ହେଇଥିଲା ପ୍ରେମ ସଂପର୍କ। ପରେ ଏହା ବିବାହର ରୂପ ନେଇଥିଲା। ବିବାହର ମାତ୍ର ମାସେ ନପୂରୁଣୁ ନାବାଳକ ଜ୍ବାଇଁଙ୍କ ମୃତ୍ୟୁ ହୋଇଯାଇଛି। ଏପରି ଘଟଣା ଘଟିଛି ବ୍ରଜରାଜନଗର ଥାନା ଅନ୍ତର୍ଗତ ଲୁଇସିଙ୍ଗ ପଞ୍ଚାୟତ ଅଞ୍ଚଳରେ। ଶ୍ବଶୁର ଘରୁ ହିଁ ନାବାଳକ ଜ୍ୱାଇଁଙ୍କ ଶବ ଉଦ୍ଧାର କରାଯାଇଛି। ମୃତ ନାବାଳକ ହେଲେ ଗୌତମ ବଖରା(୧୬)। ତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଗୁରୁବାର ଅପରାହ୍‌ଣ ପ୍ରାୟ ୧ଟାରେ ଝାରକାରେ ପ୍ଲାଷ୍ଟିକ୍‌ ରଶି ବେକରେ ବାନ୍ଧି ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ଅନ୍ୟପକ୍ଷରେ ଗୌତମଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଇଛି। ଖବରପାଇ ପୁଲିସ ଶବ ଜବତ କରିଛି।

ପୁଲିସ ସୂଚନା ଅନୁଯାୟୀ ଗୌତମଙ୍କ ଘର ଲାଇକେରା ଥାନା ଅନ୍ତର୍ଗତ ସିଆଲରମା ଗ୍ରାମରେ। ତାଙ୍କ ସହିତ ଲୁଇସିଙ୍ଗା ଅଞ୍ଚଳର ଜଣେ ଯୁବତୀ (୧୯)ଙ୍କ ସହିତ ପ୍ରେମ ସଂପର୍କ ଥିଲା। ମିସ୍‌ କଲ୍‌ରୁ ଉଭୟଙ୍କ ମଧ୍ୟରେ ସଂପର୍କ ସୃଷ୍ଟି ହୋଇଥିଲା। କିଛିଦିନ ଉଭୟ ଫୋନ୍‌ରେ କଥାବାର୍ତ୍ତା ହେବା ପରେ ନିକଟତର ହୋଇଥିଲେ। ଶେଷରେ ସେମାନେ ଗତ ମାସକ ତଳେ ବିବାହ କରିଥିଲେ। ବିବାହ ପରେ ଗୌତମ ନିଜ ଘରକୁ ନଯାଇ ଶ୍ବଶୁର ଘରେ ରହୁଥିଲେ।

ଗୁରୁବାର ସକାଳେ ସମସ୍ତେ କାମକୁ ଯାଇଥିବା ବେଳେ ଗୌତମ ଘରେ ଥିଲେ। ପଡ଼ୋଶୀ ଘରର ପିଲା ସାବୁନ୍‌ ଆଣିବାକୁ ଯାଇଥିବା ବେଳେ ଏକ ପ୍ଲାଷ୍ଟିକ୍‌ ରାଶିରେ ବେକରେ ବାନ୍ଧି ଝରକାରେ ଝୁଲୁଥିବା ଅବସ୍ଥାରେ ଦେଖିଥିଲେ। ଶ୍ବଶୁର ଘର ଲୋକ ଏ ସଂପର୍କରେ ଜାଣିବା ପରେ ପୁଲିସ ଓ ଗୌତମଙ୍କ ଘର ଲୋକଙ୍କୁ ସୂଚନା ଦେଇଥିଲେ। ଖବରପାଇ ଏସ୍‌ଡିପିଓ ଦିଲ୍ଲୀପ ଦାସ, ଗାନ୍ଧୀଛକ ଫାଣ୍ଡି ଅଧିକାରୀ ଶଶିଭୂଷଣ ପୋଢ଼ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିଥିଲେ। ତଦନ୍ତରେ ସହାୟତା ପାଇଁ ସାଇଣ୍ଟିଫିକ୍‌ ଟିମ୍‌ର ସହାୟତା ନିଆଯାଇଥିଲା। ଖବରପାଇ ଗୌତମଙ୍କ ମା’ ଅମ୍ବିକା ବଖରା ବ୍ରଜରାଜନଗର ପହଞ୍ଚିବା ପରେ ପୁଅକୁ ଶ୍ୱଶୁର ଘର ଲୋକ ମାରି ଦେଇଥିବା ଅଭିଯୋଗ କରିଛନ୍ତି। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଅନୁସନ୍ଧାନ କରୁଛି।

ସମ୍ବନ୍ଧିତ ଖବର