କାମାକ୍ଷାନଗର: ମଣିଷ ଏଭଳିଆ କାମ କରିପାରେ, ଯାହା ବିଶ୍ୱାସ ହେବନାହିଁ। ଶିକାରୀ ଜନ୍ତୁ ଶିକାର ପାଇଁ ବିଛାଇଥିବା ବିଦ୍ୟୁତ କରେଣ୍ଟରେ ଲାଗି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଗଲା ପରେ ତାଙ୍କୁ ଗାତ ଖୋଳି ପୋତି ଦେଲେ। ଏପଟେ ଘରଲୋକେ ନିଖୋଜ ଭାବି ଖୋଜିବାରେ ଲାଗିଥିଲେ। ଏଭଳି ଘଟଣା ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସାନ୍ଦା ଫାଣ୍ଡି ବାଲିପସି ଗାଁରେ ଘଟିଥିଲା ଗତ ସେପ୍ଟେମ୍ବର ମାସରେ।
ଗାଁର ସନାତନ ବେହେରା ଶୌଚ ପାଇଁ ଯାଉଥିବା ବେଳେ ଶିକାରୀମାନେ ବାରାହା ପାଇଁ ଦେଇଥିବା ବିଦ୍ୟୁତ କରେଣ୍ଟ ଲାଗି ସନାତନଙ୍କର ମୃତ୍ୟୁ ହୋଇଥିଲା। ଶିକାରୀମାନେ ମୃତଦେହକୁ ପୋତି ଦେଇଥିଲେ। ସ୍ତ୍ରୀ ରୀନା ବେହେରା ତାଙ୍କ ସ୍ୱାମୀ ନିଖୋଜ ଥିବା ପୂର୍ବରୁ ଥାନାରେ ଅଭିଯୋଗ କରିଥିଲେ ଆଉ ଏପଟେ ସ୍ୱାମୀଙ୍କୁ ଖୋଜାଖୋଜି ମଧ୍ୟ କରିଥିଲେ, କିନ୍ତୁ ପାଇନଥିଲେ। ଏବେ କିଛି ଦିନ ପୂର୍ବରୁ ଜଣେ ଅଭିଯୁକ୍ତ ରୀନା ବେହେରାଙ୍କୁ କହିଲା କାହିଁକି ଖୋଜାଖୋଜି କରୁଛ ତୁମ ସ୍ୱାମୀକୁ ଆମେ ମାରିକି ପୋତି ଦେଇଛୁ। ଏହାପରେ ପତ୍ନୀ ରୀନା ବେହେରା ପୁଣି ଥାନାରେ ଅଭିଯୋଗ କଲେ ଆଉ ଅଭିଯୋଗ ଆଧାରରେ ମାମଲା ହୋଇଛି। ଆଉ ଏଥିରେ ସମ୍ପୃକ୍ତ ଥିବା ୩ଜଣଙ୍କ ମଧ୍ୟରୁ ୨ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ସଞ୍ଜୟ ଦେହୁରୀ ଓ ପିଲୁ ସେଠୀ । ଏହା ପ୍ରାୟ ୭ମାସ ତଳର ଘଟଣା ଥିଲା।
ଆଜି ପୁଲିସ ସାଇଣ୍ଟିଫିକ ଟିମ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଙ୍କୁ ପୋତା ଯାଇଥିବା ଜାଗାରୁ ମାଟି ଖୋଳି ବାହାର କରାଯାଇଥିଲା। ତାଙ୍କର ହାଡ଼ କଙ୍କାଳ ବାହାରିଥିଲା। ଘଟଣା ସ୍ଥଳକୁ ଗିରଫ ଅଭିଯୁକ୍ତଙ୍କୁ ନେଇ ଘଟଣା କିପରି ହୋଇଥିଲା ପୁଲିସ ଦେଖିଲା । ଅଭିଯୁକ୍ତମାନଙ୍କୁ କଠୋର ଦଣ୍ଡ ଦେବାକୁ ପତ୍ନୀ ଓ ପୁଅ ଦାବି କରିଛନ୍ତି। ଏହା ଉପରେ ଅଧିକ ତଦନ୍ତ ଚାଲୁଥିବା କାମାକ୍ଷାନଗର ଏସଡିପିଓ ରଂଜନ କୁମାର ଦେ ସୂଚନା ଦେଇଛନ୍ତି।