ବାଲିପାଟଣା: ବାଲିପାଟଣା ଥାନା ଶିଶିଲୋ ବୋଧଖଣ୍ଡି ନିକଟ ଧନୁଆ ନଦୀ ବନ୍ଧକଡ଼ ବିଲରେ ପଡିଛି ଯୁବକଙ୍କ ମୃତଦେହ। ଯୁବକଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବା ଚର୍ଚ୍ଚା ହେଉଛି। ମୃତ ଯୁବକ ହେଲେ ପ୍ରମୋଦ ଓଝାଙ୍କ ପୁଅ ଆଶିଷ ଓଝା (୨୧ )। ଘଟଣାସ୍ଥଳରେ ବାଲିପାଟଣା ଓ ବାଲିଅନ୍ତା ପୁଲିସ ତଦନ୍ତ ଜାରି ରଖିଛନ୍ତି। ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ, ଆସନ୍ତାକାଲି ଶିଶିଲୋ ଗ୍ରାମର ପ୍ରମୋଦ ଓଝାଙ୍କ ଝିଅ ବାହାଘର ଦିନ ଧାର୍ଯ୍ୟ ହୋଇଥିଲା। ଭଉଣୀ ବାହାଘର ପାଇଁ ଆଶିଷ ଆଜି ବରଧରା ଯାଇଥାନ୍ତେ। ବୁଧବାର ରାତି ପ୍ରାୟ ସାଢେ ୯ଟା ବେଳେ କେହି ଦୁର୍ବୃତ୍ତ ଆଶିଷଙ୍କୁ ଫୋନ କରି ଡାକିଥିଲେ। ଆଶିଷ କାହାକୁ କିଛି ନ ଜଣେଇ ଘରୁ ସାଇକେଲ ନେଇ ବାହାରି ଆସିଥିଲେ। ବହୁ ସମୟ ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ହେଲେ କୌଣସି ସନ୍ଧାନ ପାଇନଥିଲେ।
ଆଜି ସକାଳୁ ଧନୁଆ ନଦୀ ବନ୍ଧ ନିକଟ ଧାନବିଲରେ ଯୁବକଙ୍କ ମୃତଦେହ ପଡ଼ିଥିବା ଖବର ପ୍ରଚାର ହୋଇଥିଲା। ପରେ ଏହା ଆଶିଷଙ୍କ ମୃତଦେହ ବୋଲି ଚିହ୍ନଟ ହୋଇଥିଲା। ଯୁବକଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗି ପ୍ରଚୁର ରକ୍ତସ୍ରାବ ହୋଇଥିବା ସାଇଣ୍ଟିଫିକ ଟିମ ତଦନ୍ତ ବେଳେ ଜଣାପଡିଛି। ନିକଟରେ ଆଶିଷଙ୍କ ସାଇକେଲ ପଡିଛି। ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ବିଧିବଦ୍ଧ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଲାଗି ସାଧାରଣରେ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/cfab71ef-99cb-4b2c-afe7-d559fcdef67e.jpg)